ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ


 ଯାଜପୁର ଟାଉନ: ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । 
ବୈଠକରେ ମନ୍ତ୍ରୀ ବୟନଶିଳ୍ପ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପ୍ରଦୀପ ବଳସାମନ୍ତ, ସାଂସଦ ରବିନ୍ଦ୍ର ନାରାୟଣ ବେହେରା, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବଡ଼ଚଣା ବିଧାୟକ ଅମର କୁମାର ନାୟକ, କୋରେଇ ବିଧାୟକ ଆକାଶ ଦାସନାୟକ, ଯାଜପୁର ବିଧାୟିକା ସୁଜାତା ସାହୁ, ବରୀ ବିଧାୟକ ବିଶ୍ୱରଂଜନ ମଲ୍ଳ୍ିକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲାପରିଷଦ ସଭାପତି ନଳିନୀପ୍ରଭା ଜେନା, ଜିଲା ପରିଷଦ ଉପ-ସଭାପତି ଗଣେଶ୍ୱର ବରାଳ ଯୋଗ ଦେଇଥିଲେ । ଅତିରିକ୍ତ ଜିଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ବୈଠକର କାର୍ଯ୍ୟସୂଚୀ ଅନୁଯାୟୀ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରିତା, ନଦୀବନ୍ଧ ଗୁଡିକର ସୁଦୃଢୀକରଣ, ବନ୍ୟା ଜଳ ଓ ବର୍ଷା ଜଳ ଜମୁଥିବା କୁତି୍ରମ ବନ୍ୟା ସ୍ଥାନ ମାନଙ୍କରୁ ଜଳ ନିଷ୍କାସନ କରିବା, ବନ୍ୟାପ୍ରବଣ ଅଞ୍ଚଳ ଗୁଡିକରେ ନୋଡାଲ ଅଫିସର ନିଯୁକ୍ତି, ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ଦୈନନ୍ଦିନ ପରିସ୍ଥିତି ରିପୋର୍ଟ ଜିଲା ପ୍ରଶାସନକୁ ଦେବା, ନଦୀ ଗର୍ଭରେ ପ୍ରବାହିତ ବନ୍ୟାଜଳ ମାପିବା ଓ ଏସମ୍ୱନ୍ଧୀୟ ଜନ ସଚେତନତା ବାର୍ତ୍ତାଦେବା, ବିପର୍ଯ୍ୟୟ ପୂର୍ବରୁ ଆଗୁଆ ସଚେତନତା ବାର୍ତ୍ତା ଦେବା, ଅସ୍ଥାୟୀ ୱାରଲେସ୍ କେନ୍ଦ୍ର କାର୍ଯ୍ୟ କରିବା, ଦୂର ସଞ୍ଚାର ସେବା ଯୋଗାଇବା, ବନ୍ୟାପ୍ରବଣ ଅଞ୍ଚଳରେ ପାୱାର ବୋଟ ମହଜୁଦ କରି ରଖିବା, ସୁଖିଲା ଖାଦ୍ୟ, ଔଷଧ ପତ୍ର, ଗୋ ଖାଦ୍ୟ, ପାନୀୟ ଜଳ, ପଲିଥିନ୍, ବହୁମୁଖୀ ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକୁ ପ୍ରସ୍ତୁତ କରି ରଖିବା, ଲୋକ ମାନଙ୍କୁ ସ୍ଥାନାନ୍ତରଣ କରିବା ନିମନ୍ତେ ଆଗୁଆ ଯୋଜନା ପ୍ରସ୍ତୁତ କରିବା, ଓଡ୍ରାଫ, ଏନ୍ଡିଆରଏଫ, ଅଗ୍ନିସମ ବାହିନୀ ସଜାଗ ରଖିବା, ଅସ୍ଥାୟୀ ଭାବେ ହେଲି ପ୍ୟାଡ ସ୍ଥାନ ନିରୂପଣ କରିବା, ରିଲିଫ୍ କାର୍ଯ୍ୟ ସୂଚାରୁ ରୂପେ ପରିଚାଳନା କରିବା, ଅତ୍ୟାବଶ୍ୟକ ସେବା ଗୁଡିକୁ ଯୁଦ୍ଧକାଳୀନ ଭିତିରେ ପୁନଃରୁଦ୍ଧାର