ଗୁଣି ଗାରେଡ଼ିକୁ ନେଇ ତୁମୁଳକାଣ୍ଡ; ପୁଲିସକୁ ଅଟକାଇଲେ


 ଯାଜପୁର ବ୍ଲକ ଅନ୍ତର୍ଗତ ନାଥସାହି ପଞ୍ଚାୟତର ଶବର ସାହିରେ ଗୁଣି ଗାରେଡ଼ିକୁ ନେଇ ଘଟିଛି ତୁମୁଳକାଣ୍ଡ ।  ଘଟଣାରୁ ପ୍ରକାଶ ଯେ ସୁନିନ୍ଦା ଗ୍ରାମର ଜଗନ୍ନାଥ ବାରିକ ନିଜ ମୋବାଇଲ୍ ଫୋନରେ ଗତକାଲି ଶୁକ୍ରବାର ସକାଳେ ଶବର ସାହିରେ ଥିବାଗ୍ରାମଦେବତୀ ଡାଳୁଆସୁଣିଙ୍କ ଫଟୋ ଉଠାଇ କୌଣସି ଏକ ଗୁଣିଆ ଦ୍ୱାରା ମନ୍ତ୍ରତନ୍ତ୍ର କରି ଶବର ସାହିରେ ବସବାସ କରୁଥିବା ପ୍ରାୟ ୩୦ପରିବାରର କ୍ଷତି ଘଟାଇବାର ଧମକ ଦେଇଥିଲା । ଧମକ ଦେବାର କିଛି ସମୟ ପରେ ଅର୍ଥାତ୍ ସନ୍ଧ୍ୟା ସମୟରେ ଶବର ସାହିର ଝିଅ ବୋହୂ  ଗାଁ ଦାଣ୍ଡରେ ଗଡୁଥିବା ଦେଖିବାକୁ ମିଳିଥିଲା ଓ ଗୁଣି ଗାରେଡ଼ିରେ ସଂପୃକ୍ତ ଥିବା ଜଗାର ମା ଓ ସ୍ତ୍ରୀକୁ ଶବର ସାହିରେ ଲୋକେ ଅଟକ ରଖିଥିଲେ । କୌଣସି ସୂତ୍ରରୁ ଖବରପାଇ ଯାଜପୁର ସଦର ଥାନା ପୁଲିସ ସଦଳବଳେ ଘଟଣାସ୍ଥଳରେ ପହଁଚି ଘଟଣା ସଂପର୍କରେ ପଚରା ଉଚରା କରୁଥିବା ବେଳେ ଗ୍ରାମବାସୀ ମାନେ ଉତ୍ୟକ୍ତ ହୋଇ ଏହି ଘଟଣାରେ ସଂପୃକ୍ତ ଜଗାକୁ ଏଠାରେ ହାଜର ନକଲେ ଆମ୍ଭେ ପୁଲିସ ଗାଡ଼ିକୁ ଛାଡିବୁ ନାହିଁ ବୋଲି ଜିଦ୍ ଧରିଥିଲେ । ପୁଲିସକୁ ଅଟକ ରଖିବାରୁ ସେଠାରେ ସାମାନ୍ୟ ଉତେଜନା ପ୍ରକାଶ ପାଇଥିଲା । ପରେ ପୁଲିସ ବିଭାଗର ବହୁ ଅଧିକାରୀ ୩ ପ୍ଲାଟୁନ୍ ଫୋର୍ସ ସହ ଘଟଣା ସ୍ଥଳରେ ପହଁଚି ଅଟକ ଥିବା ପୁଲିସ ଓ ଅଭିଯୁକ୍ତ ଜଗାର ପରିବାର ଲୋକଙ୍କୁ ଉଦ୍ଧାର କରିଥିଲେ । ଏସମ୍ପର୍କରେ ଉଭୟ ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ ଥିବାବେଳେ ସଦର ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି ।