ଅନ୍ତିମ ପ୍ରହାର ଆବଶ୍ୟକ: ଅମିତ ଶାହା

ଭୁବନେଶ୍ୱର: ଆଜି ଦିଲ୍ଲୀରେ ନକ୍ସଲ ମୁକାବିଲା ବୈଠକ ଅନୁଷ୍ଠିତ ହେଉଛି । ଆଉ ଏଥିରେ ଅଧ୍ୟକ୍ଷତା କରି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ବାମପନ୍ଥୀ ଉଗ୍ରବାଦ ଏବେ ଅନ୍ତିମ ଚରଣରେ ପହଞ୍ଚିଛି । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ଏହି ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତ ହେବ । ଅନେକ ସ୍ଥାନ ଏବେ ବାମପନ୍ଥୀ ଉଗ୍ରବାଦରୁ ମୁକ୍ତି ପାଇଛି । ଏବେ ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି ବୋଲି ଅମିତ ଶାହ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ଅଗଷ୍ଟ ୨୪ ଓ ୨୫ ତାରିଖରେ ଛତିଶଗଡ଼ ଯାଇ ରଣନୀତି ପ୍ରସ୍ତୁତ କରିଥିଲି । ଜାନୁଆରୀରୁ ଏଯାଏ ମୋଟ ୧୯୪ ଜଣ ନକ୍ସଲଙ୍କୁ ନିପାତ କରାଗଲାଣି । ଏହାଛଡ଼ା ୮୦୧ ଜଣ ନକ୍ସଲଙ୍କୁ ଗିରଫ କରାଯାଇଥିବାବେଳେ ୭୪୨ଜଣ ଆତ୍ମସମର୍ପଣ କରିଛନ୍ତି ବୋଲି ଅମିତ ଶାହା କହିଛନ୍ତି । ଦେଶରେ ଏବେ ନକ୍ସଲ ପ୍ରବଣ ଜିଲ୍ଲା ସଂଖ୍ୟା ୯୬ରୁ ୧୬କୁ ପହଞ୍ଚିଛି । ୧୬ ଜିଲ୍ଲାର ୧୨୦ ଥାନା ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପ ରହିଯାଇଛି । ନକ୍ସଲ ଆଦିବାସୀ ଅଞ୍ଚଳରେ ବିକାଶର ମୁଖ୍ୟ ବାଧକ ସାଜୁଛନ୍ତି । ସବୁଠାରୁ ଅଧିକ ମାନବାଧିକାର ହନନ ନକ୍ସଲଙ୍କ ଦ୍ୱାରା ହିଁ ହେଉଛି । ଏବେ ଫାଇନାଲ ପୁସ ଦେଇ ଏହାକୁ ଶେଷ କରିବାକୁ ପଡ଼ିବ ବୋଲି ଅମିତ ଶାହ କହିଛନ୍ତି ।
ପ୍ରକାଶ ଯେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହି ବୈଠକ ବସିଛି। ଏଥିରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି ।
। ମାଓ ପ୍ରଭାବିତ ରାଜ୍ୟ ଗୁଡ଼ିକୁ ବିକାଶମୂଳକ ସହଯୋଗ କ୍ଷେତ୍ରରେ କାର୍ୟ୍ୟ କରୁଥିବା ୫ ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ବୈଠକରେ ଯୋଗଦେଇଛନ୍ତି ।। ସେହିଭଳି ଅତିରିକ୍ତ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମେତ କେନ୍ଦ୍ର, ରାଜ୍ୟର ବରିଷ୍ଠ ଅଧିକାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ବଳର ଅଧିକାରୀମାନେ ମଧ୍ୟ ସାମିଲ ହୋଇଛନ୍ତି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।