ଆବର୍ଜନାରେ ଡ୍ରେନ ମୁହଁ ବନ୍ଦ
ରସୁଲପୁର,: ଏହି ବ୍ଲକ ୧୬ ନଂ ଜାତୀୟ ରାଜପଥ ଓଡ଼ଙ୍ଗ ପରିବା ହାଟ ନିକଟରେ ଥିବା ଗଳିପୋଲରେ ଲହଡ଼ି ଭାଙ୍ଗୁଛି ବର୍ଷା ଜଳ । ଅସରାଏ ବର୍ଷା ହେଲେ ଏହି ରାସ୍ତାର ସ୍ଥିତି ବେହାଲ ହୋଇ ପଡିଛି । ଜାତୀୟ ରାଜପଥ ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ଦିଲ୍ଲୀପ ବିୟୁଲଡ଼କନ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ସାରି ତାର ଦାୟିତ୍ୱ ସାରିଦେଇଛି । ହେଲେ ନିର୍ମାଣ ସମୟର ତ୍ରୁଟି ପାଇଁ ଜନସାଧାରଣ ଏହାର ପରିଣାମ ଭୋଗୁଛନ୍ତି । ୧୬ ନଂ ଜାତୀୟ ରାଜପଥ ବାରବାଟୀ ସ୍ଥିତ ଓଡ଼ଙ୍ଗ ପରିବା ହାଟ ନିକଟରେ ନିର୍ମାଣ ହୋଇଥିବା ଗଳିପୋଲରେ ବର୍ଷା ଦିନ ହେଲେ ପାଣି ଜମୁଛି । ଏହାଦ୍ୱାରା ପଥଚାରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅପରିଷ୍କାର ପାଣିରେ ପଶି ଯାତାୟତ କରିବାକୁ ପଥଚାରୀ ବାଧ୍ୟ ହେଉଛନ୍ତି । କେବଳ ଗଳିପୋଲ ନୁହେଁ ଏହାକୁ ଲାଗିକରିଥିବା ସର୍ଭିସ ରୋଡ଼ରେ ମଧ୍ୟ ପାଣି ଜମୁଛି । ପାଣି ନିଷ୍କାସନ ପାଇଁ ଡ୍ରେନର ବ୍ୟବସ୍ଥା ହୋଇଛି ସତ ହେଲେ ଡ୍ରେନରେ ପାଣି ନିଷ୍କାସନ ପାଇଁ ହୋଇଥିବା ବାଟଟି ବନ୍ଦ ହୋଇଯାଇଛି । ନିକଟରେ ଚାଲୁଥୁବା ପରିବା ହାଟର ଆବର୍ଜନାରେ ନିଷ୍କାସନ ବାଟ ବନ୍ଦ ହୋଇଯାଇଛି । ଫଳରେ ଜଳ ନିଷ୍କାସନ ହୋଇପାରୁନାହିଁ । ବର୍ଷା ଋତୁ ସାରା ପାଣି ଏହି ସ୍ଥାନରେ ଜମି ରହୁଛି । ଏହି ପାଣିରେ ବିଭିନ୍ନ ପୋକ ଜୋକ ମଶା ଡିମ୍ବ ଦେଉଛନ୍ତି । ଫଳରେ ବିଭିନ୍ନ ସଂକ୍ରମକ ରୋଗ ବ୍ୟାପିବାର ସମ୍ଭାବନା ସୃଷ୍ଟି ହେଉଛି । ଏନେଇ ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।