ଓଡ଼ିଶା ବିକାଶ ଦାୟିତ୍ୱରେ ଗୁଣ୍ଡୁଚିମୂଷାର ଦାୟିତ୍ୱ ନେବି: ଧର୍ମେନ୍ଦ୍ର
ଭୁବନେଶ୍ୱର: ରାଜନୀତିରେ ଜନସେବାକୁ ଜୀବନର ବ୍ରତୀ ଭାବେ ଗ୍ରହଣ କରିବା ଦରକାର । ଆଗାମୀ ଦିନରେ ସମ୍ବଲପୁର ସମେତ ଓଡ଼ିଶା ବିକାଶର ବ୍ଲୁ ପ୍ରିଣ୍ଟ୍ ତିଆରି କରିବା ଦାୟିତ୍ୱକୁ ବ୍ୟବସ୍ଥା ପାଖରେ ପହଞ୍ଚାଇବା ପାଇଁ ମୁଁ ଗୁଣ୍ଡୁଚିମୂଷାର ଦାୟିତ୍ୱ ନେବି ବୋଲି ଆଠମଲ୍ଲିକ ଓ ରେଢାଖୋଲ ନିର୍ବାଚନମଣ୍ଡଳୀରେ ଆୟୋଜିତ ପୃଥକ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୋଳ କିଶୋରନଗର ଠାରେ ବରିଷ୍ଠ ନାଗରିକ ସଂଘ, ଆଠମଲ୍ଲିକ ଏବଂ ସମ୍ବଲପୁର ରେଢାଖୋଲ ଠାରେ ‘ବିକଶିତ ନାଗରିକ ମଞ୍ଚ, ରେଢାଖୋଲ’ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । ସମ୍ବଲପୁର ଲୋକସଭାରୁ ସାଂସଦ ଭାବରେ ନିର୍ବାଚିତ କରିଥିବାରୁ ସମ୍ବଲପୁର ସଂସଦୀୟ କ୍ଷେତ୍ରର ଜନସାଧାରଣଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାରେ ଜବଲ ଇଞ୍ଜିନ ସରକାରରେ ଗରିବ, ମହିଳା, ଚାଷୀ, ଯୁବକ ଓ ଆଦିବାସୀଙ୍କ ବିକାଶ ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି । ସୁଭଦ୍ରା ଯୋଜନାର କାର୍ଯ୍ୟକାରୀ, ମାଆ ଭଉଣୀ ମାନଙ୍କୁ ଲକ୍ଷପତି ଦିଦି କରି ମାତୃଶକ୍ତିଙ୍କୁ ସ୍ୱାବଲମ୍ବୀ କରିବା, ଚାଷୀମାନଙ୍କ ଠାରୁ ୩୧୦୦ ଟଙ୍କାରେ ଧାନ କିଣି ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସଶକ୍ତ କରିବା ପାଇଁ ଆମ ସରକାର କାମ କରୁଛନ୍ତି । ରେଢାଖୋଲ ସଭାରେ ସେ କହିଥିଲେ ବରିଷ୍ଠ ନାଗରିକ, ଓକିଲ ସଂଘ, କୃଷକ ସଂଗଠନ ଏବଂ ସମାଜସେବା ସଂଗଠନ ସମୂହଙ୍କ ମଧ୍ୟରେ ଆୟୋଜିତ ଏହି ସଭା ମୋ ପାଇଁ ଆଶୀର୍ବାଦ ସଭା । ପ୍ରଗତିଶୀଳ ଓ କୃଷିଭିତ୍ତିକ ଅଞ୍ଚଳ ଆଠମଲ୍ଲିକକୁ ଆଧୁନିକ ଦୁନିଆ ସହ ଯୋଡି ସ୍ଥାନୀୟ ଅର୍ଥନୀତିକୁ ମଜଭୂତ୍ କରିବା ପାଇଁ ସାମୂହିକ ଦାୟିତ୍ୱ ନେବା ପାଇଁ ସେ ଆହ୍ୱାନ କରିଥିଲେ । ସେହିପରି ରେଢାଖୋଲ ହେଉଛି ମହିମା ଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁଙ୍କ ବିଚାରକୁ ବ୍ୟାପକ କରିଥିବା ସନ୍ଥକବି ଭୀମ ଭୋଇଙ୍କ ଅଞ୍ଚଳ । ତାଙ୍କର ସଂସ୍କାର ଓ ବିଚାର କାରଣରୁ ରେଢାଖୋଲ ମାଟି ଅଧିକ ପବିତ୍ର ହୋଇଛି ବୋଲି ସେ କହିଥିଲେ ।