ନିରାପତ୍ତା ଦାବି କଲେ ପରିବାର
ବ୍ରହ୍ମବରଦା,: ମୁଣ୍ଡ ଉପରେ ଝୁଲୁଛି ମୃତୁ୍ୟର ଘଣ୍ଟି । ମାନେ ଉଚ୍ଚ କ୍ଷମତା ସମ୍ପନ୍ନ ୩୩ କେଭି ବିଦୁ୍ୟତ୍ ତାର । ବହୁ ଶଙ୍କା ଆଶଙ୍କାରେ ବିତୁଛି ପରିବାର ସଦସ୍ୟଙ୍କ ଜୀବନ । ଘରର ଦୁଇ ମସଲା ବାଲକୋନୀରେ ଚଳ ପ୍ରଚଳ କରିବାକୁ ଲାଗୁଛି ଭୟ ।
କାରଣ ୩୩ କେଭି ବିଦୁ୍ୟତ ତାର କେତେ ବେଳେ ଯେ କାହା ଜୀବନ ନେବ ତାହା ତାହା ଦେଖିଲେ ହିଁ ଅନୁଭବ କରିହେବ । ବିଦୁ୍ୟତ୍ ବିଭାଗର ଏପରି ଖାମଖିଆଲି ମନୋଭାବ ଯୋଗୁ ଏବେ ହନ୍ତସନ୍ତ ହେଉଛନ୍ତି ଜୈନେକ ବ୍ୟକ୍ତିଙ୍କ ପରିବାର । ଜନସାଧାରଣ ମାନଙ୍କୁ ଉନ୍ନତ ମାନର ବିଦୁ୍ୟତ୍ ସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଟାଟା ବିଦୁ୍ୟତ୍ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଲୋକ ମାନଙ୍କର ସୁରକ୍ଷା ପାଇଁ କେଉଁଠି ଟ୍ରାନ୍ସଫର୍ମର ନିକଟରେ ଲୁହା ବାଡା ତ କେଉଁଠି ମୁଣ୍ଡ ଉପର ଦେଇ ଯାଇଥିବା ବିଦୁ୍ୟତ୍ ତାରକୁ କେବୁଲ ଦ୍ୱାରା ଆଚ୍ଛାଦିତ କରି ସୁରକ୍ଷିତ କରୁଛନ୍ତି । ଗୋଟିଏ ପଟେ ଟାଟା ତରଫରୁ ଏତେ ସବୁ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆ ଯାଉଥିଲେ ମଧ୍ୟ ଅନ୍ୟପଟେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ଏନେଇ ନେଇ ବ୍ରହ୍ମବରଦା ବିଦୁ୍ୟତ୍ ଉପଖଣ୍ଡ କନିଷ୍ଠ ପରିଚାଳକଙ୍କ କାର୍ଯ୍ୟାଳୟ ଓ କୁଆଖିଆ ବିଦୁ୍ୟତ୍ ଖଣ୍ଡ ଏସ୍ଡିଓଙ୍କ ନିକଟରେ ଡାକଯୋଗେ ଅଭିଯୋଗ କରିଛନ୍ତି ଜୈନେକ ବ୍ୟକ୍ତି । ଅଭିଯୋଗ ମତେ ରସୁଲପୁର ବ୍ଲକ ଅଧିନ ସାହାପଡା ଗ୍ରାମର ସୁରେଶ କୁମାର ସାହୁ (ତାଡିଆ) ପିତା ସ୍ୱର୍ଗତ ଲୋକନାଥ ସାହୁ ତାଙ୍କର ବ୍ରହ୍ମବରଦା ପଞ୍ଚାୟତ ସ୍ଥିତ ପହି ନିକଟରେ ଥିବା ଦୁଇ ମହଲା ବାସଗୃହ ବାଲକୋନୀର ଖୁବ ନିକଟ ଦେଇ ବିନା କେବୁଲର ଉଚ୍ଚ କ୍ଷମତା ସମ୍ପନ୍ନ ୩୩ କେଭି ବିଦୁ୍ୟତ୍ ତାର ଯାଇଅଛି । ଫଳରେ ପରିବାର ଲୋକେ ତାଙ୍କ ନିଜ ବାଲକୋନୀକୁ ଯିବାଆସିବା କରିବା ପାଇଁ ଭୟ କରୁଛନ୍ତି । ଘର ସାମ୍ନା ଉପର ଦେଇ ଉକ୍ତ ଶକ୍ତି ସମ୍ପନ୍ନ ବିଦୁ୍ୟତ୍ ତାର ଯାଇଥିବାରୁ ପରିବାର ଲୋକେ ସବୁ ସମୟରେ ଘରକୁ ଯିବା ଆସିବା କରିବାରେ ସୁରକ୍ଷିତ ମଣୁନାହାନ୍ତି । ଏହା ବ୍ୟତିତ ଘରର ଷ୍ଟିଲ ବାଲକୋନୀ ଠାରୁ ମାତ୍ର କେଇହାତ ଦୂରରେ ତାରଟି ଯାଇଥିବାରୁ ଓ ୩୩ କେଭି ବିଦୁ୍ୟତ୍ ତାର ଚତୁଃପାର୍ଶ୍ୱରେ ଏକ ବୈଦୁ୍ୟତିକ ବଳୟ ସର୍ବଦା ଲାଗିରହିବାରୁ ବାଲକୋନୀକୁ ଯାଉଥିବା ପରିବାର ଲୋକଙ୍କୁ ବିପଦ ଯେପରି ହାତଠାରି ଡାକୁଛି । ଆହୁରି ପୁଣି ବର୍ତ୍ତମାନ ଖରାଦିନେ ଲାଗିରହିଥିବା କାଳବୈଶାଖୀ ପ୍ରଭାବରେ ହଠାତ ଉକ୍ତ ୍ ତାର ଛିଣ୍ଡି ଘର ଉପରେ ପଡିବା ସହ ଅକାରଣରେ ଧନ ଜୀବନ ହାନି ହେବାର ଯଥେଷ୍ଠ ସମ୍ଭାବନା ରହିଛି । ଅନ୍ୟ ଏକ ଘଟଣାରୁ ଗତ ୧୭ ତାରିଖ ଶୁକ୍ରବାର ଉକ୍ତ ଅଞ୍ଚଳରେ ଘଟି ଯାଇଥିବା ଏକ ଦୁର୍ଘଟଣା ସମ୍ପର୍କରେ କୁହନ୍ତିକି ବାଲିଚନ୍ଦ୍ରପୁର ଥାନା ଅଧିନ ମାଣ୍ଡୁକା ଗ୍ରାମର ହେମନ୍ତ ଦଳେଇ ନାମକ ଜଣେ ଡ୍ରାଇଭର ନିଜ ବାଲି ବୋଝେଇ ହାଇବା ଗାଡିକୁ ବ୍ରାହ୍ମଣୀନଦୀ ପଠା ନିକଟରେ ରଖି ହେଲପର ମାଣ୍ଡୁକା ଗ୍ରାମର କହ୍ନେଇ ଦଲେଇ ଡାଲାର ପାଲ ବାନ୍ଧୁଥିବା ସମୟରେ ଗାଡି ଉପର ଦେଇ ଯାଇଥିବା ଉକ୍ତ ୩୩ କେଭି ବିଦୁ୍ୟତ୍ ତାରଟି ତାକୁ ନିଜ ଆଡକୁ ଟାଣି ନେଇ ପରେ ଛିଟିକି ଫିଙ୍ଗି ଦେଇଥିଲା । ଫଳରେ ହେଲପର ଜଣଙ୍କ ଚେତାଶୂନ୍ୟ ହୋଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ପରେ ଏକ ନିଶ୍ଚିତ ମୃତୁ୍ୟ ମୁଖରୁ ବର୍ତ୍ତି ଯାଇଥିଲା । ଏହା ବ୍ୟତୀତ ତାଙ୍କ ମତରେ ୨୦୧୦ ମସିହାରୁ ସେ ସେଠାରେ ଘର କରି ରହିଆସୁଛନ୍ତି । ମାତ୍ର ୧୦ ମାସ ପୂର୍ବରୁ ଏଲ୍ ଆଣ୍ଡ୍ ଟି କମ୍ପାନୀ ଦ୍ୱାରା ତାଙ୍କ ଘର ସାମ୍ନା ଦେଇ ଉକ୍ତ ତାର ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ତାର ଚାରି ମାସ ପରେ ସେ ଏଲ୍ ଆଣ୍ଡ୍ଟି ଅଧିକାରୀଙ୍କ ନିକଟରେ ଉକ୍ତ ତାରର ସୁରକ୍ଷା ନେଇ ଅଭିଯୋଗ କରିଥିଲେ । କମ୍ପାନୀ ତରଫରୁ ଉକ୍ତ ତାର ତଳେ ନେଟ କଭରେଜ କରାଯାଇଥିଲା । କିନ୍ତୁ ଉକ୍ତ ବାଲି ଗାଡିର ହେଲପର ସହିତ ଏପରି ଦୁର୍ଭାଗ୍ୟ ଜନକ ଘଟଣା ଘଟିବା ପରେ ଅଧିକ ଆତଙ୍କିତ ଓ ଭୟଭୀତ ହୋଇପଡିଛନ୍ତି । ତେଣୁ ନିଜ ପରିବାରର ସୁରକ୍ଷା ସହିତ ଆଗକୁ ଯେପରି ଏହାର ପୁନରାବୃତି ନଘଟେ ତୁରନ୍ତ ଏହାର ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଶ୍ରୀ ସାହୁ ବିଭାଗୀୟ ଅଧିକାରୀମାନଙ୍କ ନିକଟରେ ଦାବି କରିଛନ୍ତି ।