ବୈତରଣୀରୁ ଲମ୍ବିଛି ମାଳ ମାଳ ବାଲି ବୋଝେଇ ଗାଡ଼ି
ଯାଜପୁର: ସରକାର ବଦଳିଲା, କିନ୍ତୁ ବ୍ୟବସ୍ଥାରେ ପରିବର୍ତନ ଘଟିଲାନି । ସରକାରୀ ଅଧିକାରୀଙ୍କୁ ଧରି ଲୁଟେରା ଯେମିତି ଆଗରୁ ବାଲି ଲୁଟୁଥିଲେ ସେମିତି ଲୁଟିବାରେ ଲାଗିଛନ୍ତି । ଲୁଟେରା ବାଲି ଲୁଟି ମାଲେ ମାଲ୍ ହେଉଥିବା ବେଳେ ସାଧାରଣ ଜନତା କିନ୍ତୁ କଲବଲ ହେଉଛନ୍ତି । ବୋଝେଇ ଗାଡି ଲମ୍ବା ଲାଇନ ଲାଗିଛି ବୈତରଣୀ ନଦୀର ବିଭିନ୍ନ ଘାଟରୁ । ଯାହା ରାସ୍ତା ବାରି ହେବାକୁ ଘଣ୍ଟା ଘଣ୍ଟା ଲାଗୁଛି । ଯଦି ବାଲି ବୋଝେଇ ଗାଡ଼ି କୈାଣସି ସ୍ଥାନରେ ଫସିଗଲା ତ କଥା ସରିଲା । ନାଁ ଚାରି ଚକିଆ ଗାଡ଼ିଟିଏ ରାସ୍ତା ଉପରେ ଯାଇପାରିବ ନାଁ ଜରୁରୀ ସେବା ଯୋଗାଉଥିବା ଆମ୍ବୁଲାନ୍ସ କା ଦମକଳ । ଏଭଳି ଚିତ୍ର ବରୁଣ୍ଡାଇରୁ ମକୁନ୍ଦପୁର ପର୍ଯ୍ୟନ୍ତ ରାସ୍ତାରେ ବାରମ୍ବାର ଦେଖିବାକୁ ମିଳୁଛି । ଶହଶହ ସଂଖ୍ୟାର ବାଲି ବୋଝେଇ ଗାଡ଼ି ରାସ୍ତା ଉପରେ ଗଡ଼ୁଛି । ନଦୀ କୂଳିଆ ଅଞ୍ଚଳର ରାସ୍ତା ବାଲି ବୋଝେଇ ପାଇଁ ଦୁର୍ବିଶହ ହୋଇପଡ଼ୁଥିଲେ ହେଁ ରାଜସ୍ୱ ନାଁରେ ପ୍ରଶାସନ ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଚାଲିଛି । ବ୍ୟାସନଗର ତହସିଲ ଅନ୍ତର୍ଗତ ବୈତରଣୀ ନଦୀରେ ଏକାଧିକ ଘାଟରୁ ବାଲି ଉଠିବାରେ ଲାଗିଛି । ନିଦ୍ଧିଷ୍ଟ କିଛି ଲୁଟେରା ବର୍ଷବର୍ଷ ଧରି କରିଆସୁଛନ୍ତି ଏହି କାର୍ଯ୍ୟ । ବିଜେଡ଼ି ଶାସନ ସମୟରେ ବିଜେଡ଼ି ନେତାଙ୍କୁ କରାୟତ କରି ବାଲି ଲୁଟି ଚାଲିଥିବା ଲୁଟେରା ଏବେ ବିଜେପି ସରକାର ଅମଳରେ ମଧ୍ୟ ବିଜେପି ନେତାଙ୍କୁ ଧରାଧରି କରି ଆରମ୍ଭ କରିଦେଲେଣି ଲୁଟପାଟ । ଯାହା ସୂଚନା ରହିଛି, ମକୁନ୍ଦପୁର ଘାଟଟି ଲିଜସୂତ୍ରରେ ଦିଆଯାଇଥିଲେ ହେଁ ଲିଜଧାରୀଙ୍କୁ ଚିହ୍ନଟ ଦିଆଯାଇନଥିଲେ ହେଁ ଅହରହ ବାଲି ଉଠାଣ ହେଉଛି । ବିନା ଅନୁମତିରେ ଏଠାରୁ ଗଲା କିଛି ଦିନ ହେବ ଦୈନିକ ଶହଶହ ଟି୍ରପ ବାଲି ବିଭିନ୍ନ ପ୍ରାନ୍ତକୁ ପରିବହନ ହେଉଛି । ଜଣାଶୁଣା ଲୁଟେରା ବିଜେଡ଼ି ନେତାଙ୍କୁ ଧରାଧରି କରି ଯେଭଳି କରି ଆସୁଥିଲେ ଏବେ ବିଜେପି ନେତାଙ୍କ ସରଣକୁ ଯାଇ ସେଭଳି କରି ଚାଲିଛନ୍ତି । ଘାଟରୁ ମେସିନରେ ବାଲି ଉଠାଇବାର ଅନୁମତି ନଥିବା ବେଳେ ଏଠାରୁ କିନ୍ତୁ ରୀତିମତ ମଣିଷ ବଦଳରେ ମେସିନକୁ ବ୍ୟବହାର କରାଯାଉଛି । ଆଉ ୬ଚକିଆ ବଦଳରେ ଘାଟ ଏବଂ ବାଟରେ ଓଜନଦାର ହାଇୱାରେ ବାଲି ବୋଝେଇ ଦିଆଯାଉଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଖଣି ବିଭାଗ କି ତହସିଲ ପ୍ରଶାସନକୁ ଏହା ନଜରକୁ ଆସୁନି । ମୂଳାପାଳରେ ୩ଟି ଘାଟ ଥିବା ଏବଂ ଏହା ଅନୁମତି ନଥିବା ବେଳେ ବେଆଇନ ଭାବେ ବାଲି ଉଠାଣ ହୋଇ ଚାଲାଣ କରାଯାଉଛି । ସାଅାଁଳା, ନୟାହାଟପାଟଣା ଘାଟରୁ ମଧ୍ୟ ଦୈନିକ ବାଲିପରିବହନ ହେବାରେ ଲାଗିଛି । ଏକାଧିକ ଘାଟରୁ ବୋଝେଇ ହୋଇ ଆସୁଥିବା ମାଳ ମାଳ ଗାଡ଼ି ଜନତାଙ୍କୁ କଲବଲ କରିବାରେ ଲାଗିଛି । ସ୍ଥାନୀୟ ବିଧାୟକ, ଜିଲା ପ୍ରଶାସନ ଏବଂ ସର୍ବୋପରି ଖଣି ବିଭାଗ ଦୃଷ୍ଟି ନଦେଲେ ବର୍ଷାଦିନେ ହଜାର ହଜାରପରିବାର ଦୁର୍ଦ୍ଦଶା ଭୋଗିବା ସାର୍ ହେବ ।