ନିର୍ବାଚନ ଯୁଦ୍ଧରେ ହେଭିୱେଟ, ନବୀନଙ୍କ ନିଶାନରେ ପଶ୍ଚିମ ଓଡିଶା

ନିର୍ବାଚନ ଯୁଦ୍ଧରେ ହେଭିୱେଟ, ନବୀନଙ୍କ ନିଶାନରେ ପଶ୍ଚିମ ଓଡିଶା


ଖରା ତାତି ସହ ଓଡିଶାରେ ବଢିଚାଲିଛି ରାଜନୈତିକ ଉଷ୍ମତା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥôପାତ୍ର ଦାଖଲ ପ୍ରକ୍ରିୟା  ଶେଷ ହୋଇଥିବା ବେଳେ ବୁଧବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାରକୁ ଓହ୍ଲାଇଛନ୍ତି । ସେ ହିଞ୍ଜିଳିରୁ ତାଙ୍କର ପ୍ରଥମ ପ୍ରଚାର ଆରମ୍ଭ କରିଛନ୍ତି । ଠିକ ଏହାର ଦିନକ ପରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଗୁରୁବାର ଓଡିଶା ଗସ୍ତରେ ଆସି ସୋନପୁରରୁ ବିଜେପି ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଏଥର ବିଜେଡି ସରକାରକୁ ଗାଦିଚୁ୍ୟତ କରି ଓଡିଶା ଦଖଲ ଲକ୍ଷ୍ୟରେ ରହିଛି ବିଜେପି । ଏଥର ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିବ କାଣ୍ଟେ କି ଟକ୍କର  । ତେବେ ଏଥର ପଶ୍ଚିମଓଡିଶା ନିର୍ବାଚନ ଯୁଦ୍ଧରେ  ଅବତୀର୍ଣ୍ଣ ହୋଇଛନ୍ତି  ତିନି ଦଳର ହେଭିୱେଟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ  ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇଛନ୍ତି ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ସେହିପରି ହିଞ୍ଜିଳି ବ୍ୟତୀତ କଣ୍ଟାବାଞ୍ଝôରୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଂଗ୍ରେସ ପିସିସି ସଭାପତି ନୂଆପଡାରୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସର ଭେଟରାନ ଭକ୍ତ ଦାସ ନର୍ଲାରୁ ପ୍ରାର୍ଥୀ ହୋଇଛନ୍ତି । ତେଣୁ ଏଠାରେ ବିଜେପି ଓ କଂଗ୍ରେସର ରଣନୀତିକୁ ମାତ ଦେବା ପାଇଁ  ନବୀନଙ୍କ ନିଶାନରେ ରହିଛି ପଶ୍ଚିମ ଓଡିଶା । ପଶ୍ଚିମ ଓଡିଶାବାସୀଙ୍କ ବିଭିନ୍ନ ସମସ୍ୟା ଓ ଦାବି ରହିଥିବା ବେଳେ ବିକାଶ ହିଁ ରହିଛି ଏଠାରେ ମୁଖ୍ୟ ମୁଦ୍ଦା । 
ଯଦି ଆମେ ଦେଖିବା ପଶ୍ଚିମ ଓଡିଶାର ୧୦ଜିଲ୍ଲାରେ ୫ଟି ଲୋକସଭା ଆସନ ରହିଛି । ଏହାର ଅଧୀନରେ ରହିଛି ୩୫ ଟି ବିଧାନସଭା ଆସନ । ୨୦୧୯ ନିର୍ବାଚନରେ ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, ସମ୍ବଲପୁର ଓ କଳାହାଣ୍ଡି ଏମପି ସିଟକୁ ବିଜେପି  ପୋଛି ନେଇଥିବା ବେଳେ ୩୫ ଏମଏଲଏ ସିଟରୁ ବିଜେଡି ୨୨, ବିଜେପି ୮, କଂଗ୍ରେସ ୪ ଓ ସିପିଏମ ଗୋଟାଏ  ଆସନରେ ବିଜୟୀ ହୋଇଥିଲେ । ପଶ୍ଚିମ ଓଡିଶାର ବିକାଶ ଓ ଲୋକଙ୍କ ଜୀବନଜୀବିକା ଏଠାକାର ଲୋକଙ୍କ ମୁଖ୍ୟ ସମସ୍ୟା ଥିବା ବେଳେ  ରାଜଧାନୀ ଭୁବନେଶ୍ୱରରୁ ଏ ଅଞ୍ଚଳର ଦୂରତା ୩ଶହରୁ ୫ଶହ କିମି ରହିଛି । ସେଥିପାଇଁ ଏ ଅଞ୍ଚଳର ବିକାଶ  ଉପକୂଳ ଜିଲ୍ଲା ତୁଳନାରେ ବହୁ ପଛରେ ପଡିଛି । