ଶିଶୁଙ୍କ ପାଇଁ ବର୍ଷାଦିନେ ସୁରକ୍ଷିତ ଘର


ଶିଶୁମାନଙ୍କ ବିକାଶ ଖୁବ୍ ଶୀଘ୍ର ହୋଇଥାଏ  । ଆଉ ଶିଶୁଟିଏ ଗୁରୁଣ୍ଡିବା ବା ଠିଆ ଠିଆ ହେବା ଆରମ୍ଭ କଲାମାତ୍ରେ କେବଳ ଘର ନୁହେଁ ବାହାର ସ୍ଥାନକୁ ବୁଲାଚଲା କରିବା ପାଇଁ ପଡ଼ି ଉଠି ଚେଷ୍ଟା କରିଥାଏ  । କେବଳ ସେତିକି ନୁହେଁ ତାହା ହାତକୁ ଆସୁଥିବା ଜିନିଷ ଗୁଡ଼ିକୁ ଦେଖି ତାକୁ ବୁଝୁବା ନବୁଝୁ କିନ୍ତୁ ପରଖିବାକୁ ଚେଷ୍ଟା କରିଥାଏ  । ତାର ଏପରି କାମ ଭିତରେ କିଛି ଘଟଣା-ଦୁର୍ଘଟଣା ଘଟିବାର ବି ସମ୍ଭାବନା ରହିଥାଏ  । ତେଣୁ ଛୋଟ ଛୁଆଟିର ଏହି ସମୟ ଠାରୁ ବିଦ୍ୟାଳୟକୁ ଯିବା ପର୍ଯ୍ୟନ୍ତ ତା ପାଇଁ ଘରକୁ ସୁରକ୍ଷିତ ରଖନ୍ତୁ  । କେବଳ ସେତିକି ନୁହେଁ ଶିଶୁଙ୍କ ପାଇଁ ସବୁଠାରୁ ସତର୍କତାର ସମୟ ହେଉଛି ବର୍ଷା ଦିନ  । ଏହି ଋତୁରେ ଶିଶୁଙ୍କ ପାଇଁ ସୁରକ୍ଷିତ ଘରକୁ ନେଇ ସତର୍କ ରହିବା ଜରୁରି  । ପ୍ରାୟତଃ ବର୍ଷାଦିନେ ସନ୍ତସନ୍ତିଆ ପରିବେଶ ପିଲାଙ୍କ ପାଇଁ ନିଶ୍ଚିତ ଭାବରେ ଅସ୍ୱସ୍ଥିକର  । ଆଉ ବର୍ଷାରେ ଭିଜିଗଲେ ତ ଏହା ଶିଶୁଟି ପାଇଁ ସାଙ୍ଘାତିକ ଅବସ୍ଥା ସୃଷ୍ଟି କରିଥାଏ  । ବର୍ଷାଦିନେ ପିଲାମାନଙ୍କୁ ଫୁଟା ପାଣି ପିଆନ୍ତୁ  । କାଦୁଆ ବା ସନ୍ତସନ୍ତିଆ ଜାଗା ଠାରୁ ଦୂରେଇ ରଖନ୍ତୁ  । ଗୃହପାଳିତ ପଶୁ ମାନଙ୍କ ଠାରୁ ଯେପରି ବ୍ୟବଧାନ ଦୂରତ୍ୱରେ ପିଲାଟି ରହେ ସେଥିପ୍ରତି ନିଘା ରଖନ୍ତୁ  । ପିଲାମାନଙ୍କୁ ବାଶୀ, ଥଣ୍ଡାଖାଦ୍ୟ କିମ୍ବା ବାହାର ଖାଦ୍ୟ ଏହି ଋତୁରେ ଦିଅନ୍ତୁ ନାହିଁ  । ବର୍ଷାଋତୁରେ ପିଲାମାନଙ୍କର ହଜମ ପ୍ରକ୍ରିୟା ସ୍ୱାଭାବିକ ଭାବରେ ହ୍ରାସ ପାଇଥାଏ  । ତେଣୁ ଏହି ସମୟରେ ପିଲାମାନଙ୍କୁ ଅତ୍ୟଧିକ ଖାଦ୍ୟ ଦିଅନ୍ତୁ ନାହିଁ  । ବର୍ଷାଦିନେ ଜଳବାହିତ କାରଣ ବା