ପ୍ରବୃତ୍ତିର ବିଚାର
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' ‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ପ୍ରବୃତ୍ତିକୁ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ସଂସାରରେ ସବୁ ମଣିଷ ପ୍ରବୃତ୍ତି ଦ୍ୱାରା ପରିଚାଳିତ । ମଣିଷର ପ୍ରବୃତ୍ତି ଭିତରୁ ଚାରୋଟି ମୁଖ୍ୟ ପ୍ରବୃତ୍ତି ହେଲା-ଆହାର, ନିଦ୍ରା, ମୈଥୁନ, ଭୟ ।
ପ୍ରତ୍ୟେକ ପ୍ରାଣୀଙ୍କ ଭଳି ମଣିଷ ମଧ୍ୟ ନିଜ ଭୋକକୁ ମେଣ୍ଟାଇବା କ୍ଷେତ୍ରରେ କାହାକୁ କ୍ଷମା କରିପାରେନି । ଥକିଗଲେ ବିଶ୍ରାମ ନେବା କ୍ଷେତ୍ରରେ ସେ କେବେ ହେଲେ ଅପେକ୍ଷା କରେ ନାହିଁ । ନିଜର ଜୀବନକୁ ବଞ୍ଚାଇବା ପାଇଁ ସବୁବେଳେ ଚେଷ୍ଟା କରେ ଏବଂ ନିଜର ଜୀବନ ପ୍ରତି ଭୟ ରହିବ । ନିଜର ଯୌନ କାମନା ଚରିତାର୍ଥ କରିବା ପାଇଁ ସବୁବେଳେ ଚେଷ୍ଟା କରୁଥିବ । ଏହି ଚାରି ପ୍ରବୃତ୍ତି ସବୁ ମଣିଷଙ୍କ ଭିତରେ ରହିଛି । ତେଣୁ ମନୁଷ୍ୟ କୌଣସି ଗୁଣରେ ଗୋଟିଏ ଇତରପ୍ରାଣୀ ଠାରୁ ଏ କ୍ଷେତ୍ରରେ ଅଧିକ ନୁହେଁ । ତେବେ ସାମାଜିକ ଜୀବନରେ ପ୍ରବୃତ୍ତିକୁ ଲଗାମ୍ ଛଡା କରି ନଦେଇ ନିଜ ନିୟନ୍ତ୍ରଣ ଭିତରେ ମଣିଷ ରଖେ । ହେଲେ ଏ କ୍ଷେତ୍ରରେ ମନୁଷ୍ୟର ଆଉ ଏକ ପ୍ରବୃତ୍ତି ହେଲା ନିଜର ଦୋଷତ୍ରୁଟିକୁ ସବୁବେଳେ ଲୁଚେଇ, ଅନ୍ୟର ଦୋଷତ୍ରୁଟିକୁ ଦେଖାଇବା । ନିଜେ କରିଥିବା ଭୁଲ୍ଗୁଡିକୁ, ଭୁଲ୍ ବୋଲି ସହଜେ କେହି କେବେ ସ୍ୱୀକାର କରନ୍ତି ନାହିଁ । ମଣିଷ ସବୁବେଳେ ଅନ୍ୟର ଭୁଲ୍କୁ ଦେଖାଏ । ନିଜର ଯେତେ ଭୁଲ୍ ରହିଥିଲେ ମଧ୍ୟ ସେଗୁଡିକୁ ମାନିବାକୁ କେବେ ହେଲେ ପ୍ରସ୍ତୁତ ନଥାଏ । ସବୁବେଳେ ଅନ୍ୟକୁ ଦୋଷ ଦେବା, ଅନ୍ୟର ଭୁଲ୍ ଦେଖେଇବା, ଅନ୍ୟମାନଙ୍କ ଠାରୁ ନିଜକୁ ଅଧିକ କରି ଦେଖେଇ ହେବା, ଅନ୍ୟମାନଙ୍କୁ ନୁ୍ୟନ କରିବା ମନୁଷ୍ୟର ଏକ ପ୍ରବୃତ୍ତି ।
ସାମାଜିକ ଜୀବନରେ ଯେତିକି ସଂଘର୍ଷ ଏବଂ ଅପ୍ରୀତିକର ଘଟଣା ଘଟେ ସେଥିମଧ୍ୟରୁ ସର୍ବାଧିକ କେବଳ ଏହି ପ୍ରବୃତ୍ତି ଯୋଗୁଁ ଘଟିଥାଏ । ଟିକିଏ ଆଗରୁ କହୁଥିଲି, ମଣିଷ ନିଜ ଭୁଲ୍କୁ ମାନିବା ପାଇଁ କେବେ ପ୍ରସ୍ତୁତ ନଥାଏ । ବିଚାର ବ୍ୟବସ୍ଥା ଏବଂ ଦଣ୍ଡ ବ୍ୟବସ୍ଥା ଏହି ପ୍ରବୃତ୍ତିରୁ ସୃଷ୍ଟି । ଭୁଲ୍ କରିଥିବା ଲୋକ ଯଦି ନିଜ ଭୁଲ୍କୁ ସ୍ୱୀକାର କରିଯାଏ ତା'ହେଲେ ହୁଏତ ବିଚାର ବ୍ୟବସ୍ଥାର ଚାପ ଅନେକ ଗୁଣରେ କମିିଯିବ । କିନ୍ତୁ ନିଜ ଭୁଲ୍କୁ ମାନିବା କେହି ବି ଚାହାନ୍ତି ନାହିଁ । ଏହି ପ୍ରବୃତ୍ତିଗତ କାରଣ ପାଇଁ ବିଚାର ବ୍ୟବସ୍ଥାରେ ମାମଲା ଗୁଡିକ ବର୍ଷ ବର୍ଷ ଧରି ଗଡିଚାଲେ । ଏହା ବ୍ୟକ୍ତିର ସାମାଜିକ ଜୀବନ ଭିତରେ ସବୁବେଳେ ସୀମିତ ନଥାଏ ।
ପଢିଥିବା ହେତୁ ଆପଣଙ୍କ ନିକଟରେ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।