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ନେଇ ବହୁବାର ଏଠାରେ ଆନେ୍ଦାଳନ ମୁଣ୍ଡ ଟେକିଛି । ଏ ନେଇ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ରାଜରାମ ପାଢୀଙ୍କ କହିବା କଥା, ଯେହେତୁ ଚଳିତ ନିର୍ବାଚନରେ ଏ ଅଞ୍ଚଳରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି  । ଏ ଅଞ୍ଚଳରେ ଥିବା ମୁଖ୍ୟ ସମସ୍ୟାଗୁଡିକ ପ୍ରତି ନିଶ୍ଚିତ ଭାବେ ଧ୍ୟାନ ଦେବେ । ତେବେ ନିକଟ ଅତୀତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏଠାରେ କରାଯାଇଛି ।  ସେଥିମଧ୍ୟରେ ରହିଛି ଆଇଆଇଏମ ସମ୍ବଲପୁର । ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହା ପ୍ରତିଷ୍ଠା ହୋଇଥିଲା । ଯାହା ସମ୍ବଲପୁରର ଗୌରବକୁ ତ୍ୱାରାନ୍ୱିତ କରିଛି । ସେହିପରି ଚାରି ଥାକ ବିଶିଷ୍ଟ ୫୫୦ କିମି ରାସ୍ତା ଯାହା ସୁନ୍ଦରଗଡର ରାଉରକେଲାରୁ କଳାହାଣ୍ଡିର ଆମପାଣି ପର୍ଯ୍ୟନ୍ତ ବିଜୁ ଇକ୍ନୋମିକ କରିଡର ଭାବେ ପରିଚିତ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୩ ମାର୍ଚ୍ଚରେ ଉଦଘାଟିତ ହୋଇଛି । ଏହାସହିତ ବରଗଡ ଓ ବଲାଙ୍ଗୀରରେ ରାଜ୍ୟ ସରକାରଙ୍କ ଦ୍ୱାରା ବୃହତ ଜଳସେଚନ ଯୋଜନା, ଝାରସୁଗୁଡା ଓ ରାଉରକେଲାରେ ବିମାନବନ୍ଦର କାର୍ଯ୍ୟକ୍ଷମ, ରାଉରକେଲାରେ ବିଶ୍ୱସ୍ତରୀୟ ଷ୍ଟାଡିୟମ ଆଦି ନିର୍ମାଣ କିଛି ମାତ୍ରାରେ ଆଞ୍ଚଳିକ ଅସମାନତାକୁ ଦୂର କରିଥିବା ବେଳେ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଶିଳ୍ପ ଭଳି ବିକାଶରେ ଉପକୂଳ ଜିଲ୍ଲାଠାରୁ ପଛରେ ରହିଛି । ଏହାସହିତ ଛତିଶଗଡ ସହ ଦୀର୍ଘଦିନର ମହାନଦୀ ଜଳ ବିବାଦ, ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା, ଡବ୍ଲୁ୍ୟଓଡିସିର ହେଡ କ୍ୱାର୍ଟର ଭୁବନେଶ୍ୱର ବଦଳରେ ପଶ୍ଚିମଓଡିଶାରେ ସ୍ଥାପନ ଓ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନର କାମ ତୁରନ୍ତ ସାରିବା ଦାବି । 
ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ରଙ୍କ କହିବା କଥା,  ୨୦୧୯ରେ ନବୀନ ବାବୁ ହିଞ୍ଜିଳି ସହ ବିଜେପୁରରୁ ମଧ୍ୟ ପ୍ରାର୍ଥୀ ହୋଇଥିଲେ । ଏଥର ମଧ୍ୟ ସମାନ ରଣନୀତିକୁ ଆପଣାଇଛନ୍ତି ନବୀନ ବାବୁ । ହିଞ୍ଜିଳି ସହ କଣ୍ଟାବାଞ୍ଝôରୁ ପ୍ରାର୍ଥୀ ହୋଇଛନ୍ତି । ଲୋକସଭା ଫଳାଫଳକୁ ନେଇ ବିଜେଡି ଯେତିକି ଚିନ୍ତିତ ନୁହେଁ ଏ ଅଞ୍ଚଳରୁ କିପରି ଅଧିକ ବିଧାନସଭା ଆସନ ଜିତିବ ସେ ନେଇ ନବୀନ ବାବୁ ଏଠାରୁ ନିର୍ବାଚନ ଲଢୁଛନ୍ତି । ଦିନ ଥିଲା କଳାହାଣ୍ଡି-ବଲାଙ୍ଗୀର-କୋରାପୁଟ ଅଞ୍ଚଳ ଦାରିଦ୍ର୍ୟତା ପାଇଁ ବେଶ ପରିଚିତ ଥିଲା । ତେଣୁ ନବୀନ ବାବୁ ବଲାଙ୍ଗୀର ଜିଲ୍ଲାରୁ ପ୍ରାର୍ଥୀ ହୋଇ ଓଡିଶାର ରୂପାନ୍ତରିତ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏଠାରୁ କିଏ ମାରୁଛି ବାଜି ।