ବିଜେଡ଼ିର ‘୭୮’ ଦୁର୍ଗ

ବିଜେଡ଼ିର ‘୭୮’ ଦୁର୍ଗ

ଭୁବନେଶ୍ୱରରୁ ରାମଚଣ୍ଡୀ ପ୍ରସାଦ ରଣସିଂହ :   ମଇଦାନ ରେଡ୍ଡୀ  । ଯୋଦ୍ଧା ବି ରଣାଙ୍ଗନ ପାଇଁ ପ୍ରସ୍ତୁତ ହୋଇଗଲେଣି  । ତିନି ପ୍ରମୁଖ ଦଳର ୱାରରୁମ୍ରେ ଚାଲିଛି ରଣନୀତି  । ବିଜେଡ଼ିକୁ ଗାଦିଚୁ୍ୟତ କରିବା ପାଇଁ ବିଜେପି ଗୋଟିଚାଳନା କରୁଥିବାବେଳେ ସଂଖ୍ୟା ବଢ଼ାଇବା ପାଇଁ ଯୋଜନା କରିଛି କଂଗ୍ରେସ  । ହେଲେ ରାଜ୍ୟର ୭୮ଟି ଆସନ ଏବେ ବିଜେଡ଼ିର ଦୁର୍ଗରେ ପରିଣତ ହୋଇଛି  । ୨୦୦୯ରୁ ୨୦୧୯, ଏହି ତିନୋଟି ବିଧାନସଭା ନିର୍ବାଚନରେ ଏହି ଆସନରେ ବିଜେଡ଼ି କିମ୍ବା ଏହାର ସହଯୋଗୀ ଦଳ ବାଜିମାତ କରିଆସୁଛନ୍ତି  । ଅର୍ଥାତ୍ ସେଠାରେ ବିରୋଧୀ ଖାତା ଖୋଲିପାରୁନାହାନ୍ତି  ।
ରାଜ୍ୟରେ ସରକାର ଗଢ଼ିବା ପାଇଁ ୭୪ ବିଧାୟକଙ୍କର ଆବଶ୍ୟକତା ରହିଛି  । କିନ୍ତୁ ବିଜେଡ଼ି ହାତରେ ୭୮ଟି ଦୁର୍ଗ ରହିଛି  । ଯାହାକୁ ଭେଦ କରିବା ପାଇଁ ବିରୋଧୀ ବାଟ ପାଉନାହାନ୍ତି । କଂଗ୍ରେସ ହେଉକି ବିଜେପି କେହିବି ବିଜେଡ଼ିକୁ ସେଠାରେ ହରାଇ ପାରିନାହାନ୍ତି  ।
ଭଟଲି, ରଘୁନାଥପଲ୍ଲୀ, ରେଢ଼ାଖୋଲ, ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, ବାଙ୍ଗିରୀପୋଷୀ, କରଞ୍ଜିଆ, ମୋରଡ଼ା, ଭୋଗରାଇ, ବସ୍ତା, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁରରେ ବିଜେଡ଼ି ଜିତି ଜିତି ଆସୁଛି  । ସେହିପରି ଚାନ୍ଦବାଲି, ବିଞ୍ଝାରପୁର, ବରି, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା, ଢେଙ୍କାନାଳ, ହିନେ୍ଦାଳ, କାମାକ୍ଷାନଗର, ପରଜଙ୍ଗ, ପାଳଲହଡ଼ା, ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ, ବୀରମହାରାଜପୁର, ସୋନପୁର, ଝରିଗାଁ, ନବରଙ୍ଗପୁର ଓ ଧର୍ମଗଡ଼ରେ ବିଜେପି କିମ୍ବା କଂଗ୍ରେସ ଖାତା ଖୋଲି ପାରୁନାହାନ୍ତି  ।
