ବିଚାରପତି ଚୟନରେ ବିଳମ୍ବ କେନ୍ଦ୍ର ଉପରେ ଅସନ୍ତୋଷ ଝାଡିଲେ ସୁପ୍ରିମକୋର୍ଟ
କଲେଜିୟମ ଗୋଟିଏ ସର୍ଚ୍ଚ କମିଟି ନୁହେଁ । ଏମିତି କହି ଆଜି ବିଚାରପତି ଚୟନ ପ୍ରସଙ୍ଗରେ କେନ୍ଦ୍ର ଉପରେ ଅସନ୍ତୋଷ ଝାଡିଛନ୍ତି ସୁପ୍ରିମକୋର୍ଟ । ଏଥିସହ କଲେଜିୟମ ବିଭିନ୍ନ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ସରକାରଙ୍କ ପାଖକୁ ପୁନଃ ପଠାଇଥିବା ନାଁ ଗୁଡିକର ତାଲିକା(ଯେଉଁ ଗୁଡିକ ମଞ୍ଜୁରୀ ହୋଇନି) ଦାଖଲ କରିବାକୁ କେନ୍ଦ୍ରକୁ କହିଛନ୍ତି । ନିୟମ କହୁଛି ଯେ ଯଦି କଲେଜିୟମ କୌଣସି ନାଁକୁ ବିଚାରପତି ପଦ ପାଇଁ ମଞ୍ଜୁରୀ ନିମନ୍ତେ ଦ୍ୱିତୀୟ ଥର କେନ୍ଦ୍ର ପାଖକୁ ପଠାଉଛନ୍ତି, ତା’ହେଲେ ଏହାକୁ ଗ୍ରହଣ କରିବାକୁ ସରକାର ବାଧ୍ୟ । କଲେଜିୟମରେ ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟର ୫ ଜଣ ବରିଷ୍ଠ ବିଚାରପତି ରହିଥାଆନ୍ତି । ତେବେ କଲେଜିୟମ ପଠାଉଥିବା ନାଁ ଗୁଡିକୁ ଗ୍ରହଣ କରିବାରେ କେନ୍ଦ୍ର ସରକାର ବିଳମ୍ବ କରୁଥିବାରୁ ଆଜି ସୁପ୍ରିମକୋର୍ଟ ଏଭଳି ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସିଜେଆଇ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, ବିଚାରପତି ଭାବେ ନିଯୁକ୍ତି ଦେବାକୁ କଲେଜିୟମ ପୁନଃ ପଠାଇଥିବା ନାଁ ଗୁଡିକ ସହ କ’ଣ ସମସ୍ୟା ରହିଛି, ସେକଥା କେନ୍ଦ୍ର ନିର୍ଦ୍ଦିଷ୍ଟ ଭାବେ ଜଣାଇବା ଉଚିତ । ପୁନଃ ପଠା ଯାଇଥିବା ନାଁ ଗୁଡିକ ଉପରେ ମୋହର ମାରିବା ପ୍ରକ୍ରିୟା କେଉଁ ଯାଏ ଯାଇଛି, ତା’ର ସଂପୂର୍ଣ୍ଣ ଚାର୍ଟ ଦିଅନ୍ତୁ । ଏହି ସମୟରେ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ପୁନଃ ପଠାଯାଉଥିବା ନାଁ ଗୁଡିକ ଉପରେ ନିଷ୍ପତ୍ତି ନେବାକୁ ଏକ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିବା ଦରକାର । ଯଦି ଧାର୍ଯ୍ୟ ସମୟରେ ନାଁ ଗୁଡିକ ଉପରେ ମୋହର ନ ବାଜିବ, ତା’ହେଲେ ଏହାକୁ ଗ୍ରହଣ କରାଯାଉଛି ବୋଲି ଧରାଯିବ ବୋଲି ନିୟମ ଆସିବା ଦରକାର ବୋଲି ସେ କହିଛନ୍ତି । ଏହାପରେ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣିଙ୍କୁ କେନ୍ଦ୍ର ପାଖରେ ଅନୁମୋଦନ ପାଇଁ ପଡି ରହିଥିବା ନାଁ ଗୁଡିକର ତାଲିକା ଦେବାକୁ କହିଛନ୍ତି ।
ସିଜେଆଇ କହିଛନ୍ତି, ସ୍ଥିତାବସ୍ଥାର ତାଲିକା ଦିଅନ୍ତୁ ଓ ମଞ୍ଜୁରୀ ଦେବାରେ ଥିବା ସମସ୍ୟା ସମ୍ପର୍କରେ ଜଣାନ୍ତୁ । ଦେଖନ୍ତୁ, ଗୋଟିଏ କଲେଜିୟମ ଆଦୌ ଗୋଟିଏ ସର୍ଚ୍ଚ କମିଟି ନୁହେଁ । ଯଦି କଲେଜିୟମ କେବଳ ଏକ ସର୍ଚ୍ଚ କମିଟି ହୋଇଥାଆନ୍ତା, ତା’ହେଲେ ଆପଣ ନିଜ ଇଚ୍ଛାରେ କାମ କରିଥାଆନ୍ତେ । କପବୋର୍ଡରେ ଥିବା କଙ୍କାଳକୁ କେବଳ ବାହାର କରିବା ପାଇଁ ଏପରି କରାଯାଇ ନାହିଁ । ଆଗକୁ ବଢିବା ପାଇଁ କଲେଜିୟମ ହୋଇଛି । କଲେଜିୟମ ସୁପାରିସ କରୁଥିବା ନାଁ ଗୁଡିକ ଉପରେ ମୋହର ମାରିବା ପାଇଁ ସମୟ ଧାର୍ଯ୍ୟ କରିବାକୁ ଆବେଦନ କରି ଆଇନଜୀବୀ ହର୍ଷ ସିଙ୍ଘଲ କରିଥିବା ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏପରି କହିଛନ୍ତି । ସେହିପରି ଜଷ୍ଟିସ ରାମଚନ୍ଦ୍ର ରାଓଙ୍କୁ ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ କଲେଜିୟମ କରିଥିବା ସୁପାରିସ ବିଳମ୍ବରେ ଅନୁମୋଦନ କରିବାରୁ କେନ୍ଦ୍ର ବିରୋଧରେ ଅଦାଲତନ ଅବମାନନା ମାମଲା କରିବାକୁ ମଧ୍ୟ ଗୋଟିଏ ଆବେଦନ କରାଯାଇଛି ।