ଭୋଗରାଇ: ଅଣ କଂଗ୍ରେସର ଗଡ଼, ନିର୍ଣ୍ଣାୟକ ସାଜିବ ବିଜେପି 

ଭୋଗରାଇ: ଅଣ କଂଗ୍ରେସର ଗଡ଼, ନିର୍ଣ୍ଣାୟକ ସାଜିବ ବିଜେପି 

ଭୁବନେଶ୍ୱର: ଶେଷ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଦଳୀୟ ନେତା, କର୍ମୀ ମହଲରେ ତତ୍ପରତା ସେତିକି ବଢ଼ି ବଢ଼ି ଚାଲିଛି । ଗ୍ରୀଷ୍ମ ଲହରୀ ସାଙ୍ଗକୁ ପ୍ରଚାର ଅଭିଯାନ ସତେ ଯେମିତି ତାଳକୁ ତାଳ ଦେଇ ନିର୍ବାଚନ ଉଷ୍ମତା ବଢ଼େଇ ଦେଇଛି । ଏହାରି ଭିତରେ ଚର୍ଚ୍ଚାରେ ରହିଛି ବାଲେଶ୍ୱର ଜିଲ୍ଲାର ଭୋଗରାଇ ନିର୍ବାଚନମଣ୍ଡଳୀ । ଏଠାରେ ଜନତା ଦଳ ଅମଳରୁ ଅଣକଂଗ୍ରେସ ଗଡ ଭାବେ ପରିଗଣିତ ହୋଇଆସୁଥିବା ଭୋଗରାଇରେ ଚଳିତ ନିର୍ବାଚନରେ କଡ଼ା ଟକର ହେବାକୁ ଯାଉଛି  । ଏଠାରେ ମୁଖ୍ୟତ କଂଗେସ ଓ ବିଜେଡ଼ି ମଧ୍ୟରେ ଲଢେଇ ହେବାକୁ ଥିବା ବେଳେ ନିର୍ଣ୍ଣାୟକ ସାଜିବ ବିଜେପି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଭୋଗରାଇର ସାମଗ୍ରିକ ବିକାଶରେ ମାଇଲଖୁଣ୍ଟ ସ୍ଥାପନ କରି ଚାଲିଛି । ପଶ୍ଚିମବଙ୍ଗ ସୀମା ସଂଲଗ୍ନ ଏହି ଅଞ୍ଚଳ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବାରୁ ଏଠାରୁ ପ୍ରତିନିଧିତ୍ୱ କରୁଥିବା ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଉପରେ ଅଧିକ ନଜର ରହିଥାଏ । 
୧୯୯୦ ମହିହାରୁ ତିନି ଦଶନ୍ଧି ଧରି ଭୋଗରାଇରେ ଅଣକଂଗ୍ରେସ ବିଧାୟକ ଭାବେ ଡ.କମଳା ଦାସ ଓ ପରିବର୍ତ୍ତୀ ସମୟରେ ଅନନ୍ତ ଦାସ ଲଗାତର ଚାରିଥର ବିଜୟୀ ହୋଇଛନ୍ତି । ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଡ. କମଳା ଦାସ ଜନତା ଦଳରୁ ଦୁଇ ଥର ବିଜୟୀ ହୋଇଥିବା ବେଳେ ୨୦୦୦ ମସିହାରେ ବିଜୁ ଜନତା ଦଳରୁ ବିଜୟୀ ହୋଇ ମନ୍ତ୍ରୀ ହୋଇଥିଲେ । ୨୦୦୪ ମସିହାରୁ ୨୦୨୪ ପର୍ଯ୍ୟନ୍ତ ୨୦ବର୍ଷ ଧରି ଭୋଗରାଇରୁ ଅନନ୍ତ ଦାସ ଲଗାତର ଚାରି ଥର ବିଜେଡିରୁ ବିଜୟୀ ହୋଇଛନ୍ତି । ତେବେ ବୟସାଧିକ୍ୟ କାରଣରୁ ଚଳିତ ନିର୍ବାଚନରେ ଭୋଗରାଇରୁ ଅନନ୍ତଙ୍କ ସ୍ଥାନରେ ବିଜେଡି ନୂଆ ଚେହେରା ଭାବେ ଗୌତମବୁଦ୍ଧ ଦାସଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । ଗୌତମ ବିଜେଡିର ଭୋଟ ବ୍ୟାଙ୍କକୁ ବଢ଼ାଇ ଏହି ଗୁରୁତ୍ୱପୂର୍ଣ୍ଣ ଆସନରେ ବାଜିମାତ୍ କରିବେ ବୋଲି ସମର୍ଥକ ମହଲ ବେଶ୍ ଆଶାବାଦୀ ରହିଛନ୍ତି । ସାମ୍ବାଦିକତାରୁ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଗୌତମବୁଦ୍ଧ ରାଜ୍ୟ ରାଜନୀତିରେ ଜଣେ ଜଣାଶୁଣା ଚେହେରା । ସେ ବିଜୁ ଜନତା ଦଳର ବରିଷ୍ଠ ମୁଖପାତ୍ର ଭାବେ କାର୍ଯ୍ୟ କରିଆସୁଛନ୍ତି । ଗୌତମଙ୍କ ବାପା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୁର୍ଗାଶଙ୍କର ଦାସ ଗତ ୧୯୫୭-୬୧ ମସିହାରେ କଂଗ୍ରେସରୁ ଭୋଗରାଇର ବିଧାୟକ ଥିଲେ । ଏମିତିକି ଗୌତମଙ୍କ ବଡବାପା ପ୍ୟାରୀମୋହନ ଦାସ ୧୯୬୧ ଓ ୧୯୬୭ରେ ପ୍ରଜା ସୋସିଆଲିଷ୍ଟ ପାର୍ଟିରୁ ଦୁଇ ଥର ବିଧାୟକ ରହି ଭୋଗରାଇ ଲୋକପ୍ରିୟ ନେତା ଥିଲେ । ସ୍ଥାନୀୟ ଲୋକପ୍ରିୟତା ତଥା ନିର୍ବିବାଦୀୟ ଚେହେରାକୁ ଆଧାର କରି ଶାସକ ବିଜୁ ଜନତା ଦଳ ଭୋଗରାଇ ଭଳି ଗୁରୁରତ୍ୱପୂର୍ଣ୍ଣ ଆସନରୁ ଗୌତମଙ୍କୁ ପ୍ରାର୍ଥୀ କରିଛି । ତେବେ ଗୌତମଙ୍କ ଲଢ଼େଇ କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସଙ୍କ ସହ ହେବାକୁ ଯାଉଛି । ଗତ ୨୦୧୪ ଓ ୨୦୧୯ ସାଧାରଣ ନର୍ବାଚରେ ବିଜେଡି ବିଧାୟକ ଅନନ୍ତ ଦାସଙ୍କ ବିରୁଦ୍ଧରେ ସତ୍ୟଶିବ ଲଢ଼ି ପରାଜୟ ହୋଇଛନ୍ତି । କଂଗ୍ରେସର ପୁରୁଖା ନୋତ କାର୍ତ୍ତିକେଶ୍ୱର ପାତ୍ରଙ୍କୁ ୨୦୦୯ରେ ୪୦.୫୩% ମିଳିଥିବା ବେଳେ ୨୦୧୪ରେ ସତ୍ୟଶିବଙ୍କୁ ୩୭.୩୭% ଏବଂ ୨୦୧୯ରେ ୩୬.୫୧% ଭୋଟ ମିଳିଥିଲା । ତେବେ ତୃତୀୟଥର ପାଇଁ କଂଗ୍ରେସ ସତ୍ୟଶିବଙ୍କ ଉପରେ ଭରସା କରି ଭୋଗରାଇରୁ ଟିକେଟ ଦେଇଛି । ଅନ୍ୟପକ୍ଷରେ ବିଜେଡି ଓ କଂଗ୍ରେସ ମଧ୍ୟରେ ନିର୍ବାଚନୀ ଲଢ଼େଇ ହେଉଥିବା ବେଳେ ବିଜେପିର ସାଙ୍ଗଠନିକ ସ୍ଥିତି ଦୁର୍ବଳ ରହିଆସିଛି । କିନ୍ତୁ ଚଳିତ ନିର୍ବାଚନରେ କଂଗ୍ରେସ ଭୋଟ ବ୍ୟାଙ୍କରେ ବିଭାଜନ କରି ବିଜେପି ନିଜର ସୁଦୃଢ଼ କରିବାକୁ ପୂର୍ବତନ ଭୋଗରାଇ ବ୍ଲକ୍ ସଂଗ୍ରେସ ସଭାପତି ଆଶିଷ ପାତ୍ରଙ୍କୁ ଟିକେଟ ଦେଇ ନିର୍ବାଚନୀ ରଣାଙ୍ଗନକୁ ଅଧିକ ରୋଚକପୂର୍ଣ୍ଣ କରିଛି । ଶେଷ ମୁହୂର୍ତ୍ତରେ ବିଜେପି ତା’ର ରଣନୀତି ବଦଳାଇ କଂଗ୍ରେସରୁ ଆମଦାନୀ ନେତା ଆଶିଷଙ୍କୁ ଟିକେଟ ଦେଇଛି ସତ, କିନ୍ତୁ ଏଯାଏଁ ଭୋଗରାଇ ବିଜେପିର ପୂର୍ବତନ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ଆଶାୟୀ ଆଶିଷ ମହାନ୍ତି ମତିଗତି ସଠିକ୍ ଭାବେ ବୁଝାପଡିନାହିଁ । ଭୋଗରାଇ ବିଜେପି ପ୍ରାର୍ଥୀ ଆଶିଷଙ୍କ ଭୋଟ୍ ବିଭାଜନ ଉପରେ ଆଗାମୀ ନିର୍ବାଚନୀ ଫଳାଫଳ ନିର୍ଭର କରୁଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଲାଗି ରହିଛି । ତେବେ ଏଠାରେ କିଏ ମାରିବ ବାଜି, ତାହା ଆସନ୍ତା ଜୁନ ୪ରେ ହିଁ ଜଣାପଡ଼ିବ ।