ସେହିପରି ଗତ ତିନୋଟି ନିର୍ବାଚନରେ ବିଜେଡ଼ି ହାରିନଥିବା ଅନ୍ୟ ଆସନଗୁଡ଼ିକ ହେଉଛି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ବଡ଼ମ୍ବା, ବାଙ୍କୀ, ଆଠଗଡ଼, ଚୌଦ୍ୱାର କଟକ, ନିଆଳୀ, କଟକ ସଦର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ମହାକାଳପଡ଼ା, ପାରାଦୀପ ଓ ତିର୍ତୋଲ  । ଅପରକ୍ଷରେ ବାଲିକୁଦା ଏରସମା, କାକଟପୁର, ନିମାପଡ଼ା, ପିପିଲିଳ, ଜୟଦେବ, ଭୁବନେଶ୍ୱରର ୩ ଆସନ, ବେଗୁନିଆ, ରଣପୁର, ଖଣ୍ଡପଡ଼ା, ଦଶପଲ୍ଲା, ନୟାଗଡ଼, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଛତ୍ରପୁର, ଆସ୍କା, ସୋରଡ଼ା, ହିଞ୍ଜିଳି, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି ଓ ଗୁଣୁପୁରରେ ମଧ୍ୟ କଂଗ୍ରେସ କିମ୍ବା ବିଜେପି ଶାସକ ବିଜେଡ଼ିକୁ ପରାସ୍ତ କରିପାରିନାହାନ୍ତି  ।
ଏହିସବୁ ଆସନ ମଧ୍ୟରୁ କିଛି ଏନସିପି ଓ ବାମଦଳ ମଧ୍ୟ ଜିତିଛନ୍ତି  । ତେବେ ବିଜୁ ଜନତା ଦଳ ସହ ମେଣ୍ଟ କାରଣରୁ ୨୦୦୯ରେ ସେମାନେ ଜିତିବାରେ ସକ୍ଷମ ହୋଇଥିଲେ  । ଗାଏମୋଟ କହିଲେ ବିଜେଡ଼ି କାନ୍ଧରେ ନାଉ ହୋଇ ସେମାନେ ବିଜୟର ଟୀକା ପିନ୍ଧିଥିଲେ  । ଏସବୁକୁ ବିଜେଡ଼ିର ଦୁର୍ଗ କହିଲେ ଭୁଲ ହେବନାହିଁ  ।
ଏହି ଦୁର୍ଗ ଭେଦ କରିବା ପାଇଁ ଏଥର ବିଜେପି କିମ୍ବା କଂଗ୍ରେସ ସକ୍ଷମ ହେବେ ତ ? ଏଥିପାଇଁ ବିରୋଧୀ କି ରଣନୀତି କରିଛନ୍ତି ତାହାକୁ ନେଇ ଏବେ ରାଜନୀତିକ ଅନୁଶୀଳନ ଆରମ୍ଭ ହୋଇଯାଇଛି  । ଏହି ୭୮ ନିର୍ବାଚନମଣ୍ଡଳୀର ଭୋଟରମାନେ ବିଜେଡ଼ିକୁ ପସନ୍ଦ କରି ଆସୁଛନ୍ତି  ।  ଏଥର ସେମାନଙ୍କର ମୁଡ଼ ବଦଳିଥିବ ଯଦି ତାହେଲେ ଚବିଶରେ ବିରୋଧୀ ଦୁର୍ଗ ଭେଦିପାରିବେ  । ଯଦି ବିରୋଧୀ ଏଥିରେ ବିଫଳ ହୁଅନ୍ତି ତେବେ ଏହି ୭୮ ଆସନ ବିଜେଡ଼ି ଖାତାକୁ ଯିବା ନିଶ୍ଚିତ ବୋଲି କୁହାଯାଇପାରିବ  । ଏଥିରୁ ଅଧିକାଂଶ ଆସନରେ ବିଜେଡ଼ି ପ୍ରାର୍ଥୀ ରିପିଟ୍ କରି ଆସୁଛନ୍ତି  । ଅର୍ଥାତ୍ ଏଠାରେ ନବୀନଙ୍କ ଲୋକପ୍ରିୟତା ଓ ବିଜେଡ଼ିର ସଂଗଠନ ସହ ସେହିସବୁ ବିଧାୟକ ପ୍ରାର୍ଥୀମାନଙ୍କର ବି ଭଲ ପକେଟ ଭୋଟ ରହିଥିବା ଲକ୍ଷ୍ୟ କରାଯାଉଛି  ।