ବିପର୍ଯ୍ୟସ୍ତ ସହର ରାସ୍ତାଘାଟ, ଅସୁରକ୍ଷିତ ପଥଚାରୀଙ୍କ ଜୀବନ


ଢେଙ୍କାନାଳରୁ ଲକ୍ଷ୍ମୀନାରାୟଣ ତ୍ରିପାଠୀ:  ବିପର୍ଯ୍ୟସ୍ତ ହୋଇପଡିଛି ଢ଼େଙ୍କାନାଳ ସହରର ରାସ୍ତାଘାଟ । ଜୁଆଡେ ଚାହିଁଲେ ସିଆଡେ ଖାଲଖମା ଭର୍ତ୍ତି । ସହରର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ବିଭିନ୍ନ ରାସ୍ତାଘାଟରେ ଛୋଟ ବଡ଼ ଗର୍ତ୍ତ ସୃଷ୍ଟି ହେଲାଣି । ଯାହାଫଳରେ ଦୈନିକ ଦୁର୍ଘଟଣା ଘଟିବା ସହ ଲୋକମାନେ ଆହତ ହେଉଛନ୍ତି । ହେଲେ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଜାଣି ଅଜଣା ପରି ବସି ରହିଛନ୍ତି । 
ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଆଉ ଦିନ କେଇଟା ପରେ ଦଶହରା  ଓ ପରେ ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜା । କେବଳ ଜିଲ୍ଲା ନୁହେଁ ଓଡିଶାର ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ସମାଗମରେ ପୁରିଉଠିବ ସହର, ଝଲସିବ ସହରର ରାସ୍ତା ବଜାର । ରାଜପଥରୁ ସହର ରାସ୍ତା ପର୍ଯ୍ୟନ୍ତ ଗମନାଗମନ ପାଇଁ ଗାଡିମଟର ଯାତାୟତ ମଧ୍ୟ ବଢିବ । ତେବେ ସହରର ମୁଖ୍ୟ ରାସ୍ତାଗୁଡିକ ଏବେ ଖାଲଖମାରେ ଭର୍ତ୍ତି ହୋଇରହିଛି । ବସ୍ଷ୍ଟାଣ୍ଡ ଠାରୁ କଲେଜ ବାଇପାସ୍ ଓ କୋରିଆଁ ଠାରୁ ଟାଉନପ୍ଲନିଂ ଛକ ଯାଏଁ ରାସ୍ତାର ସବୁଆଡେ ଛୋଟବଡ ଖାଲଖମା । ଏହିପରି ସହର ଭିତର ଦେଇ ଯାଇଥିବା ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ଛୋଟଛୋଟ ଗର୍ତ୍ତ ସୃଷ୍ଟି ହେଲାଣି । ବର୍ଷା ସମୟରେ ପାଣି ଜମିଗଲେ ରାସ୍ତାରେ  ଖାଲଖମାଣ ଜଣାପଡୁନାହିଁ । ଖାଲଖମା ଯୋଗୁଁ ଦୈନିକ ଦୁର୍ଘଟଣା ଘଟିବା ସହ ଲୋକମାନେ ଆହତ ହେଉଛନ୍ତି । ପୂର୍ତ୍ତ ବିଭାଗ  କର୍ତ୍ତୃପକ୍ଷ ଜାଣି ଅଜଣା ପରି ବସିଛନ୍ତି ।  ଜାତୀୟ ରାଜପଥ ହେଉ କିମ୍ବା ସହରର ମୁଖ୍ୟ ରାସ୍ତା ଉଭୟ ଆଉ ଲୋକଙ୍କ ପାଇଁ ସୁରକ୍ଷିତ ହୋଇ ରହିନାହିଁ । ଅନ୍ୟପକ୍ଷରେ ବସ୍ଷ୍ଟାଣ୍ଡ ଠାରୁ କଲେଜ ଯାଏଁ ମୁଖ୍ୟ ରାସ୍ତାକୁ ୫କୋଟିରୁ ଊଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରି ପ୍ରଶସ୍ତିକରଣ କରାଯାଇଥିବା ବେଳେ ନିମ୍ନମାନର କାମ ପାଇଁ ଏବେ ଚାରଆଡେ ଖାଲଖମାରେ ଭରିଗଲାଣି । ସେତେବେଳେ ସେହି କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିବାବେଳେ ତଳୁ ଉପର ଯାଏଁ ସବୁ ଅଧିକାରୀ ଅଖି ବନ୍ଦ କରି ରହିଗଲେ । ଏହି ରାସ୍ତାର ଢେଙ୍କାନାଳ କଲେଜ ଠାରୁ ଆରମ୍ଭ କରି କୁଞ୍ଜକାନ୍ତ, ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ସମ୍ମୁଖ, ଆହାରକେନ୍ଦ୍ର, ରୋଟାରୀ କ୍ଲବ ସମ୍ମୁଖ, ବସ୍ଷ୍ଟାଣ୍ଡ, ଗୋଲେଇଛକ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଦେଇ ଜବାହାରଚୌକ, ବାଜିଚୌକ, ଗୋପବନ୍ଧୁ ବଜାର ଆଦି କୋରିହାଁ ବାଇପାସ୍ ପର୍ଯ୍ୟନ୍ତ ଯାଇଥିବା ସହରର ମୁଖ୍ୟ ରାସ୍ତା ଏବଂ  ଅନ୍ୟପଟେ ଗଣେଶ ବଜାର ଠାରୁ ରଥଗଡା, ଜୁବୁଲି ଟାଉନ, ମହିଷାପାଟ କଣ୍ଟାନାଳୀ ଦେଇ ଜାତୀୟ ରାଜପଥକୁ ଯାଇଥିବା ରାସ୍ତା  ସବୁଠି ପ୍ରାୟ ଖାଲ ଖମାଣ । ତେବେ ଥରକୁ ଥର ରାସ୍ତା ତିଆରିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ନିମ୍ନମାନର କାମ ଯୋଗୁଁ ଦୁଇମାସ ଯାଉନାହିଁ, ସିମେଣ୍ଟ କଂକ୍ରିଟ କିମ୍ବା ପିଚୁ ହେଉ ଉଠିଯାଇ ରାସ୍ତାରେ ଖାଲ ସୃଷ୍ଟିି ହେଉଥିବାରୁ ଅନ୍ୟ ସମୟ ଅପେକ୍ଷା ବର୍ଷାବେଳେ ସମସ୍ୟା ବଢିଯାଉଛି ।
ଅନ୍ୟପଟେ ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ଯୋଗୁଁ କଲେଜ ବାଇପାସ୍ ଠାରୁ କୋରିଆଁ ବାଇପାସ ଦେଇ ଗୁଣ୍ଡିଚାପଡା ସଦର ଥାନା ପର୍ଯ୍ୟନ୍ତ ପ୍ରାୟ ୭ /୮ କିମିରୁ ଊଦ୍ଧ୍ୱର୍ ରାସ୍ତା ଖାଲଖମାଣ ହୋଇ ପଡିରହିଛି । ସେହି ରାସ୍ତା ଦେଇ କାମକ୍ଷାନଗର, ଓଡାପଡା, ହିନେ୍ଦାଳ ଏବଂ ଅନୁଗୁଳ ଜିଲ୍ଳା ସମେତ ବିଭିନ୍ନ ସ୍ଥାନକୁ ପ୍ରତିଦିନ ହଜାର ହଜାର ଭାରିଯାନ ସହ ଦୁଇ ଓ ଚାରି ଚକିଆ ଯାନ ଯାତୟତ କରୁଛି ।  ସେହିପରି କଲେଜ ବାଇପାସ୍ ଠାରୁ ଆନନ୍ଦ ନଗର ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ମଧ୍ୟ ଦୁର୍ବିସହ ହୋଇପଡିଛି । ଧୂଳିଧୂଆଁ ସମେତ ବର୍ଷାପାଣିରେ ଭରପୁର ଖାଲଖମାଣ ରାସ୍ତାରେ ଉଠପଡ ହୋଇ ଯିବା କଷ୍ଟକର ହେଉଥିବା ବେଳେ ଗାଡିମୋଟର ଭାଙ୍ଗି କେତେବେଳେ ମରଣ ଆସିବ ଜାଣିବା ଅସମ୍ଭବ ହୋଇପଡୁଛି ।  ଗତ ୨ଦିନ ତଳେ ସହର ଉପକଣ୍ଠ କଲେଜ ବାଇପାସ୍ରେ ଏକ ଟ୍ରକ ଧକ୍କାରେ ଜଣେ ଯୁବକର ଜୀବନ ଚାଲିଯାଇଥିଲା । ସେହିଦିନ ଅପରାହ୍ନରେ ମହିଷାପାଟ ଛକ ଠାରେ ହାଇୱା ଧକ୍କାରେ ଜଣେ ଯୁବକ ଗୁରୁତର ଆହାତ ହୋଇଥିଲେ । ସେହି ରାସ୍ତାଦେଇ ସେ ଦିନ ପଞ୍ଚାୟତମରାଜ ମନ୍ତ୍ରୀ ତଥା କୁଚିଣ୍ଡା ବିଧାୟକ ରବି ନାରାୟଣ ନାଏକ ଭୁବନେଶ୍ୱରରୁ ନିଜ ଅଂଚଳକୁ ଯାଉଥିବା ବେଳେ ଉତ୍ତ୍ୟକ୍ତ ଲୋକେ ସହର ଉପକଣ୍ଠ ମହିଷାପାଟ ଠାରେ ତାଙ୍କ ଗାଡିକୁ ଅଟକାଇ ପମ୍ପ ଖୋଲିଦେଇଥିଲେ । ଏହା ଏକ ନମୁନା ହୋଇଥିବାବେଳେ ଏହିପରି ଛୋଟ ବଡ ଦୁର୍ଘଟଣା ଦୈନନ୍ଦିନ ଘଟୁଥିବା ଯୋଗୁଁ ବାରମ୍ବାର ରାସ୍ତାରୋକ୍ ଆନେ୍ଦାଳନ ହେଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ନିଦାବିଷ୍ଣୁ ସାଜିଛନ୍ତି । ଆଗକୁ ପୂଜା ମାହୋଲ ଆସୁଥିବାରୁ ଦୁର୍ଘଟଣା କମାଇବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାସ୍ତାର ଦୁରାବସ୍ଥା ସଜାଡିବାକୁ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହୋଇଛି ।