ଜଲେଶ୍ୱର ବସ୍ ଦୁର୍ଘଟଣା, ସହାୟତା ଯୋଗାଇଲା ପ୍ରଶାସନ
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟରେ ଉତ୍ତରପ୍ରଦେଶର ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାଗ୍ରସ୍ତଙ୍କୁ ସମସ୍ତ ସହାୟତା ଯୋଗାଇଦେବାକୁ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନକୁ ସେ ନିଦେ୍ର୍ଦଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଜେନାଙ୍କ ନିଦେ୍ର୍ଦଶ ଅନୁଯାୟୀ ପରିବହନ ଆୟୁକ୍ତ, ଜିଲ୍ଲାପାଳ ଓ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ କରାଯାଇଛି । ଦୁର୍ଘଟଣାରେ ଜଣେ ମହିଳା ଓ ତିନି ଜଣ ପୁରୁଷଙ୍କୁ ମିଶାଇ ଚାରି ଜଣଙ୍କ ମୃତୁ୍ୟ ହୋଇଛି । ମରଶରୀରଗୁଡିକୁ ସେମାନଙ୍କ ଘରକୁ ପଠାଇବା ନିମନ୍ତେ ପରିବହନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏଥିସହ ଦୁର୍ଘଟଣାରେ ଆହତ ୧୨ ଜଣଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ସେମାନଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତେ ବିପଦମୁକ୍ତ ଥିବା ଜଣାଯାଇଛି । ଦୁର୍ଘଟଣାଗ୍ରସ୍ତ ଉତ୍ତରପ୍ରଦେଶ ତୀର୍ଥଯାତ୍ରୀମାନଙ୍କୁ ସବୁମତେ ସହାୟତା ଯୋଗାଇଦେବାକୁ ଓଡିଶା ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ପ୍ରକାଶଥାଉ କି, ଶୁକ୍ରବାର ରାତିରେ ଜାତୀୟ ରାଜପଥ ୧୬ର ଅକ୍ତଳି ନିକଟ ଚଳନ୍ତି ବାଇପାସରେ ଉତ୍ତରପ୍ରଦେଶରୁ ୬୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଆସୁଥିବା ବସ୍ ରାସ୍ତାର ୬ ଫୁଟ୍ ତଳକୁ ଓଲଟି ପଡିଥିଲା । ଉଦ୍ଧାରକାରୀ ଦଳ, ପୋଲିସ, ପରିବହନ ଅଧିକାରୀ, ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ସ୍ଥଳରେ ତୁରନ୍ତ ପହଞ୍ଚି ସହାୟତା ପହଞ୍ଚାଇଥିଲେ । ପରିବହନ ଆୟୁକ୍ତ ଅମିତାଭ ଠାକୁର, ବାଲେଶ୍ୱର ଜିଲ୍ଲାପାଳ ଓ ଏସପିଙ୍କ ନେତୃତ୍ୱରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ
କରାଯାଇଥିଲା ।