ବିଜେପିର ନୂଆ ନ୍ୟାରେଟିଭ୍‌ ‘ଜିତିଲେ ହେବେ କେନ୍ଦ୍ରମନ୍ତ୍ରୀ’

ବିଜେପିର ନୂଆ ନ୍ୟାରେଟିଭ୍‌ ‘ଜିତିଲେ ହେବେ କେନ୍ଦ୍ରମନ୍ତ୍ରୀ’

ଜିତିଲେ ହେବେ କେନ୍ଦ୍ରମନ୍ତ୍ରୀ  । ତେଣୁ ଭୋଟ ଅନ୍ୟକୁ ଦେଇ କିଛି ଲାଭ ନାହିଁ  । ଆମ ଅଞ୍ଚଳର ଜଣେ କେନ୍ଦ୍ରମନ୍ତ୍ରୀ ହେଲେ ନୂଆ ପ୍ରକଳ୍ପ ହେବ, ବିକାଶ ଦୌଡ଼ିବ, ନିଯୁକ୍ତି ମିଳିବ  । ଏବେ ବିଜେପି କାର୍ଯ୍ୟକର୍ତ୍ତାମାନେ ଏଭଳି କହି ଜନମତକୁ ଆକର୍ଷିତ କରିବାକୁ ଉଦ୍ୟମ କରୁଛନ୍ତି  । ବିଶେଷକରି ସମ୍ବଲପୁର, କେନ୍ଦ୍ରାପଡ଼ା, ଭୁବନେଶ୍ୱର, କଟକ ଓ ପୁରୀରେ ଏଭଳି ଚର୍ଚ୍ଚା ଜୋର ଧରିବାରେ ଲାଗିଛି  ।
ସମ୍ପ୍ରତି ଏହି ୫ ଲୋକସଭା ଆସନ ଉପରେ ଏବେ ସମସ୍ତଙ୍କ ନଜର ରହିଛି  । ସମ୍ବଲପୁରରୁ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଦୁଇ ଦୁଇ ଥର ସେ କେନ୍ଦ୍ରମନ୍ତ୍ରୀ ହୋଇସାରିଛନ୍ତି  । ଲୋକସଭାକୁ ଥରେ ଓ ରାଜ୍ୟସଭାକୁ ଦୁଇଥର ମଧ୍ୟ ନିର୍ବାଚିତ ହୋଇଛନ୍ତି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ଘନିଷ୍ଠ ସମ୍ପର୍କ ଥିବାରୁ ଧର୍ମେନ୍ଦ୍ରଙ୍କର କେନ୍ଦ୍ର ରାଜନୀତିରେ ଢେର ଦବଦବା ରହିଛି  । ତେଣୁ ଧର୍ମେନ୍ଦ୍ରଙ୍କୁ ଭୋଟ ଦେଇ କେନ୍ଦ୍ରମନ୍ତ୍ରୀ କରାନ୍ତୁ ବୋଲି ସମ୍ବଲପୁରରେ ବିଜେପି କାର୍ଯ୍ୟକର୍ତ୍ତାମାନେ ପ୍ରଚାର କରୁଛନ୍ତି  । 
ସେହିପରି କେନ୍ଦ୍ରାପଡାରୁ ଲଢୁଛନ୍ତି ବୈଜୟନ୍ତ ପଣ୍ଡା  । ଦୁଇଥର ରାଜ୍ୟସଭା ଓ ଦୁଇଥର ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି  । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ସହ ବିଭିନ୍ନ ରାଜ୍ୟର ପ୍ରଭାରୀ ବି ହୋଇଛନ୍ତି  । ରାଷ୍ଟ୍ରୀୟସ୍ତରରେ ତାଙ୍କର ବେଶ ଖାତିର ଥିବାରୁ ସେ ଜିତିଲେ କେନ୍ଦ୍ରମନ୍ତ୍ରୀ ହେବା ନିଶ୍ଚିତ ବୋଲି ତାଙ୍କର ସମର୍ଥକମାନେ ଲୋକଙ୍କୁ ବୁଝାଇବାରେ ଲାଗି ପଡ଼ିଛନ୍ତି  ।
