କ୍ୟାବିନେଟ : ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ମଞ୍ଜୁରୀ
Odisha Cabinet

୫ ବର୍ଷରେ ଖର୍ଚ୍ଚ ହେବ ୧୪୨୩.୪୭ କୋଟି
ଉପକୃତ ହେବେ ୧୫ ଲକ୍ଷରୁ ଉଦ୍ଧ୍ୱର୍ ଚାଷୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏହି ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ପର୍ଯ୍ୟନ୍ତ ୧୪୨୩ କୋଟି ୪୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ରାଜ୍ୟର ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବା ସହ ୧୫ ଲକ୍ଷ ୪୭ ହଜାର ୮୩୭ ଜଣ ଗୋପାଳକଙ୍କ ଆୟ ବୃଦ୍ଧି ହୋଇପାରିବ ।
ଏହି ଯୋଜନାରେ ୮ଟି ଉପଯୋଜନା ରହିଛି । ମଇଁଷି ପାଳନ ଯୋଜନାରେ ୧୧୦ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟରେ ୬୩୩୭ ଚାଷୀ ଉପକୃତ ହେବେ । ସେହିପରି ଗୋପାଳନ ଯୋଜନାରେ ୪୭୬ କୋଟି ବ୍ୟୟରେ ୩୧ ହଜାର ୫୦୦ ଚାଷୀ, ଗୋସମ୍ପଦ ବୀମାଯୋଜନାରେ ୧୮୭.୪୨ କୋଟି ବ୍ୟୟରେ ୩ ଲକ୍ଷ ଚାଷୀ ଉପକୃତ ହେବାର ଲକ୍ଷ୍ୟ ରହିଛି । ଅପରପକ୍ଷରେ ବାଛୁରୀ ପାଳନ ଯୋଜନାରେ ୨୧୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ୭୫ ହଜାର ଚାଷୀ ଲାଭବାନ ହେବେ । ସେହିପରି ଦୁଗ୍ଧ ସମବାୟ ସମିତି ଅନ୍ତର୍ଗତ ଗୋପାଳକଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଜନାରେ ୧୬୬ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଯାହାଦ୍ୱାରା ୬ ଲକ୍ଷ ୨୫ ହଜାର ଚାଷୀ ଉପକୃତ ହେବେ । ଦୁଗ୍ଧ ଉତ୍ପାଦନ ପ୍ରତିଷ୍ଠାନଗୁଡ଼ିକର ସଶକ୍ତିକରଣ ପାଇଁ ୪୧ କୋଟି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏଥିରେ କୃତ୍ରିମ ପ୍ରଜନନ ପାଇଁ ଚାଷୀଙ୍କୁ ସହାୟତା ମିଳିବ । ଓମଫେଡ଼ର ସୁଦୃଢ଼ୀକରଣ ପାଇଁ ୨୫ କୋଟି ୫୨ ଲକ୍ଷ ଟଙ୍କା ନିବେଶ କରାଯିବ । ଏହାଛଡ଼ା ତୃଣ ଉତ୍ପାଦନ ଓ ସରକାରୀ ତୃଣ ଉତ୍ପାଦନ ଫାର୍ମର ସୁଦୃଢ଼ୀକରଣ ନିମନ୍ତେ ୨୦୦ କୋଟି ୬୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଯାହାଦ୍ୱାରା ୫ ଲକ୍ଷ ଚାଷୀ ଲାଭବାନ ହେବେ ।