ବିଜେଡି କରୁଛି ମିଶ୍ରଣ ପର୍ବ, କର୍ମୀଙ୍କୁ ଦେଉଛି ଗୁରୁ ମନ୍ତ୍ର
ଯଖପୁରା: ପ୍ରତ୍ୟେକ ସାଧାରଣ ନିର୍ବାଚନ ସମୟରେ ସମସ୍ତଙ୍କ ନଜର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଉପରେ ରହିଥାଏ । ସେ ପ୍ରାର୍ଥୀ ଘୋଷଣା ହେଉ କି ଫଳା ଫଳ ଘୋଷଣା । ସବୁ ସମୟରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଉପରେ ଲୋକମାନଙ୍କର ନଜର ଥାଏ । ବିଜୁ ଜନତା ଦଳ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣାରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରୀତିରଂଜନ ଘଡ଼ାଇଙ୍କ ନାମ ଘୋଷଣା କରିଛି । ପରେ ଭାରତୀୟ ଜନତା ପାର୍ଟି ମଧ୍ୟ ସୁକିନ୍ଦା ପାଇଁ ତାର ପ୍ରାର୍ଥୀ ଘୋଷଣା କରିସାରିଛି । ବର୍ତ୍ତମାନ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ତାତି ଦେଖିବାକୁ ମିଳିଲାଣି । ଗାଁ ଗଣ୍ଡା ଠାରୁ ଆରମ୍ଭ କରି ଦୋକାନ ବଜାର ରେ ନିର୍ବାଚନର ମାହୋଲ୍ ଦେଖିବାକୁ ମିଳୁଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଦଳ ଡିଆଁ ପର୍ବ ଠାରୁ ଆରମ୍ଭ କରି ମିଶ୍ରଣ ପର୍ବ ପୁଣି କର୍ମୀ ମାନଙ୍କୁ କେମିତି ନିର୍ବାଚନ ବୈତରଣୀ ପାର ହୋଇପାରିବ ସେଥିପାଇଁ ଗୁରୁମନ୍ତ୍ର ଦିଆଯାଉଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଦଶନ୍ଧି ଦଶନ୍ଧି ଧରି ପୂର୍ବରୁ ଜନତା ଦଳ ପରେ ବିଜୁ ଜନତା ଦଳ ହାତରେ ରହି ଆସିଛି । ପୂର୍ବରୁ ସୁକିନ୍ଦାର ବିଶ୍ୱକର୍ମା କୁହାଯାଉଥିବା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ଦବଦବା ରହିଥିବା ବେଳେ ଏବେ ତାଙ୍କର ପୁତ୍ର ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ପତିଆରା ରହିଛି । ନିର୍ବାଚନ ଲଢିବା ପାଇଁ ଉଭୟ ବିଜେଡି ଓ ବିଜେପି ଦଳ ନିଜ ନିଜର ରଣନୀତି ପ୍ରସ୍ତୁତି କରୁଛନ୍ତି । ବିଜେଡି ଦଳ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକ୍ର ସମସ୍ତ ୪୮ଟି ପଞ୍ଚାୟତରେ ବୁଥ କମିଟି ଗଠନ ଠାରୁ ଆରମ୍ଭ କରି ମିଶ୍ରଣ ପର୍ବ ଜାରି ରଖିଛି । ଦେଖିବାକୁ ଗଲେ ପ୍ରାୟ ପ୍ରତି ଦିନ ବିଜେଡି ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଅନେକ ପଞ୍ଚାୟତରେ ମିଶ୍ରଣ ପର୍ବ ଜାରି ରଖିଛି । ସୁକିନ୍ଦାରେ ବିଗତ ଦିନରେ ହୋଇଥିବା ବିକାଶର କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ବିଜେଡିକୁ ଭୋଟ ଦେବା ପାଇଁ ବୁଝାଉଛନ୍ତି । କର୍ମୀ ବୈଠକ କରି ଭୋଟର ମାନଙ୍କର ମନ ଜିଣିବାକୁ ଚେଷ୍ଟା କରୁଛନ୍ତି । ଖଣି ଅଞ୍ଚଳ ଠାରୁ ଆରମ୍ଭ କରି ନଈକୂଳ ପଞ୍ଚାୟତ ପୁଣି ଶିଳ୍ପାଞ୍ଚଳ ରେ ରହୁଥିବା ପଞ୍ଚାାୟତ ମାନଙ୍କ ଉପରେ ବିଜେଡିର ଫୋକସ ରହିଛି । ସାନ ଘଡ଼ାଇ ଠାରୁ ଆରମ୍ଭ କରି ବଡ଼ ଘଡ଼ାଇ ଉଭୟ ଲୋକମାନଙ୍କ ସହିତ ଆଲୋଚନା ପର୍ଯ୍ୟଲୋଚନା କରୁଛନ୍ତି । ପ୍ରତ୍ୟେକ ପଞ୍ଚାୟତର ମୁଖ୍ୟ ମୁଖ୍ୟ କର୍ମୀ ମାନଙ୍କୁ ଡାକି ଘନ ଘନ ଆଲୋଚନା କରୁଛନ୍ତି । ଦଳ କିପରି ସାଧାରଣ ନିର୍ବାଚନରେ ବଡ଼ ବ୍ୟବଧାନରେ ଜୟ ଲାଭ କରିପାରିବ ତା ଉପରେ ଗୁରୁତ୍ୱ ଦେଉଛନି ଉଭୟ ପିତା ପୁତ୍ର । ସେପଟେ ବିଜେପି ତାର ମଧ୍ୟ ରଣନୀତି କରୁଛି । ଦିନକୁ ଦିନ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି । ବିଜେପି ତାର ସଂଗଠନକୁ ସୁଦୃଢ କରିବା ପାଇଁ ମଧ୍ୟ ଚେଷ୍ଟା କରୁଛି । ଅସନ୍ତୁଷ୍ଟ ବିଜେଡି କର୍ମୀ ଉପରେ ବିଜେପି ବେଶୀ ନିର୍ଭର କରୁଥିବା ଦେଖିବାକୁ ମିଳୁଛି । ଦଳ ଏପର୍ଯ୍ୟନ୍ତ ତାର ସାଂଗଠନିକ ବୁଥ କମିଟି ଗଠନ କରିନାହିଁ । କଂଗ୍ରେସ କଥା ତ କିଛି ନଥିଲା ପରି ଲାଗୁଛି । ନା ଅଛି ସାଂଗଠନିକ କର୍ମୀ ସମ୍ମିଳନୀ ନା ବୁଥ କମିଟି ନା ବ୍ୟାପକ ପ୍ରଚାର ପ୍ରସାର । ଏ ପର୍ଯ୍ୟନ୍ତ ଦଳ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ପ୍ରାର୍ଥୀକୁ ନେଇ କଂଗ୍ରେସ ଆଶଙ୍କା ଭିତରେ ରହିଛି । ସାଧାରଣ ନିର୍ବାଚନ ପାଇଁ ଦଳ ରଣନୀତି କରିବ କଣ ନିଜ ଭିତରେ ପ୍ରାର୍ଥୀକୁ ନେଇ ଟଣାଓଟରା ଲାଗିରହିଛି । ପୂର୍ବରୁ ବିଗତ ନିର୍ବାଚନ ରେ କଂଗ୍ରେସ ଦଳ ତରଫରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ହେଉଥିବା ଶରତ ରାଉତ ପ୍ରାର୍ଥୀ ନ ହେବା ପାଇଁ ଘୋଷଣା କରିସାରିଛନ୍ତି । ଯାହା ଦଳ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ଦେଖିବାକୁ ଗଲେ ବିଜେଡି ସର୍ବାଗ୍ରେ ରହି ନିର୍ବାଚନ ପାଇଁ ତାର ସବୁ ସ୍ତରରୁ ସଂଗଠନ କରୁଛି । ବିଜେଡି ପ୍ରାର୍ଥୀ ପ୍ରୀତିରଂଜନ ପଞ୍ଚାୟତ ପଞ୍ଚାୟତ ବୁଲି ମିଶ୍ରଣ ପର୍ବ କରୁଥିବା ସମୟରେ ତାଙ୍କ ପିତା ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ଡାକି ତାଙ୍କ ସହିତ ଆଲୋଚନା କରି ବୁଥ କମିଟି ଗଠନ କରୁଥିବାର ଦେଖିବାକୁ ମିଳୁଛି । ଉଭୟ ପିତା ପୁତ୍ର ନିର୍ବାଚନ ପାଇଁ ବେଶ୍ ତତ୍ପର ଥିବା ପରି ମନେ ହେଉଛି । ବିଗତ ଦିନର ଅଭିଜ୍ଞତାକୁ ପାଥେୟ କରି କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେଉଛନ୍ତି । ଦିନକୁ ଦିନ ଦଳ କିପରି ମଜବୁତ୍ ହେବ ସେଥିପାଇଁ ରଣନୀତି ପ୍ରସ୍ତୁତି କରୁଛନ୍ତି ।ଗଲା ପଞ୍ଚାୟତ ନିର୍ବାଚନରେ ଦଳ ଯେଉଁଠି ଖରାପ ପ୍ରଦର୍ଶନ କରିଛି ସେଥିପ୍ରତି ଅଧିକ ଧ୍ୟାନ ଦେବା ପାଇଁ ରଣନୀତି ହେଉଛି । ନିଜ ଦଳର କର୍ମୀ ଙ୍କୁ ସଂଘବଦ୍ଧ ଭାବେ ଲଢିବା ପାଇଁ ଉତ୍ସାହିତ କରୁଛନ୍ତି । କର୍ମୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ଦାଇତ୍ୱ ଦେଉଛନ୍ତି । ଯେଉଁ କର୍ମୀ ମାନେ କୌଣସି କାରଣରୁ ମନ ଉଣା କରି ରହିଛନ୍ତି ସେମାନଙ୍କୁ ବୁଝାଇବା ପାଇଁ ଗୁରୁତ୍ୱ ଦିଆଯାଉଛି ।