ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ରଘୁନାଥ ଜୀଉ ମଠ
ଢେଙ୍କାନାଳ: ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଢେଙ୍କାନାଳ ଯେତିକି ଆକର୍ଷଣୀୟ, ତାର ସମୃଦ୍ଧ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶ ପାଇଁ ମଧ୍ୟ ସମ ପରିମାଣରେ ପରିଚିତ । ବଣ ଜଙ୍ଗଲ, ନଦୀ ଝରଣା ଓ ପାହାଡ ପର୍ବତ ଘେରା ଏହି ଗଡଜାତରେ ବହୁ ପ୍ରାଚୀନ କାଳରୁ ବହୁ ମଠ ମନ୍ଦିର ଗଢି ଉଠିଥିଲା । ରାଜ ପୃଷ୍ଠ ପୋଷକତାରେ ଗଢି ଉଠିଥିବା ଏହି ମଠ ମନ୍ଦିରଗୁଡିକ ତତକାଳୀନ ଢେଙ୍କାନାଳ ରାଜ୍ୟରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ସହିତ ଶିକ୍ଷା ଦାନର ଏକ ଗୁରୁ ଦାୟିତ୍ୱ ବହନ କରୁଥିଲା । ତେଣୁ ଢେଙ୍କାନାଳ ଗଡ ଓ ତାର ନିକଟ ଅଞ୍ଚଳରେ ବହୁ ମଠ ମନ୍ଦିରମାନ ଏକଦା ଗଢି ଉଠିଥିଲା । ଏହି ମଠମାନଙ୍କ ଚଳଣି ପାଇଁ ସେତେବେଳର ରାଜା ମହାରାଜା ଗଣ ଅନେକ ଭୂସମ୍ପତ୍ତି ମଧ୍ୟ ଦାନ କରିଥିଲେ । ସେହି ମର୍ମରେ ଶୈବ ଓ ବୈଷ୍ଣବ ସଂସ୍କୃତିର ଅନେକ ଗୁଡିଏ ମଠ ଢେଙ୍କାନାଳରେ ଦେଖିବାକୁ ମିଳେ । ଏମାନଙ୍କ ମଧ୍ୟରୁ ଢେଙ୍କାନାଳ ସହର ଉପକଣ୍ଠରେ ଥିବା ସିମିଳିଆ ଗ୍ରାମରେ ରହିଛି ଶ୍ରୀରଘୁନାଥ ଜୀଉ ମଠ । ଏହି ମଠଟି ସ୍ଥାନୀୟ ଅଂଚଳରେ ଶିକ୍ଷପ୍ରଦାନ କରିବା ସହିତ ଆଧ୍ୟାତ୍ମିକ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିଲା । ରାମାନନ୍ଦୀ ସଂପ୍ରଦାୟର ଏହି ମଠରେ ଥିବା କ୍ଷୁଦ୍ର ମନ୍ଦିରରେ ରାମ, ଲକ୍ଷଣ, ସୀତାଙ୍କ ପିତ୍ତଳ ପ୍ରତିମା ପୂଜା ପାଉଥିବାବେଳେ ମନ୍ଦିରର ଦ୍ୱାର ବନ୍ଧରେ ଦକ୍ଷିଣାଭିମୁଖୀ ହନୁମାନ ପୂଜିତ ହେଉଛନ୍ତି । ମାତ୍ର ଏହି ମନ୍ଦିରର ବିଶେଷତ୍ୱ ହେଉଛି ଗର୍ଭଗୃହରେ ସ୍ଥାପିତ କଳାମୁଗୁନି ପଥରରେ ନିର୍ମିତ ପ୍ରାୟ ତିନିଫୁଟ ଉଚ୍ଚÿର ଏକ ଚତୁର୍ଭୁଜ ବିଶିଷ୍ଟ ବାମନ ମୂର୍ତ୍ତି । ଏହି ଛୋଟ ମନ୍ଦିରଟିରେ ଏତେବଡ ବାମନଙ୍କ ପ୍ରତିମା ଐତିହ୍ୟପ୍ରେମୀଙ୍କ ମନରେ ବିସ୍ମୟ ସୃଷ୍ଟି କରେ ।
ଆଜି ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ଷୋଡଶ ସଂସ୍କରଣରେ ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ପଦଯାତ୍ରୀମାନେ ତଥ୍ୟ ସଂଗ୍ରହ କରିବାପାଇଁ ଲୋକ ଲୋଚନର ଅନ୍ତରାଳରେ ଥିବା ଏହି ମଠରେ ପହଞ୍ଚିବା ପରେ ସେଠାରେ ମଠର ମହନ୍ତ ସହଦେବ ଦାସଜୀ ମହାରାଜ ଓ ଦେବୋତ୍ତର ବିଭାଗର ଜିମାଦାର ଅଶୋକ ମିଶ୍ର ପଦଯାତ୍ରୀଙ୍କୁ ସ୍ୱାଗତ କରିବା ସହିତ ଏହି ପ୍ରାଚୀନ ମଠର ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ବିସ୍ତ୍ରୃତ ସୂଚନା ଦେଇଥିଲେ । ପଦଯାତ୍ରାରେ ମଳୟ ରଞ୍ଜନ ପତି, ରମେଶ ପତି, ବଦ୍ରିନାଥ ଜେନା, ଲକ୍ଷ୍ମୀ ନାରାୟଣ ତ୍ରିପାଠୀ, ବିଶ୍ୱରଂଜନ ଦେହୁରୀ, ବିକାଶ ପ୍ରଧାନ, ପିୟୁଷ ଅଗ୍ରୱାଲ, ବିଶ୍ୱଜୀତ ଶତପଥୀ, ସୁନିତା ମହାପାତ୍ର ପ୍ରମୁଖ ଐତିହ୍ୟପ୍ରେମୀମାନେ ଅଂଶ ଗ୍ରହଣ କରିଥିଲେ ।