ଯାଜପୁର ଲୋକସଭା: କାହା ସପକ୍ଷରେ ଯିବ ଜନମତ
ଯାଜପୁରରୁ ଶରତ ପଥାଳ
ମୁଣ୍ଡ ଉପରେ ଅଷ୍ଟାଦଶ ଲୋକସଭା ନିର୍ବାଚନ । ମାତ୍ର ୧୫ଟା ଦିନ ପରେ ହେବ ଭୋଟ । ଭାଗ୍ୟ ପରୀକ୍ଷା କରିବାକୁ ଓହ୍ଲାଇଥିବା ପ୍ରାର୍ଥୀ ହେଉଛନ୍ତି ଭୋଟରଙ୍କ ଦ୍ୱାରସ୍ତ । ଦଳୀୟ ପ୍ରାର୍ଥୀ ଦଳର ପ୍ରତିଶ୍ରୁତି ନେଇ ଭୋଟରଙ୍କୁ ଭେଟି ମାଗୁଛନ୍ତି ଭୋଟ । ଯାଜପୁର ଜିଲାର ସଚେତନ ଭୋଟର ଗୁଣିଗ୍ୟାନିଙ୍କୁ ନିର୍ବାଚିତ କରି ସଂସଦକୁ ପଠାଇଛନ୍ତି । ୨୪ ନିର୍ବାଚନ ପାଇଁ ମଇଦାନ ସରଗରମ ହୋଇଛି । ନିର୍ବାଚନରେ ଅଂଶ ଗହଣ କରିବାକୁ ଅନେକ ଆଗେଇ ଆସିଥିଲେ ବିଜେଡ଼ି-ବିଜେପି ଏବଂ କଂଗ୍ରେସ ପରି ତିନୋଟି ପମୂଖ ରାଜନୈତିକ ଦଳର ନେତାନେତ୍ରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଛି । ବିଜେଡ଼ିରୁ ଶର୍ମିଷ୍ଠା ସେଠୀ, ବିଜେପିରୁ ରବୀନ୍ଦ୍ର ନାରାୟଣ ବେହେରା, କଂଗ୍ରେସରୁ ଅଞ୍ଚଳ ଦାସ ନିର୍ବାଚନ ଲଢୁଛନ୍ତି ।
ଯାଜପୁର ବିଜେଡ଼ିର ଗଡ଼ ହୋଇଥିଲେ ହେଁ ଏଠାକାର ଇତିହାସ ଲେଉଟାଇଲେ ଭୋଟର କଂଗ୍ରେସ, ଲୋକଦଳ, ଜନତା ଦଳ ପ୍ରାର୍ଥୀଙ୍କୁ ବିଜୟଟିକା ପିନ୍ଧାଇ ସଂସଦକୁ ପଠାଇଛନ୍ତି । ଚଳିତ ନିର୍ବାଚନରେ କଂଗ୍ରେସ ଅଭିଜ୍ଞ ବା ଅଞ୍ଚଳ ଦାସଙ୍କୁ ପ୍ରାର୍ଥୀ କରିଛି । ଜନତା ଦଳରୁ ୧୯୯୬ରେ ନିର୍ବାଚନ ଲଢି ବିଜୟୀ ହୋଇଥିବା ଅଞ୍ଚଳ ଶିକ୍ଷକତାରୁ ରାଜନୀତିରେ ପ୍ରବେଶ କରିଥିଲେ । ଯାଜପୁରରେ ତାଙ୍କର ଲୋକପ୍ରିୟତା ବି ରହିଛି । ୨୦ ବର୍ଷର ରାଜନ÷ତି ଭିତରେ ଅଞ୍ଚଳ ବିଧାନସଭା ନିର୍ବାଚନ ଠାରୁ ଲୋକସଭା ଯାଏ ନିର୍ବାଚନ ଲଢି ବିଜୟ ଓ ପରାଜୟର ସ୍ୱାଦ ଚାଖିଛନ୍ତି । ନିର୍ବାଚନମଣ୍ଡଳୀରୁ ନିର୍ବାଚନ ମଣ୍ଡଳୀକୁ ଯାଇ ଦଳୀୟ କର୍ମୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଭେଟୁଛନ୍ତି । ଭୋଟରଙ୍କ ନିକଟତର ହୋଇ ଭୋଟ ମାଗୁଛନ୍ତି । ଭୋଟର ନିଶ୍ଚିନ୍ତ ଆର୍ଶିବାଦ କରିବେ ଏବଂ ସେ ସୁନିଶ୍ଚିନ୍ତ ଜିତିବେ ଏଭଳି ବିଶ୍ୱାସ କର୍ମୀଙ୍କୁ ଦେଇଚାଲିଛନ୍ତି । ଯାଜପୁର ଜିଲାରେ ବିଜେପି ଖାତାଖୋଲିବା ଲକ୍ଷ୍ୟରେ ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ପ୍ରାର୍ଥୀ କରିଛି । ରବୀନ୍ଦ୍ର ରାଜନୀତିରେ ନବାଗତ । ଚାକିରୀରୁ ଅବସର ନେଇ ଗଲା ୩ବର୍ଷ ହେଲା ବିଜେପି ବୈଠକମାନଙ୍କରେ ସାମିଲ ହୋଇ ରାଜନୀତି ପାଠ ପଢା ଆରମ୍ଭ କରିଥିଲେ । ପଢିଥିବା ପାଠର ପରୀକ୍ଷା ଦେବାକୁ ଦଳ ତାଙ୍କୁ ଦେଇଛି ସୁଯୋଗ । ରବୀନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟିକୁ ବେଶି ଭରସା କରିଛନ୍ତି । ଯାଜପୁର ଜିଲାରେ ପଦ୍ମ ଫୁଟାଇବାକୁ ଲାଗିପଡ଼ିଛନ୍ତି । ମୋଦିଙ୍କ ଚାର ଶୋ ପାର୍ ଲକ୍ଷ୍ୟକୁ ସାଧନ କରିବାକୁ ରବୀନ୍ଦ୍ର ଚା’ ଖଟି, ସଭାସମିତି, ମେଳା ମହୋସôବରେ ସାମିଲ ହେବା ସହ ଭୋଟରଙ୍କୁ ଭେଟି ପଦ୍ମରେ ଭୋଟଦେବାକୁ ନିବେଦନ କରୁଛନ୍ତି । ହେଲେ ରାଜନୀତିରେ ନୂଆ ରବୀନ୍ଦ୍ର ସବୁବର୍ଗଙ୍କ ପାଖରେ ପହଞ୍ଚିବା ତ ଦୂରର କଥା ନିଜ ଦଳର ଛାମୁଆ ସଂଗଠକଙ୍କୁ ମଧ୍ୟ ଭେଟିବା ପାରୁ ନାହାନ୍ତି । ମୋଦି ଗ୍ୟାରେଣ୍ଟି ଉପରେ ଅଧିକ ଭରସା କରି ରବୀନ୍ଦ୍ର ନିର୍ବାଚନ ଲଢୁଛନ୍ତି । ବିଜେଡ଼ି ଦ୍ୱିତୀୟବାର ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରିଛି । ପାଞ୍ଚବର୍ଷ ତଳେ ଚାକୀରୀରୁ ଅବ୍ୟାହତି ନେଇ ରାଜନୀତିରେ ପ୍ରବେଶ କରିଥିବା ଶର୍ମିଷ୍ଠା ଶଙ୍ଖଚିହ୍ନ, ନବୀନ ଲୋକପ୍ରିୟତା, ବିଧାୟକ ପ୍ରାର୍ଥୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ଉପରେ ଭରସା କରିଛନ୍ତି । ଶର୍ମିଷ୍ଠା ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ଭୋଟରଙ୍କୁ ଭେଟିବା ବେଳେ ପାଞ୍ଚବର୍ଷରେ କରିଥିବା କାର୍ଯ୍ୟ ଏବଂ ଆଗକୁ କ’ଣ କରିବେ, ତାର ପ୍ରତିଶ୍ରୁତି ଦେଉଛନ୍ତି । ଏଭଳି ଭାବେ ବିଜେଡ଼ି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ରଣାଗନରେ ଅବତୀର୍ଣ୍ଣ ହୋଇଥିବା ବେଳେ ଭୋଟର କେଉଁ ଚିହ୍ନ ଏବଂ କାହାକୁ ପସନ୍ଦ କରିବେ ତାହାକୁ ନେଇ ଅବଗଣନା ଚାଲିଛି ।
ସୂଚନା ଥାଉକି ଯାଜପୁର ଏକକ ନିର୍ବାଚନମଣ୍ଡଳୀ ଭାବେ ପରିଗଣିତ ହେବା ପରେ ୧୯୬୨ ମସିହାରେ ଜିଲାବାସୀ ନିଜର ମତଦାନ ସାବ୍ୟସ୍ଥ କରିଥିଲେ । ବିଂଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର କୋରେଇ ଓ ସୁକିନ୍ଦାକୁ ନେଇ ଗଠିତ ଯାଜପୁର ନିର୍ବାଚନମଣ୍ଡଳୀ ଦଳିତଙ୍କ ପାଇଁ ସଂରକ୍ଷିତ ହୋଇଥିଲା । ମତଦାତା ଯାଜପୁରରୁ ପ୍ରତିନିଧିତ୍ୱ ପାଇଁ ପ୍ରଥମ ପ୍ରତିନିଧି ଭାବେ କଂଗ୍ରେସର ରାମଚନ୍ଦ୍ର ମଲିକଙ୍କୁ ନିର୍ବାଚିତ କରିଥିଲେ । ରାମଚନ୍ଦ୍ର ପିଏସପିର ବୈଷ୍ଣବ ମଲିକ୍ଙ୍କ ଠାରୁ ୩୫୬୯୭ ଭୋଟରେ ବିଜୟୀ ହୋଇଥିଲେ । ଶ୍ରୀଯୁକ୍ତ ମଲିକ୍ ପରେ ପରେ୧୯୭୭ରେ ଭାରତୀୟ ଲୋକଦଳ ୧୯୯୮ ଆଇଏନସିରୁ ବିଜୟୀ ହୋଇଥିଲେ । ସେଇପରି ସର୍ବାଧିକ ୫ଥର ସଂସଦକୁ ଯିବାର ସୈାଭାଗ୍ୟ ଅର୍ଜନ କରିଥିବା ଅନାଦି ଚରଣ ଦାସ ୧୯୭୧ରେ ଆଇଏନସି୧୯୮୦, ଆଇଏନସି୧୯୮୪, ଆଇଏନସିରୁ ନିର୍ବାଚିତ ହୋଇଥିବା ବେଳେ୧୯୮୯ ଓ ୧୯୯୧ରେ ଜନତା ଦଳରୁ ଲଢି ବିଜୟ ହୋଇଥିଲେ । ମୋହନ ଜେନା ୨୦୦୪ ଓ ୨୦୦୯ରେ ବିଜେଡ଼ିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ଥରେ କରି ଲୋକ ସଭାକୁ ଯାଇଥିବା ସାଂସଦଙ୍କ ମଧ୍ୟରେ ରହିଥିବା ବାଇଧର ବେହେରା ୧୯୬୭ନିିର୍ବାଚନରେ ଆଇଏନସିର ରାମଚନ୍ଦ୍ର ମଲିକଙ୍କୁ ହରାଇ ବିଜୟୀ ହୋଇଥିଲେ । ସେଇପରି ଶିକ୍ଷତକାରୁ ରାଜନୀତି ମଇଦାନକୁ ଓହ୍ଲାଇଥିବା ଅଞ୍ଚଳ ଦାସ ଜନତା ଦଳରୁ ପ୍ରାର୍ଥୀ ହୋଇ ଆଇଏନସିର ଅନାଦି ଦାସଙ୍କୁ ହରାଇ ଲୋକ ସଭା ଯିବାକୁ ସମର୍ଥ ହୋଇଥିଲେ । ୧୯୯୯ ମସିହା ନିର୍ବାଚନରେ ଆଇଏନସିର ରାମ ଚନ୍ଦ୍ର ମଲିକଙ୍କୁ ହରାଇ ବିଜେଡ଼ିର ଜଗନ୍ନାଥ ମଲିକ୍ ସଂସଦକୁ ଯାଇଥିଲେ । ୨୦୧୪ରେ ବିଜେଡ଼ିର ରୀତା ତରାଇ, ୨୦୧୯ରେ ଶର୍ମିର୍ଷ୍ଠା ସେଠୀ ବିଜୟୀ ହୋଇଥିଲେ । ୨୦୦୪ରୁ ଅଧୁନା ବିଜେଡ଼ି ଯାଜପୁର ଜୟ କରି ଆସୁଛି । ୨୪ ଫଳାଫଳ କ’ଣ ହେବ, ତାହା ୧୫ଲକ୍ଷ ଭୋଟରଙ୍କ ଉପରେ ହିଁ ନିର୍ଭର କରୁଛି ।