ଛକା ମାରିଥିବା ପ୍ରମିଳା ନାଁ ତିନିଥର ହାରିଥିବା ବବିତା
ଯାଜପୁର: ଭାରତର ରାଜନୈ÷ତିକ ଇତିହାସରେ ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅନନ୍ୟ । ଯୋଉ ନିର୍ବାଚନମଣ୍ଡଳୀର ସଚେତନ ନାଗରିକ ଆଜିବି ସଂରକ୍ଷଣ ପରିବର୍ତ୍ତନ ନହେବା ପଛର କାରଣ ଖୋଜିଚାଲିଛନ୍ତି । ବର୍ଷବର୍ଷ ଧରି ସଂରକ୍ଷଣ ପରିବର୍ତନ କାରଣ ଖୋଜୁଥିବା ମତଦାତା ନିର୍ବାଚନ ଆସିଲେ ନିଜର ମତସାବ୍ୟସ୍ଥ କରିଥାନ୍ତି । ୨୪ ନିର୍ବାଚନରେ ନିଜର ମତସାବ୍ୟସ୍ଥ କରିବାକୁ ପ୍ରସ୍ତୁତି ହୋଇ ରହିଛନ୍ତି ମତଦାତା । ନିର୍ବାଚନ ମଇଦାନରେ ରହିଛନ୍ତି କଂଗ୍ରେସରୁ କନକଲତା ମଲ୍ଲିକ, ବିଜେଡ଼ିରୁ ପ୍ରମିଳା ମଲ୍ଲିକ, ବିଜେପିରୁ ବବିତା ମଲ୍ଲିକ, ଏସୟୁସିଆଇ(ସି)ରୁ ରାଧାବଲ୍ଲିଭ ମଳିକ । ୨ଲକ୍ଷ ୨୮ହଜାର୨୦୫ ଭୋଟରଙ୍କ ମନ ଜିଣିବାକୁ ନିଜ ନିଜ ଉଦ୍ୟମରେ ଲାଗିପଡ଼ିଛନ୍ତି । ଯଦି ବାସ୍ତବତା ଦେଖାଯାଏ, ତେବେ ବିଞ୍ଝାରପୁରରେ ବିଜେଡ଼ି-ବିଜେପି ମଧ୍ୟରେ ହିଁ ଲଢେଇ ହେଉଛି । ୧୯୬୭ ମସିହାରୁ ଆଜିଯାଏ ସଂରକ୍ଷିତ ହୋଇରହିଥିବା ବିଞ୍ଝାରପୁର ମତଦାତା ବିଜେଡ଼ିର ପ୍ରମିଳା ମଲିକଙ୍କୁ ଛକାମାରିବାର ସୁଯୋଗ ଦେଇଛନ୍ତି । ୨୦୦୦ ମସିହାରୁ ଲଗାତାର ବିଞ୍ଝାରପୁରରୁ ବିଜୟୀ ହୋଇ ଆସୁଥିବା ପ୍ରମିଳା ୧୯୯୦ରେ ପ୍ରଥମ ବିଜୟ ହାସଲ କରି ବିଧାନସଭାକୁ ଯାଇଥିଲେ । ଏକାଧିକ ଥର ମନ୍ତ୍ରୀ, ଦଳର ରାଜ୍ୟ ନେତ୍ରୀ, ବାଚସ୍ପତି ଭଳି ଗାରିମାମୟ ପଦରେ ରହିଥିବା ପ୍ରମିଳା ୭ଥର ବିଜୟ ଲକ୍ଷ୍ୟରେ ରହିଛନ୍ତି । ବିଞ୍ଝାରପୁର ମତଦାତା ତାଙ୍କୁ ବିଜୟି କରାଇଲେ ପ୍ରମିଳା ରେକର୍ଡ଼ର ସୈାଭାଗ୍ୟଧାରୀ ହୋଇପାରିବେ । କିନ୍ତୁ ୨୪ ନିର୍ବାଚନ ପ୍ରମିଳାଙ୍କ ପାଇଁ ଏତେ ସହଜ ନୁହେଁ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଏକ ସମୟରେ କଂଗ୍ରେସକୁ ମାତ ଦେଇ ଆସିଥିବା ପ୍ରମିଳା ୧୯ ନିର୍ବାଚନରେ ବିଜେପିକୁ ମାତ ଦେବାକୁ ସମର୍ଥ ହୋଇଥିଲେ ହେଁ ଚଳିତ ନିର୍ବାଚନରେ କରସ୍ମା ଦେଖାଇବାକୁ ବବିତା ମଲିକ ଲାଗିପଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ସାଙ୍ଗକୁ ରାଜ୍ୟରେ ବିଜେପି ସରକାର କରିବାର ଯେଉଁ ସ୍ପଷ୍ଟତା ପ୍ରକାଶ କରୁଛି, ସେହି ହାୱାରେ ବବିତା ବାଜିମାତ କରିବାର ବିଶ୍ୱାସ ରଖିଛନ୍ତି । ବବିତାଙ୍କ ନିର୍ବାଚନ ପରିଚାଳନା କ୍ୟାମ୍ପରେ ବିଜେଡ଼ିରୁ ଲମ୍ପ ଦେଇ ଆସିଥିବା ଅନେକ ତୁଙ୍ଗ ନେତା ରହିଛନ୍ତି । ଯେଉଁ ମାନେ କି ବବିତାଙ୍କ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଛନ୍ତି । ବବିତା ପୂର୍ବ ନିର୍ବାଚନ ପରି ସେମାନଙ୍କ ଉପରେ ନିର୍ଭରଶୀଳ ରହିଛନ୍ତି । ତୁଙ୍ଗ ନେତାଙ୍କ ପରିଚାଳନାକୁ ବବିତା ବିଶ୍ୱାସ ରଖି ଚାଲିଥିଲେ ହେଁ ମତଦାତାଙ୍କ ଉପରେ ଅଧିକରୁ ଅଧିକ ଭରସା କରିଚାଲିଛନ୍ତି । ବବିତାଙ୍କ ପାଇଁ ଦଶରଥପୁର ବ୍ଲକ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଚାରଥିବା ବେଳେ ବବିତାଙ୍କ ପାଇଁ ଦଳର ବରିଷ୍ଟ ନେତା ଭିକେପାଣ୍ଡିଆନ ପ୍ରଚାର କରିଫେରିଛନ୍ତି । ଦଳର ତୁଙ୍ଗ ନେତାଙ୍କ ପ୍ରଚାର ପରେ ଉଭୟ ପ୍ରମିଳା ଏବଂ ବବିତା ଚେଇଁ ଉଠିଛନ୍ତି । ବବିତା ସମର୍ଥକଙ୍କୁ ନେଇ ପ୍ରଚାରକୁ ଯୋରଦାର କରିଥିବା ବେଳେ ଘର ଘରକୁ ଜାଣିଥିବା ୬ଥରର ବିଧାୟିକା ପ୍ରମିଳା ମଲିକ ମଧ୍ୟ ପଛରେ ପଡ଼ିନାହାନ୍ତି । ଲଗାତାର ବିଜୟି ହୋଇ ଆସୁଥିବା ପ୍ରମିଳାଙ୍କୁ ବବିତା କଡ଼ ଟକର ଦେଉଛନ୍ତି । ପଦ୍ମଚିହ୍ନ ପ୍ରତି ବଢୁଥିବା ସମର୍ଥନକୁ ହାତେଇବା ପାଇଁ ବବିତା ମୋଦିଙ୍କ ଗ୍ୟାରେଣ୍ଟି କଥା କହୁଥିବା ବେଳେ ବିଞ୍ଝାରପୁରରେ ହୋଇଥିବା ଦୁର୍ନୀତିକୁ ଇସୁ କରୁଛନ୍ତି । କେବଳ ସେତକ ନୁହେଁ ୩ଥର ହାରିଥିବା ବବିତା ଏଥର ସୁଯୋଗ ଦେବାକୁ ଅନୁରୋଧ ରଖି ନିଜ ପାଇଁ ସିମ୍ପାତି ହାସଲ ଉଦ୍ୟମ କରିଛନ୍ତି । କିନ୍ତୁ ରାଜନୀତି ଗୋଟି ଚଳାଇବାରେ ଧୂରନ୍ଧର ପ୍ରମିଳା ବବିତାଙ୍କୁ ଚେକ୍ ଦେବାକୁ ପ୍ରାଣପଣେ ଲାଗିପଡ଼ିଛନ୍ତି । ଭୋଟ କାହା ସପକ୍ଷରେ ଯିବ, ତାହାତ ସମୟ କହିବ, କିନ୍ତୁ ଛକାମାରିଥିବା ପ୍ରମିଳା ରେକର୍ଡ଼ ଲକ୍ଷ୍ୟରେ ରହିଥିବା ବେଳେ ବବିତା ପଦ୍ମ ଚିହ୍ନ ବିଜୟ କରିବ ବୋଲି ବିଶ୍ୱାସ ରଖିଛନ୍ତି ।