ଟିଓଟି କାର୍ଯ୍ୟକ୍ରମ ଉଦ୍ୟାପିତ
କଳିଙ୍ଗନଗର: ଟାଟା ଷ୍ଟିଲ କଳିଙ୍ଗନଗରର ସୁରକ୍ଷା ବିଭାଗ ପକ୍ଷରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ ଓ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଟିଏସକେର ଅଡିଟୋରିୟମ୍, ପ୍ଲଟ୍ ୨ ଠାରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏକ ଛଅ ଦିନିଆ ‘ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ’ଉଦଯାପିତ ହୋଇଯାଇଛି । ଟିଏସକେର ଉପ-ସଭାପତି ଅପରେସନ୍ସ ରାଜୀବ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧରେ ଏନଆଇଏନଏଲର ପରିଚାଳନା ନିଦେ୍ର୍ଦଶକ ତଥା ମୁଖ୍ୟ ପରିଚାଳନା ଅଧିକାରୀ ସୁଧୀର ମେହେତା, ଟିଏସକେର ହଟ୍ ଷ୍ଟ୍ରିପ୍ ମିଲ୍ ମୁଖ୍ୟ ତୁହିନ୍ ଚାଟାର୍ଜୀ, ଟିଏସକେର କର୍ପୋରେଟ୍ ସେବା ମୁଖ୍ୟ ଦେବଦୂତ ମହାନ୍ତି, ଏବଂ ଏନଆଇଏନଏଲର ଅପରେସନ୍ସ ଏବଂ ମେଣ୍ଟେନାନ୍ସ ମୁଖ୍ୟ ଭିନୀତ ରଂଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଟିଏସକେ ଏବଂ ଟିଏସମର ସୁରକ୍ଷା ମୁଖ୍ୟ ପ୍ରକାଶ ସଂଜୟ ମୁଖ୍ୟ ସଂଯୋଜକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଟିଏସକେର ସୁରକ୍ଷା ମୁଖ୍ୟ ମୁକୁଲ କୁମାର ସମେତ ଟିଏସକେ ସୁରକ୍ଷା ବିଭାଗର ଅନ୍ୟ ସଦସ୍ୟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଭାବେ ଦାୟିତ୍ୱ ତୁଲାଇଥିଲେ । ଜାମସେଦପୁର, କଳିଙ୍ଗନଗର, କଞ୍ଚାମାଲ ଅବସ୍ଥାନ । ମେରାମଣ୍ଡଳି ଏବଂ ଏନଆଇଏନଏଲର ଭଳି ଟାଟା ଷ୍ଟିଲ୍ ବିଭିନ୍ନ ସ୍ଥାନରୁ ଯୋଗଦେଇଥିବା ୪ ମହିଳା ଅଧିକାରୀ ସମେତ ୪୨ ଅଧିକାରୀ ତାଲିମ କାର୍ଯ୍ୟକ୍ରମକୁ ସଫଳତାର ସହ ସମାପ୍ତ କରି ଏନଡିଆରଏଫ୍ ଦ୍ୱାରା ଜାରି ପ୍ରମାଣପତ୍ର ସହିତ ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମର ପ୍ରଭାବଶାଳୀ ଯୋଗଦାନ ପାଇଁ କଟକର ମୁଣ୍ଡୁଳିର ତୃତୀୟ ବାଟାଲିୟନ ଏନଡିଆରଏଫ ଦଳକୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବିପର୍ଯ୍ୟୟ ପରିଚାଳନା ଉପରେ ଏକ ମକ୍ ଡ୍ରିଲ୍ ଆୟୋଜିତ ହୋଇଥିଲା ।