ଅବହେଳିତ ଅବସ୍ଥାରେ ମିରିଗିଚରା ପ୍ରାଥମିକ ବିଦ୍ୟାଳୟ
ଯଖପୁରା : ରାଜ୍ୟ ସରକାର ବିଦ୍ୟାଳୟ ମାନଙ୍କର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ସରକାରୀ ବିଦ୍ୟାଳୟ ସବୁକୁ ଏପରି ଭାବରେ ନିର୍ମାଣ କରାଯାଇଛି ତାହା ବେସରକାରୀ ବିଦ୍ୟାଳୟର ଭ୍ରମ ସୃଷ୍ଟି କରିଛି । ବିଦ୍ୟାଳୟ ସବୁର ଭିତି ଭୂମିକୁ ସୁଦୃଢ କରିବା ପାଇଁ ସରକାର ଅନେକ ଯୋଜନା ନିଜ ହାତକୁ ନେଇଛନ୍ତି ବୋଲି କହୁଛନ୍ତି । ବିଦ୍ୟାଳୟର ରୁପାନ୍ତିକରଣ ପାଇଁ ଏହାକୁ ୫-ଟିରେ ଅନ୍ତର୍ଭୁକ୍ତ କରାଯାଇଛି ।
ଫଳରେ ଅନେକ ସ୍କୁଲ କଲେଜ ସବୁର ରୂପରେଖ ବଦଳି ଯାଇଛି । ରାଜ୍ୟରେ ଏବେବି ଏମିତି ଅନେକ ବିଦ୍ୟାଳୟ ଅଛି ଯାହାକୁ ଉନ୍ନତି କରଣ କରାଯାଇ ପାରିନାହିଁ । ଅବ୍ୟବସ୍ଥାରେ ବିଦ୍ୟାଳୟ ପଡ଼ିରହିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟରେ ଏବେ ରାଜନୀତି ଉଷ୍ମତା ଲାଗିରହିଛି । ଲୋକମାନଙ୍କର ମୌଳିକ ସମସ୍ୟା ସମାଧାନ ହୋଇ ନଥିବାରୁ ଭୋଟ ବର୍ଜନ ପାଇଁ ନିଷ୍ପତି ନେଉଛନ୍ତି । ସେମିତି ଏକ ଅବ୍ୟବସ୍ଥା ଅବସ୍ଥାରେ ପଡ଼ିରହିଛି ସୁକିନ୍ଦା ବ୍ଲକର ଗୋବରଘାଟି ପଞ୍ଚାୟତର ମିରିଗିଚରା ସରକାରୀ ପ୍ରାଥମିକ ବିଦ୍ୟାଳୟ । ଦେଖିବାକୁ ଗଲେ ମିରୀଗିଚରା ଗ୍ରାମଟି ଆଦିବାସୀ ଅଧ୍ୟୁଷିତ ଗାଁ । ଗ୍ରାମରେ ବିଦ୍ୟାଳୟକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବିଦ୍ୟାଳୟରେ ଆବଶ୍ୟକ ବ୍ୟବସ୍ଥା ନାହିଁ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ବିଦ୍ୟାଳୟରେ ପାଞ୍ଚୋଟି ଶ୍ରେଣୀ ଥିବା ସତ୍ତ୍ୱେ ପିଲାମାନଙ୍କ ପଢ଼ିବା ପାଇଁ ମାତ୍ର ଦୁଇଟି କକ୍ଷଅଛି । ଯାହା ସେ ବିଦ୍ୟାଳୟର ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ କରୁଛି । ପ୍ରଶ୍ନ ଉଠେ କି ପାଞ୍ଚଟି ଶ୍ରେଣୀ ପାଇଁ ଆବଶ୍ୟକ କକ୍ଷ ନାହିଁ । ଦୁଇଟି କକ୍ଷରେ ପାଞ୍ଚୋଟି ଶ୍ରେଣୀର ପାଠ୍ୟକ୍ରମ କିପରି ହେଉଛି । ଯାହା ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର ଦର୍ଶାଉଛି । ଏଥିରୁ ଅନୁମେୟ ହୁଏକି ସେଠାରେ ଶିକ୍ଷା କିପରି ଦିଆଯାଉଛି । ବିଦ୍ୟାଳୟରେ ପାଞ୍ଚୋଟି ଶ୍ରେଣୀରେ ମୋଟ ୭୦ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ପାଞ୍ଚୋଟି ଶ୍ରେଣୀର ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ବିଦ୍ୟାଳୟରେ ମାତ୍ର ଦୁଇ ଜଣ ଶିକ୍ଷକ ଅଛନ୍ତି । ଜଣେ ପ୍ରଧାନ ଶିକ୍ଷକ ଆଉ ଜଣେ ସହାୟକ ଶିକ୍ଷକ । ଛାତ୍ର ମାନଙ୍କୁ ଶିକ୍ଷାଦାନ ସହିତ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ । ସ୍କୁଲଟି ୫୦ବର୍ଷରୁ ଅଧିକ ହେବ ପ୍ରତିଷ୍ଠା ହୋଇଛି । ସରକାର ରାଜ୍ୟରେ ଅନେକ ସ୍କୁଲ କଲେଜକୁ ନୂତନ ରୂପ ଦେଇଥିବା ସମୟରେ ଏବିଦ୍ୟାଳୟଟି ଅବ୍ୟବସ୍ଥା ଘେରରେ ରହିଛି । ଯାହା ସରକାରଙ୍କ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠିଛି । ପୁଣି ଗୋଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ । ଆଜି ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଚେରୀ ନାହିଁ । ପାଚେରୀ ଖଣ୍ଡେ ହେଇଛି ଯେ ତାହା ଅପାନ୍ତରିଆ ଅବସ୍ଥାରେ ପଡ଼ିରହିଛି । ପିଲାମାନଙ୍କର ମଧ୍ୟାହ୍ନ ଭୋଜନ ପାଇଁ ଆବଶ୍ୟକ ହେଉଥିବା ପାଣି ପାଇଁ ଏକ ମାତ୍ର ନଳକୂପ ଅଛି ।
ନଳକୂପର ଜଳ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ପିଲା ମାନଙ୍କର ପାଇବା ପାଣି ଠାରୁ ଆରମ୍ଭ କରି ରୋଷେଇ କରିବା ପର୍ଯ୍ୟନ୍ତ ପାଣି ପାଇଁ ଏହି ନଳକୂପ ଉପରେ ନିର୍ଭର କରିବାକୁ ପଡୁଛି । ବଡ଼ କଥା ହେଉଛି ଉଭୟ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ଗୋଟିଏ ପାଚେରୀ ମଧ୍ୟରେ ଅବସ୍ଥିତ । ଉଭୟ ଅଙ୍ଗନୱାଡ଼ି ଓ ବିଦ୍ୟାଳୟ ପାଇଁ ଆବଶ୍ୟକ ପାଣି ପାଇଁ ବିଦ୍ୟାଳୟ ପରିସର ଭିତରେ ଥିବା ନଳକୂପ ଉପରେ ନିର୍ଭର କରିବାକୁ ପଡୁଛି । ଛୋଟ ଛୋଟ କୋମଳ ମତି ପିଲାମାନେ ପାଣି ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପାଣି ତ ପାଣି ବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ବିଦୁ୍ୟତ୍ ସଂଯୋଗ ହୋଇନାହିଁ । ଫଳରେ ଶିକ୍ଷକ ଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀ ମାନେ ହଇରାଣ ହେଉଛନ୍ତି । ପ୍ରତ୍ୟେକ ବିଦ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ସରକାରଙ୍କ ନିଦେ୍ର୍ଦଶ ଥିବା ସତ୍ୱେ ତାହା ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ । ଖରା ଦିନେ ଅସହ୍ୟ ଗୁଳୁ ଗୁଳି ପାଇଁ ଅନେକ ସମସ୍ୟା ହେଉଛି ବୋଲି ଅଭିଯୋଗ ହୋଇଛି । ଖରା ଦିନେ ଯେତେ ବେଳେ ବୟସ୍କ ଲୋକ ରହିପାରୁ ନାହାନ୍ତି ସେଠି ଛୋଟ ଛୋଟ ପିଲା ମାନେ ବିନା ଫ୍ୟାନ ପବନରେ ବସିବେ କେମିତି । ସମାନ ଅବସ୍ଥା ସେହି ପାଚେରୀ ମଧ୍ୟରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରର । ମୋଟ ଉପରେ କହିବାକୁ ଗଲେ ଉଭୟ ମିରିଗିଚରା ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଆବଶ୍ୟକ ମୌଳିକ ସୁବିଧା ନାହିଁ । ଅବହେଳିତ ଅବସ୍ଥାରେ ପଡ଼ିରହିଛି ଉଭୟ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର । ଏହିସବୁ ଅସୁବିଧା ପାଇଁ ଗ୍ରାମବାସୀ ତରଫରୁ ବିରଞ୍ଚି ସାମଡ ଅପ୍ରେଲ ୨୬ ତାରିଖ ୨୦୨୨ ମସିହାରେ ମିଳିତ ଜନଶୁଣାଣୀରେ ଅଭିଯୋଗ ହୋଇଥିଲା । ମାତ୍ର ଜିଲାପାଳଙ୍କ ମିଳିତ ଜନଶୁଣାଣୀରେ ଅଭିଯୋଗ ହେଲା ପରେ ମଧ୍ୟ ବିଦ୍ୟାଳୟର ଅବସ୍ଥା ସୁଧୁରିଲାନାହିଁ । ବିଦ୍ୟାଳୟକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ସହିତ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆଗାମୀ ଦିନରେ ଏସବୁ ସମସ୍ୟାର ସମାଧାନ ପାଇଁ ଦାବି ହୋଇଛି ।