ଚାଷୀଙ୍କ ଅଜାଣତରେ ଟଙ୍କା ହଢପ ଘଟଣା, ଚତୁର୍ଥ ଦିନରେ ଅନଶନ
ରାଜକନିକା: ରାଜକନିକା ବ୍ଲକ ବରୁଣା ପ୍ରାଥମିକ କୃଷି ସମବାୟ ସମିତି ଲିଃ ର ଚାଷୀଙ୍କ ଅଜାଣତରେ ଟଙ୍କା ହେର ଫେର ଘଟଣାର ନ୍ୟାୟ ପାଇଁ ଦାବି କରି ପେଗରପଡା ସମିତି ସଭ୍ୟ ପ୍ରବେଶନ ମଲ୍ଲିକ ଚାଷୀଭାଇଙ୍କୁ ନେଇ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ, ରାଜକନିକା ଶାଖା ସମ୍ମୁଖରେ ଆମରଣ ଅନଶନ ଶୁକ୍ରବାର ଚତୁର୍ଥ ଦିନରେ ପହଞ୍ଚିଛି । ଏଥିରେ ସାମିଲ ହୋଇଛନ୍ତି ସମାଜିକ କର୍ମୀ ରାଜନାରାୟଣ ଜେନା । ଆଜି ଅନଶନକୁ ସମର୍ଥନ ଜଣାଇ ରାଜକନିକା ବ୍ଲକର ବିଭିନ୍ନ ପ୍ରାନ୍ତରରୁ ଶତାଧିକ ଚାଷୀ ସାମିଲ ହୋଇଥିଲେ । ଦିନକୁ ଦିନ ଅନଶନ କାରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଥିବା ବେଳେ, ଅନଶନ ସ୍ଥଳରେ ଡାକ୍ତରୀ ଟିମ୍ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି । ତେବେ ଅନଶନ ଚତୁର୍ଥ ଦିନରେ ପହଞ୍ଚି ଥିବା ବେଳେ, ସମ୍ପୃକ୍ତ ସମ୍ପାଦକ ଏବଂ ପୂର୍ବତନ ଶାଖା ପରିଚାଳକ ଦ୍ୱୟଙ୍କ ଉପରେ ସେଭଳି କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନହୋଇ କେବଳ ଲୋକଦେଖାଣିଆ ବିଭାଗୀୟ ତଦନ୍ତ ଓ ଶାଖା ପରିଚାଳକଙ୍କ ଅନ୍ୟତ୍ର ବଦଳି କରାଯାଇଥିବା ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାକୁ ନେଇ ଆଜି ଅନଶନକୁ ପୂର୍ଣ୍ଣପ୍ରାଣରେ ସହଯୋଗ କରୁଥିବା ସାମାଜିକ କର୍ମୀ ରାଜନାରାୟଣ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପ୍ରଥମେ କନିକା ତହସିଲଦାର, କେନ୍ଦ୍ରାପଡା ଜିଲ୍ଲାପାଳ, ବିଭାଗୀୟ ସଚିବ, ମନ୍ତ୍ରୀ(ସମବାୟ) ଓ ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହି ଦଳରେ ସୁଭ୍ରଜିତ୍ ବିଶ୍ୱାଳ, ଜଗନ୍ନାଥ ସାମଲ, ନନ୍ଦିନୀ ମଲିକ, ଅକ୍ଷୟ ମଲିକ, ଅଜୟ ଜେନା ପ୍ରମୁଖ ସାମିଲ ହୋଇଥିବା ବେଳେ ଆଜି ଆମରଣ ଅନସନରେ ସୂର୍ଯ୍ୟମଣୀ ସାହୁ, ସ୍ୱରାଜ କୁମାର ଦାଶ, ସୁମନ୍ତ ମଲିକ, ଯଯାତି ପଟ୍ଟନାୟକ, ହିମାଂଶୁ ସାମଲ, ଅକ୍ଷୟ ଗାହାଣ ପ୍ରମୁଖ ସହଯୋଗ କରିଥିଲେ ।