କରିବା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ପୁନଃରୁଦ୍ଧାର, ଥଇଥାନ ଓ ବିପର୍ଯ୍ୟୟ ପରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ପରିମଳ ସେବା ଜନିତ ବିଷୟବସ୍ତୁ ଗୁଡିକ ଉପରେ ଅତିରିକ୍ତ ଜିଲାପାଳ ଶ୍ରୀ ସାମଲ ବୈଠକରେ ସୂଚନା ପ୍ରଦାନ କରିଥିଲେ । ଆଲୋଚନା କ୍ରମେ କୋରେଇ ବିଧାୟକ ବନ୍ୟାପ୍ରବଣ ଅଞ୍ଚଳ ନଦୀ ବନ୍ଧକୁ ପଥର ପ୍ୟାକିଂ କରିବା, ବ୍ୟାପକ ବୃକ୍ଷ ରୋପଣ କରି ଜିଲାରେ ପ୍ରଦୂଷଣକୁ ରୋକିବା ଓ ପରିବେଶ ସନ୍ତୁଳନ ଦିଗରେ ପ୍ରସ୍ତାବ ଆଗତ କରିଥିବା ବେଳେ ଜିଲାପାଳ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିଥିଲେ । ମନ୍ତ୍ରୀ, ସାଂସଦ, ବିଧାୟିକା ଓ ବିଧାୟକ ଏବଂ ଜିଲା ପରିଷଦ ସଭାପତି ଓ ଉପ-ସଭାପତି ନିଜ ନିଜ ନିର୍ବାଚନମଣ୍ଡଳୀ ଓ ଅଞ୍ଚଳ ପାଇଁ ଏବଂ ଯାଜପୁର ପୌର ପରିଷଦ ଅଞ୍ଚଳରେ ବନ୍ୟାଜଳ ନିଷ୍କାସନ କରିବା, ବନ୍ୟା ଜଳ ଓ ବର୍ଷା ଜଳ ନିଷ୍କାସନ ଦିଗରେ ଆବଶ୍ୟକ ସ୍ଥଳେ ସ୍ଥାୟୀ ସମାଧାନ ନିମନ୍ତେ ଦୀର୍ଘ ମିଆଦି କାର୍ଯ୍ୟକ୍ରମ ପାଇଁ ସରକାରଙ୍କୁ ଅବଗତ କରାଯିବ ବୋଲି ଜିଲାପାଳ ଉଲ୍ଲେଖ କରିଥିଲେ । ବିଧାୟିକା ଶ୍ରୀମତୀ ମଲିକ ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅଧୀନ ଦଶରଥପୁର ଓ ବିଞ୍ଝାରପୁର ବ୍ଲକ ବନ୍ୟାପ୍ରବଣ ହୋଇଥିବାରୁ ବନ୍ୟାପ୍ରବଣ ସ୍ଥାନ ମାନଙ୍କରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଅଧିକ ପାୱାର ବୋଟ୍ ପ୍ରଦାନ କରିବାକୁ ପ୍ରସ୍ତାବ ରଖିଥିବା ବେଳେ ଜିଲାପାଳ ଶ୍ରୀ କଲ୍ୟାଣ ବର୍ତ୍ତମାନ ପାଇଁ ଜିଲାରେ ୩୬ ଗୋଟି ପାୱାର ବୋଟ୍କୁ ସମସ୍ତ ବ୍ଳକକୁ ବଣ୍ଟନ କରାଯାଇଥିବା ବେଳେ ଜିଲାକୁ ଅଧିକ ବୋଟ୍ ଯୋଗାଇ ଦେବାପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ତୁରନ୍ତ ଅନୁରୋଧ କରାଯିବ ବୋଲି ପ୍ରକାଶ କରିଥିଲେ ।  ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ଧନ୍ୟବାଦ ପ୍ରଦାନ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ସମସ୍ତ ବ୍ଳକର ବିଡିଓ, ତହସିଲଦାର, ଅତିରିକ୍ତ ଉପ-ଜିଲାପାଳ ମନୋରମା ଜାଲି, ଜିଲା ଜରୁରୀ ଅଧିକାରୀ ଅଶୋକ କୁମାର ବେହେରା, ଡେପୁଟୀ କଲେକ୍ଟର, ସଂସ୍ଥା ସୋନମ୍ ଦାସ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ଜିଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।