କଂଗ୍ରେସ ଛାଡ଼ିଲେ ଏହି ପୂର୍ବତନ ବିଧାୟକ
ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ସେ ତାଙ୍କ ଇସ୍ତଫାପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ବରିଷ୍ଠ କଂଗ୍ରେସ ନେତା ତଥା ଦଳର ବାଲେଶ୍ୱର ଲୋକସଭା ଆସନ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ଦୁର୍ବ୍ୟବହାର ଓ କାର୍ୟ୍ୟକଳାପରେ ଅତିଷ୍ଠ ହୋଇ ସେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି। ଏହା ସହିତ ସ୍ୱାଧୀନ ଭାବେ ବାଲେଶ୍ୱର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଶ୍ରୀକାନ୍ତ ଜେନାଙ୍କୁ ଚ୍ୟାଲେଞ୍ଜ ଦେଇ ସେ ଲୋକସଭା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ଚିତ୍ତରଂଜନ ତାଙ୍କ ଇସ୍ତଫାପତ୍ରରେ ମଧ୍ୟ ଶ୍ରୀକାନ୍ତ ଜେନାଙ୍କ ଦୁର୍ବ୍ୟବହାର କଥା ଲେଖିଛନ୍ତି। ତେବେ ତାଙ୍କ ଅଭିଯୋଗ ନେଇ ଶ୍ରୀକାନ୍ତ ଜେନାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
୧୯୯୦ରେ ସ୍ୱାଧୀନ ଭାବେ ନୀଳଗିରି ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ଚିତ୍ତରଞ୍ଜନ ଷଡ଼ଙ୍ଗୀ। ପରବର୍ତ୍ତୀ ସମୟରେ ଜନତା ଦଳ ଓ ବିଜୁ ଜନତା ଦଳ ସହିତ ଥିଲେ। ତେବେ ୨୦୧୫ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ।