ପରମ୍ପରା ହେବାକୁ ଯାଉଛି ରାଜନୀତିରେ ଦଳଡିଆଁ
ବାଲେଶ୍ୱରରୁ ସରୋଜ ପଣ୍ଡା : ଚଳିତ ନିର୍ବାଚନରେ ଶେଷ ମତଦାନକୁ ଆଉ ମାତ୍ର ଅଳ୍ପ ଦିନ ବାକି । ଏହାରି ଭିତରେ ଚାଲିଛି ଦଳ ପରିବର୍ତ୍ତନର ଧାରା । ପ୍ରଚାର କାର୍ଯ୍ୟ ସାଙ୍ଗକୁ ପ୍ରାର୍ଥୀମାନେ ବଳ ଗୋଟାଇବାକୁ ଅନ୍ୟାନ୍ୟ ଦଳରୁ କର୍ମୀଙ୍କୁ ଆଣି ମିଶ୍ରଣରେ ଲାଗିପଡ଼ିଛନ୍ତି । ଜିଲାର ପ୍ରାୟ ପ୍ରମୁଖ ତିନି ଦଳର ପ୍ରାର୍ଥୀ ଏବେ ଏହି ମିଶ୍ରଣ ପ୍ରକ୍ରିୟା ଜାରି ରଖିଛନ୍ତି । ଅନ୍ୟପକ୍ଷରେ ଦଳର ଟିକଟରୁ ବଞ୍ଚିତ ଆଶାୟୀମାନେ ମଧ୍ୟ ଏଥିରୁ ବାଦ ପଡ଼ି ନାହାନ୍ତି । କିଛି ଆଶାୟୀ ଦଳୀୟ ଅନୁଶାସନ ପାଳନ ପୂର୍ବକ ନିରବ ମୁଦ୍ରାରେ ରହି ଆଗାମୀ ଗୋଟି ଚାଳନା ପାଇଁ ବ୍ଲୁ୍ୟ ପ୍ରିଣ୍ଟ ପ୍ରସ୍ତୁତିରେ ଲାଗି ପଡ଼ିଥିବାବେଳେ ଅନ୍ୟ କେତେକ ଆଶାୟୀ ଯୁଦ୍ଧଂଦେହି ଡାକରା ଦେଇ ନିଜର ସହଯୋଗୀ, ଦଳୀୟ କର୍ମୀ ଓ ସମର୍ଥକଙ୍କୁ ନେଇ ଅନ୍ୟଦଳକୁ ଡେଇଁ ଚାଲିଛନ୍ତି । ବିଧାନସଭା ଆସନରୁ ବଞ୍ଚିତ ହୋଇ ଶେଷ ପର୍ଯ୍ୟାୟରେ ନୀଳଗିରିର ବିଜେଡି ସଂଗଠକ ବିଜେପିକୁ ଲମ୍ଫ ମାରିବା ତା’ର ନିଚ୍ଛକ ଉଦାହରଣ ହୋଇଛି ।
କେବଳ ନୀଳଗିରି ନୁହେଁ, ବରଂ ବାଲେଶ୍ୱର ଲୋକସଭା ଆସନ ସମେତ ଜିଲାର ବିଭିନ୍ନ ବିଧାନସଭା ଆସନର ତିନି ଦଳରେ ଏହି ଦଳଡିଆଁ ସ୍ଥିତି ପରିଲକ୍ଷିତ ହୋଇଛି । ଏହି ପରିପ୍ରେକ୍ଷୀରେ ବାଦ ପଡ଼ି ନାହାନ୍ତି ବିଜେଡିର ଲୋକସଭା ପ୍ରାର୍ଥୀ ଡ.ଲେଖାଶ୍ରୀ ସାମନ୍ତ ସିଂହାର । ବିଜେପିର ଜଣେ ଟାଣୁଆ ନେତ୍ରୀ ଭାବେ ପରିଚିତ ଡ.ଲେଖାଶ୍ରୀ ଦଳୀୟ ଟିକଟରୁ ବଞ୍ଚିତ ହୋଇ ବିଜେଡିରେ ଯୋଗଦାନ କରିଥିଲେ । ବିଜେଡିରେ ସାମିଲ ହେବାର ୪ ଦିନ ମଧ୍ୟରେ ଦଳ ତାଙ୍କୁ ବାଲେଶ୍ୱର ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ସେହିଭଳି ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ ଦଳ ପରିତ୍ୟାଗ ସହ ବିଜେଡିରେ ମିଶିଥିଲେ । ଦୀର୍ଘ ସମୟ ଝୁଲାଇ ରଖିବା ପରେ ଦଳୀୟ ଶୀର୍ଷ ନେତୃତ୍ୱ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ । ସେହିଭଳି ବିଜେଡି ସଂଗଠକ ସନ୍ତୋଷ ଖଟୁଆକୁ ଶେଷରେ କୋଳେଇ ନେଇ ବିଜେପି ଟିକଟ ଦେଲା । ତେବେ ଅନ୍ୟାନ୍ୟ ଆସନରେ ଦଳଡିଆଁଙ୍କୁ ବିଜେଡି ଏଥର ଟିକଟ ଦେଇ ନଥିଲେ ବି ଅଧିକାଂଶ ସ୍ଥାନରେ ନୂଆମୁହଁଙ୍କୁ ପ୍ରାର୍ଥୀ କରିଥିବା ଦେଖିବାକୁ ମିଳିଛି ।
ତେବେ ଦଳଡିଆଁଙ୍କୁ ଟିକଟ ଦେବାରେ ଜିଲାର ବିଜେପି ଆଗରେ ଥିବା ଲକ୍ଷ୍ୟ କରାଯାଇଛି । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ସିମୁଳିଆ ଆସନରେ, ନୀଳଗିରିର ସନ୍ତୋଷ ଖଟୁଆ, ବସ୍ତାର ରବୀନ୍ଦ୍ର ଅଣ୍ଡିଆ, ଜଳେଶ୍ୱରର ବ୍ରଜକିଶୋର ପ୍ରଧାନ ଓ କଂଗ୍ରେସ ପରିତ୍ୟାଗ କରିଥିବା ଆଶିଷ ପାତ୍ରଙ୍କୁ ଭୋଗରାଇ ଆସନରେ ଏଥର ଦଳ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ଅଧିକାଂଶ ସ୍ଥାନରେ ନୂଆ ଚେହେରାଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଛାଡ଼ି ଦଳରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ସୁଦର୍ଶନ ଜେନାଙ୍କୁ ରେମୁଣା ବିଧାନସଭା ଆସନରେ ପ୍ରାର୍ଥୀ କରିଛି ।
ସାଂଗଠନିକ ଦକ୍ଷତା ଥାଇ ମୂଳ ଦଳରେ କୋଣଠେସା ହୋଇ ରହିବା ଅପେକ୍ଷା ଦଳ ପରିବର୍ତ୍ତନକୁ ଏବର ନେତାମାନେ ଅଧିକ ଗୁରୁତ୍ୱ ଦେଇଛନ୍ତି । ସାମ୍ପ୍ରତିକ ରାଜନୀତିର ଦଳଡିଆଁ ଏକ ବୈଧ ପରମ୍ପରା ହେବାକୁ ଯାଉଥିବାବେଳେ ସେମାନଙ୍କ ପ୍ରତି ଦଳୀୟ କର୍ମୀ ଓ ଭୋଟରଙ୍କ ସମର୍ଥନ କେତେ ରହିବ, ତାହାକୁ ନେଇ ବୁଦ୍ଧଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତୃଣମୂଳ ସ୍ତରରେ କର୍ମୀଙ୍କୁ ଏକଜୁଟ କରି ସଂଗଠନକୁ ଆଗକୁ ନେଉଥିବା ନେତାଙ୍କୁ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ଉପେକ୍ଷା, ଚଳିତ ନର୍ବାଚନରେ ଦଳଡିଆଁ ପରମ୍ପରାକୁ ପ୍ରୋସôାହିତ କରିଛି ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି । ତେବେ ନେତାଙ୍କ ସମେତ ମୂଳ ଦଳରୁ ଆସିଥିବା ସହଯୋଗୀ ଓ କର୍ମୀଙ୍କ ସହ ନୂଆ ଦଳର କର୍ମୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷାରେ ହିଁ ସଫଳତା ଅବଶ୍ୟମ୍ଭାବୀ ବୋଲି ସେମାନେ ପ୍ରକାଶ କରିଛନ୍ତି । ଦଳୀୟ ସଂଗଠକ, ନେତା ଓ କର୍ମୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଦଳ ପରିବର୍ତ୍ତନକାରୀ ନେତା ଏହି ନିର୍ବାଚନରେ ସମର୍ଥନ ଜୁଟାଇବାରେ କେତେ ସଫଳ ହେବେ, ତାହାକୁ ଅପେକ୍ଷା କରିଛନ୍ତି ଜିଲାବାସ