କଟକରୁ ଏଥର ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଭର୍ତ୍ତୃହରି ମହତାବ  । ସେ ୬ ଥର ବିଜେଡ଼ିରୁ ସାଂସଦ ହୋଇଥିବାବେଳେ ଏଥର କିନ୍ତୁ ବିଜେପିରୁ ଲଢୁଛନ୍ତି  । ଜଣେ ଭଲ ପାର୍ଲାମେଣ୍ଟାରିଆନ୍‌ ଭାବେ ତାଙ୍କର ଦିଲ୍ଳୀରେ ଖ୍ୟାତି ରହିଛି  । ମୋଦି ଓ ଶାହା ବି ତାଙ୍କୁ ପ୍ରଶଂସା କରିବାର ନଜିର ରହିଛି  । ଦୀର୍ଘଦିନର ଅଭିଜ୍ଞତା ଯୋଗୁଁ ମୋଦିଙ୍କ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ହେବେବୋଲି ବି କଟକରେ ଚର୍ଚ୍ଚା ଘୂରିବୁଲୁଛି  ।
ପୁରୀରୁ ଲଢୁଥିବା ସମ୍ବିତ ପାତ୍ର ବିଜେପିର ତୁଣ୍ଡ ପାଲଟି ଯାଇଛନ୍ତି  । ରାଜ୍ୟର ଯେତେ ବିଜେପି ନେତା ଅଛନ୍ତି ସେମାନଙ୍କ ଠାରୁ ସମ୍ବିତଙ୍କର ସାମାଜିକ ଗଣମାଧ୍ୟମରେ ଫଲୋଅର ସଂଖ୍ୟା ଅଧିକ  । ଜାତୀୟସ୍ତରରେ ବି ତାଙ୍କର ବେଶ ସୁଖ୍ୟାତି ରହିଛି  । ପୁରୀରୁ ସେ ଜିତିଲେ କେନ୍ଦ୍ରମନ୍ତ୍ରୀ ହେବା ଥୟ ବୋଲି ତାଙ୍କର ସହଯୋଗୀମାନେ ଲୋକଙ୍କୁ ବୁଝାଉଛନ୍ତି  ।
ଓଡ଼ିଶା ବିଜେପିର ବଡ଼ ନେତ୍ରୀ ହେଉଛନ୍ତି ଅପରାଜିତା ଷଡ଼ଙ୍ଗୀ  । ଗତଥର ମଧ୍ୟ ସେ କେନ୍ଦ୍ରମନ୍ତ୍ରୀ ରେସ୍‌ରେ ରହିଥିଲେ  । ଏଥର ଜିତିଲେ ମହିଳା କୋଟାରେ ସେ ମନ୍ତ୍ରୀ ହେବା ନିଶ୍ଚିତ  । ତେଣୁ ତାଙ୍କୁ ଜିତାଇବାକୁ କାର୍ଯ୍ୟକର୍ତ୍ତାମାନେ ଅନୁରୋଧ କରୁଛନ୍ତି  ।
ଏସବୁ ଉଲ୍ଲେଖ କରିବାର କାରଣ ହେଉଛି, ଏହି ୫ ସ୍ଥାନରେ ଜୋରଦାର ଟକ୍କର ହେଉଛି  । ୩୦ରୁ ୪୦ ହଜାର ଭୋଟରେ ହାରଜିତର ଫଇସଲା ହେବବୋଲି ଆକଳନ କରାଯାଉଛି  । ଅନେକ ସମୟରେ ଭୋଟରମାନେ ହେଭିୱେଟ ନେତାଙ୍କୁ ମତଦାନ କରିବାର ନଜିର ରହିଛି  । ନିଜ ସାଂସଦ କେନ୍ଦ୍ରମନ୍ତ୍ରୀ ହେଲେ କର୍ମୀମାନେ ବି ଫାଇଦା ପାଇବାର ଆଶା ରଖିଥା’ନ୍ତି  । ବେଳେବେଳେ ଏଭଳି ନ୍ୟାରେଟିଭ ବି ବିଜୟ ଆଣିପାରେ  । ଅବଶ୍ୟ ବିଜେଡ଼ି ମଧ୍ୟ ଏଥିପ୍ରତି ସତର୍କ ଦୃଷ୍ଟି ରଖିଛି ବୋଲି କହିପାରିବା  ।