ଦିଲ୍ଲୀରେ ପାଣ୍ଡିଆନ୍ ; କୁଟ୍ଟେଙ୍କ ସହ କରୁଛନ୍ତି ମନ୍ତ୍ରଣା
VK pandian Naveen Pattanaik
ଭୁବନେଶ୍ୱର : ଦିଲ୍ଲୀରେ ଅଛନ୍ତି ଭିକେ ପାଣ୍ଡିଆନ୍ । ଏକ ପଞ୍ଚତାରକା ହୋଟେଲରେ ସେ ରହୁଥିବା ଜାଣିବାକୁ ମିଳିଛି । ନିଲମ୍ବିତ ଆଇପିଏସ ଡିଏସ କୁଟ୍ଟେ ମଧ୍ୟ ଏବେ ଦିଲ୍ଲୀରେ ଅଛନ୍ତି । ଉଭୟ ନେତା କିଛି ମନ୍ତ୍ରଣା କରୁଥିବା ନେଇ ଚର୍ଚ୍ଚା ହେଉଛି ।
ନବୀନ ସରକାର ଓ ବିଜେଡ଼ିରେ ପାଣ୍ଡିଆନ ହିଁ ଥିଲେ ଶକ୍ତି କେନ୍ଦ୍ର । ବିଜେଡ଼ିର ପ୍ରଚାର ମଙ୍ଗ, ଟିକେଟ ଆବଣ୍ଟନ, ରଣନୀତି ସବୁ କିଛି ସେ ହିଁ ସ୍ଥିର କରୁଥିଲେ । ଏପରିକି ଦଳ ସରକାର ନଗଢ଼ିଲେ ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି ଘୋଷଣା କରିଥିଲେ । ଚବିଶ ନିର୍ବାଚନରେ ବିଜେଡ଼ିର ବିପର୍ଯ୍ୟୟ ପାଇଁ ତାଙ୍କୁ ହିଁ ସମସ୍ତେ ଦାୟୀ କରୁଛନ୍ତି । ଓଡ଼ିଆ ଅସ୍ମିତା ପ୍ରସଙ୍ଗ ହିଁ ବିଜେଡ଼ିକୁ ଧରାଶାୟୀ କରିଛି ବୋଲି ରାଜନୀତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ମଧ୍ୟ ପାଣ୍ଡିଆନଙ୍କ ବିରୋଧରେ ଟୀକା ଟିପ୍ପଣୀ ଆସୁଛି । ବରିଷ୍ଠ ବିଜେଡ଼ି ନେତାମାନେ ମଧ୍ୟ ନାଁ ନନେଇ ତାଙ୍କରି ଆଡ଼କୁ ହିଁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । ଏଭଳି ସ୍ଥିତିରେ ପାଣ୍ଡିଆନ ଏବେ ଚାପରେ ଅଛନ୍ତି । ଜୁନ୍ ୪ରୁ ତାଙ୍କୁ ଦେଖିବାକୁ ହିଁ ମିଳୁନାହିଁ । ନବୀନ ନିବାସରେ ବିଜେଡ଼ିର ପରାଜୟ ସମୀକ୍ଷା ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ପାଣ୍ଡିଆନ୍ ବୈଠକରେ ଉପସ୍ଥିତ ନଥିଲେ । ଗତକାଲି ବିଳମ୍ବିତ ରାତ୍ରିରେ ସେ ଦିଲ୍ଲୀ ଯାଇଥିଲେ ଓ ଏବେ ଏକ ପଞ୍ଚତାରକା ହୋଟେଲରେ ରହୁଛନ୍ତି । ତେବେ ଭୁବନେଶ୍ୱର ଛାଡ଼ି ସେ କାହିଁକି ଦିଲ୍ଲୀ ଯାଇଛନ୍ତି ତାହା ଏବେ ରାଜନୀତିକ ବଳୟକୁ ଆନ୍ଦୋଳିତ କରିଛି ।