୮ନିୟୁତ ଟନ୍କୁ ବୃଦ୍ଧି ପାଇବ କଳିଙ୍ଗନଗର ଟାଟା କାରଖାନା
ାା ପ୍ରଭାନୁ୍ୟଜ ।ା ଯାଜପୁର : ଟାଟା ଷ୍ଟିଲ କଳିଙ୍ଗନଗର ପ୍ରୋଜେକ୍ଟ ବାର୍ଷିକ ଉତ୍ପାଦନ କ୍ଷମତା ୩ ନିୟୁତରୁ ୮ନିୟୁତ ଟନକୁ ବୃଦ୍ଧି ପାଇବ । ଏନେଇ ୨୭ହଜାର କୋଟି ଟଙ୍କା ନିବେଶରେ କଳିଙ୍ଗନଗର କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି । ଏହି ସମ୍ପ୍ରସାରଣ ଦ୍ୱାରା ଦେଶର ସବୁଠାରୁ ପୁରୁଣା ଇସ୍ପାତ ନିର୍ମାତା ପାଇଁ ଓଡ଼ିଶା ଏକକ ବୃହତ୍ତମ ନିବେଶ ସ୍ଥଳରେ ପରିଣତ ହେବା ସହ ଇସ୍ପାତ ଶିଳ୍ପ ଜଗତରେ ଏକ ଗୌରବମୟ ସ୍ଥାନ ଅକ୍ତିଆର କରିବ । କମ୍ପାନୀ ୨୫ ହଜାର କୋଟି ଟଙ୍କା ବିନିଯୋଗରେ ୨୦୧୫ରେ ପ୍ରଥମ ପର୍ଯ୍ୟାୟ ସମ୍ପୂର୍ଣ୍ଣ କରିଥିଲା ଏବଂ ୨୦୨୨ରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଅଧିଗ୍ରହଣ ମାଧ୍ୟମରେ ୧୨,୧୦୦କୋଟି ଟଙ୍କାର ଅତିରିକ୍ତ ବିନିଯୋଗ ସହିତ ଓଡ଼ିଶାରେ ଏହାର କ୍ଷମତାକୁ ଆହୁରି ବୃଦ୍ଧି କରିଥିଲା । ଢେଙ୍କାନାଳ ଜିଲାରେ ଥିବା ଟାଟା ଷ୍ଟିଲ ମେରାମଣ୍ଡଳୀ ପୂର୍ବରୁ ଭୂଷଣ ଷ୍ଟିଲ ଲିମିଟେଡ କାରଖାନା ସହିତ ଓଡ଼ିଶାରେ ଟାଟା ଷ୍ଟିଲର ମୋଟ ପୁଞ୍ଜିନିବେଶ ଆଜି ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି । ୨୦୩୦ ସୁଦ୍ଧା ଭାରତରେ ଟାଟାଷ୍ଟିଲର ୪୦ ଏମ୍ଟିପିଏ କ୍ଷମତା ଲକ୍ଷ୍ୟ ହାସଲ କରିବାରେ କଳିଙ୍ଗନଗର କାରଖାନାର ସମ୍ପ୍ରସାରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଟାଟାଷ୍ଟିଲର କର୍ପୋରେଟ୍ ସର୍ଭିସେସ୍ ଉପାଧ୍ୟକ୍ଷ ଚାଣକ୍ୟ ଚୌଧୁରୀ କହିଛନ୍ତି ଯେ, ଭାରତର ଶିଳ୍ପ ରୂପାନ୍ତରଣକୁ ଆଗକୁ ନେବାରେ ଓଡ଼ିଶା ସହ ସହଭାଗୀ ହୋଇ ଆମେ ଗର୍ବିତ । ଖଣିଜ ସମ୍ପଦ ଏବଂ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟ, ବିପୁଳ ଏବଂ ଦକ୍ଷ ଶ୍ରମଶକ୍ତି ଓ ନିବେଶକ ଅନୁକୂଳ ନୀତି ରାଜ୍ୟରେ ଟାଟାଷ୍ଟିଲର ଜାରି ରହିଥିବା ଅଭିବୃଦ୍ଧି ଏବଂ ପୁଞ୍ଜିନିବେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିଛି । ଆମର ନିରନ୍ତର ପ୍ରତିବଦ୍ଧତା ମାଧ୍ୟମରେ, ଆମେ ଭବିଷ୍ୟତ ପାଇଁ ଏକ ଉନ୍ନତ ଓଡ଼ିଶା ଗଠନ କରିବା ନିମନ୍ତେ ଉଦ୍ୟମ କରୁଛୁ ଏବଂ ନବସୃଜନତା ଓ ଦୀର୍ଘସ୍ଥାୟୀ ପ୍ରଗତିକୁ ପ୍ରୋତ୍ସାହିତ କରୁଛୁ । ଜାମସେଦପୁର, ଯେଉଁଠାରେ କି ଟାଟାଷ୍ଟିଲ ୧୧୭ବର୍ଷ ପୂର୍ବେ କାର୍ଯ୍ୟ ଆରମ୍ଭ କରିଥିଲା । ଗମହାରିଆ (ଝାଡ଼ଖଣ୍ଡ) ଏବଂ ଓଡ଼ିଶା ବ୍ୟତୀତ, ଥାଇଲାଣ୍ଡ, ନେଦରଲାଣ୍ଡ ଏବଂ ବ୍ରିଟେନରେ କମ୍ପାନୀର ଉତ୍ପାଦନ ଜାରିରହିଛି । ଟାଟାଷ୍ଟିଲ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ ଦ୍ୱାରା ବିକଶିତ ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ ଭଳି ପ୍ରକଳ୍ପର ବିକାଶ ମାଧ୍ୟମରେ ଓଡ଼ିଶାରେ ଟାଟାଷ୍ଟିଲର ଉପସ୍ଥିତି ରାଜ୍ୟର ଶିଳ୍ପ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଆଣିଛି । ଜିଆଇପି ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲାରେ ଅବସ୍ଥିତ । ୭୩୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଜିଆଇପିରେ ଆଜି କେବଳ ଟାଟାଷ୍ଟିଲର କାରଖାନା ନୁହେଁ, ଟାଟା କଞ୍ଜୁମର ପ୍ରଡକ୍ଟସ, ଆନାଡ୍ରୋନ୍ ସିଷ୍ଟମ୍ ପ୍ରାଇଭେଟ୍ ଲିମିଟେଡ୍, ଇଷ୍ଟକୋଷ୍ଟ ଓଭରସିଜ୍ ଏବଂ ଓଡିମେଟ୍ ରିସୋର୍ସେସ୍ ସମେତ ଅନ୍ୟାନ୍ୟ କମ୍ପାନି ରହିଛି । ଏହା ସବୁଜ ହାଇଡ୍ରୋଜେନ୍/ଆମୋନିଆ କାରଖାନା, ଏକ ବିଶ୍ୱସ୍ତରୀୟ ଟେକ୍ନିକାଲ ଆମୋନିୟମ ନାଇଟ୍ରେଟ୍ କମ୍ପ୍ଲେକ୍ସ ଏବଂ ଘରୋଇ ଓ ଶିଳ୍ପ ଗ୍ୟାସ୍ ଆବଶ୍ୟକତା ପୂରଣ କରିବା ପାଇଁ ଏକ ଏଲ୍-ସିଏନଜି ରୂପାନ୍ତରଣ ୟୁନିଟ ପ୍ରତିଷ୍ଠା ପାଇଁ ମଧ୍ୟ ଆଶା ରଖିଛି ।