ଖାଦ୍ୟ କାରଣରୁ ପିଲାମାନଙ୍କର ପତଳା ଝାଡ଼ା ବା ବିଭିନ୍ନ ପ୍ରକାର ପେଟରୋଗର ସମସ୍ୟା ଦେଖାଯାଇଥାଏ  । ପ୍ରାଥମିକ ଭାବରେ ଏହାକୁ ହାଲ୍କା ମନେନକରି କୌଣସି ଗୁଣୀଗାରେଡି ବା ତୁଟୁକା ଚିକିତ୍ସାକୁ ଗ୍ରହଣ ନକରି ସରକାରଙ୍କ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଆନ୍ତୁ  । ଏ କ୍ଷେତ୍ରରେ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ସବୁଠାରୁ ଜରୁରି  । ଦରକାର ପଡ଼ିଲେ ଶିଶୁଟିର ମଳ ପରୀକ୍ଷା କରି ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ  । 
ସାଧାରଣତଃ ବର୍ଷାଦିନେ ଓଡ଼ିଆ ପର୍ବପର୍ବାଣିରେ ବିଭିନ୍ନ ପୂଜା ପର୍ବର ଦିନ ଘରେ ଘରେ ପାଳିତ ହୋଇଥାଏ  । ଲିପାପୋଛା କରିବା ସମୟରେ ଚଟାଣକୁ ଓଦାଳିଆ ରଖନ୍ତୁ ନାହିଁ  । କାରଣ ଏଥିରେ ପିଲାମାନଙ୍କର ଗୋଡ଼ ଖସିଯିବାର ସମ୍ଭାବନା ଥାଏ  । ମାଆମାନେ ପୂଜାପାଠରେ ଉପବାସ ରହି କେତେକ କ୍ଷେତ୍ରରେ ବିଶେଷକରି କ୍ଷୀର ଖାଉଥିବା ପିଲାମାନଙ୍କୁ ଅବହେଳା କରିଥାନ୍ତି  । କିନ୍ତୁ ଏହା ଠିକ୍ ନୁହେଁ  । ଗାଁ ଗଣ୍ଡା ମାନଙ୍କରେ ମାଟି ଘରେ ବିଭିନ୍ନ ସ୍ଥାନରେ ଛୋଟ ବଡ଼ ଗାତ ରହିଥାଏ  । ବର୍ଷାଦିନେ ଏହା ଭିତରେ ସାପମାନେ ନିଜର ନିରାପଦ ସ୍ଥାନ ଭାବରେ ରହୁଥିବାରୁ ଏହାକୁ ବର୍ଷାଋତୁ ପୂର୍ବରୁ ଭଲ ଭାବରେ ତନଖି ବୁଜିବାର ଚେଷ୍ଟା କରନ୍ତୁ  । ଚାଳଘର ହୋଇଥିଲେ ଛଣର ତଳପଟ ଅର୍ଥାତ୍ ଘରର ଉପର ଭାଗକୁ ବି ବେଳେବେଳେ ସଫା ସୁତୁରା କରିନିଅନ୍ତୁ  । କାରଣ ବିଭିନ୍ନ ପୋକଜୋକଙ୍କ ସହ ଚିତିସାପ ପରି ବିଷାକ୍ତ ଜନ୍ତୁ ଓ ସରୀସୃପ ଏଠାରେ ରହିବାର ବି ସମ୍ଭାବନା ଥାଏ  । ବର୍ଷାଦିନେ ବିଶେଷ କରି ଗାଈ କ୍ଷୀରକୁ ଭଲ ଭାବରେ ଫୁଟାଇ ଏହାକୁ ଥଣ୍ଡା କରି ପିଲାମାନଙ୍କୁ ପିଇବାକୁ ଦିଅନ୍ତୁ  । ବର୍ଷାଦିନରେ ପିଲାମାନେ ସ୍କୁଲକୁ ଯାଉଥିଲେ ସେମାନଙ୍କୁ ରେନିକୋର୍ଟ ପିନ୍ଧାନ୍ତୁ କିମ୍ବା ଭଲ ଛତା ଦେଇ ଯେପରି ସେମାନେ ଭିଜିବାରୁ ସୁରକ୍ଷିତ ରହିବେ ଦୃଷ୍ଟି ଦିଅନ୍ତୁ  ।  ବର୍ଷାଦିନେ ପିଲାମାନେ ବେଳେବେଳେ ତଣ୍ଟି ଯନ୍ତ୍ରଣା ଅନୁଭବ କରିଥାନ୍ତି ଏହାକୁ ହାଲ୍କା ଭାବରେ ନଭାବି ବିଶେଷଜ୍ଞଙ୍କ ପରାମର୍ଶ ନେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  । ବର୍ଷାଦିନେ ପିଲାମାନଙ୍କ ଖାଇବା ଓ ଶୋଇବାକୁ ଭଲ ଭାବରେ ଦୃଷ୍ଟି ଦେଇ ଏ ଦିଗଟି ପ୍ରତି ସଚେତନ ରୁହନ୍ତୁ  । ଏହି ଋତୁରେ ପିଲାମାନେ ଯେପରି ବାହାରର ଖୋଲା ସ୍ଥାନରେ ଝାଡ଼ା ନଯାଆନ୍ତି ତାହାକୁ ନଜର ରଖି ବରଂ ଘରର ପାଇଖାନା ସବୁଠାରୁ ଭଲ  । କାରଣ ଉଦ୍ବୃତ ବର୍ଷାଜଳ ମଳର ସଂସ୍ପର୍ଶରେ ଆସି ଏହା ପିଲାମାନଙ୍କ ପାଇଁ ବିଭିନ୍ନ ଜୀବାଣୁ ଓ କୀଟାଣୁର ବାହକ ଭାବେ ଶରୀରରେ ପ୍ରବେଶ କରିବାର ସମ୍ଭାବନା ଥାଏ  । କେହି କେହି ବର୍ଷା ଦିନଟିକୁ ପିଲାମାନଙ୍କ ପାଇଁ କଷ୍ଟର ସମୟ ବୋଲି ଭାବିଥାନ୍ତି କିନ୍ତୁ ଏହା ଭୁଲ କଥା ବରଂ ଆପଣମାନେ ସତର୍କ ରହି ଉପରୋକ୍ତ ଦିଗଟିକୁ ପଲାମାନଙ୍କ କ୍ଷେତ୍ରରେ ନଜର ଦେଲେ ଦେଖିବେ ପିଲାମାନଙ୍କ ପାଇଁ ଏହି ଋତୁଟି ଆନନ୍ଦଦାୟକ ହେବ  । ହଁ, ସବୁଠାରୁ ବଡ଼ କଥା ହେଉଛି ପିଲାମାନଙ୍କ ଯେକୌଣସି ସମସ୍ୟାର ପ୍ରାଥମିକ ଚିକିତ୍ସା ସରକାରଙ୍କ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଥିବା ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଲେ ପିଲାଟିର ଶରୀର ନିଶ୍ଚିତ ଭାବେ ସୁସ୍ଥସବଳ ରହିବ  । 
ଡା.ଜ୍ୟୋତିରଞ୍ଜନ ଚମ୍ପତିରାୟ,ମୋ: ୯୪୩୭୧୨୪୦୭୪