ସମୁଦ୍ର ସୁରକ୍ଷା ହେବ କଡ଼ାକଡ଼ି: ଡିଜିପି
ଭୁବନେଶ୍ୱର: ଏଣିକି ସମୁଦ୍ର ପଥର ସୁରକ୍ଷା ବଢ଼ିବ । ଦିନରାତି ସମୁଦ୍ର ଭିତରେ ପଇଁତରା ମାରିବ ପୁଲିସ । ସେଥିପାଇଁ ସାମୁଦ୍ରିକ ଥାନାକୁ ମିଳିବ ଅଧିକ ଡଙ୍ଗା । ଭିତ୍ତିଭୂମିର କରାଯିବ ଉନ୍ନତି । ବାଙ୍ଗାଲାଦେଶୀ ଅନୁପ୍ରବେଶ ଉପରେ ଲାଗିବ ରୋକ । ଏପରି ସୂଚନା ଦେଇଛନ୍ତି ଡିଜିପି ୱାଇବି ଖୁରାନିଆ । ରାଜ୍ୟର ୪୮୦ କିଲୋମିଟର ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବଢ଼ାଇବା ଉଦେ୍ଦଶ୍ୟରେ ସାମୁଦ୍ରିକ ଥାନାଗୁଡ଼ିକରେ ଅଧିକ ଡଙ୍ଗା ଯୋଡ଼ି ସମୁଦ୍ରରେ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ପୁଲିସ କରିଛି ଯୋଜନା ।
ଡିଜିପି ୱାଇବି ଖୁରାନିଆ କହିଛନ୍ତି ଯେ, ଓଡ଼ିଶାର ୧୮ଟି ସାମୁଦ୍ରିକ ଥାନାରେ ମାତ୍ର ୧୩ଟି ଡଙ୍ଗା ରହିଛି । ଯାହା ପୁରୁଣା ହୋଇଯାଇଛି । ଗାଇଡଲାଇନ ଅନୁଯାୟୀ ସାମୁଦ୍ରିକ ଥାନା ଗୁଡ଼ିକ ୧୨ ନଟିକାଲ ମାଇଲ ପର୍ଯ୍ୟନ୍ତ ସମୁଦ୍ରରେ ପାଟ୍ରୋଲିଂ କରିବା କଥା । ଆମର ଉପସ୍ଥିତି ବଢ଼ାଇବା ପାଇଁ ପାଟ୍ରୋଲିଂ ଉଦେ୍ଦଶ୍ୟରେ ଅତି କମରେ ୧୦ଟି ଯାନ୍ତ୍ରିକ ଡଙ୍ଗା ଭଡ଼ାରେ ନେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ବିଧାନସଭାରେ ସପ୍ଲିମେଣ୍ଟାରୀ ବଜେଟ୍ ଉପସ୍ଥାପିତ ହେବା ପରେ ସାମୁଦ୍ରିକ ଥାନାଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ଆଲୋଚନା ହେବ ବୋଲି ଖୁରାନିଆ ସୂଚନା ଦେଇଛନ୍ତି । ଏହି ପାଣ୍ଠି ଆବଣ୍ଟନ ହେବା ପରେ ରାଜ୍ୟର ଉପକୂଳରେ ଡ୍ରୋନ୍ ସର୍ଭ?ଲାନ୍ସ ଆରମ୍ଭ କରିବାକୁ ପ୍ରୟାସ କରାଯିବ । ଡିଜିପି କହିଛନ୍ତି ଯେ ଓଡ଼ିଶା ପୁଲିସ ମଧ୍ୟ ନୂତନ ଇଣ୍ଟରସେପ୍ଟର ଡଙ୍ଗା କିଣିବାକୁ ଯୋଜନା କରୁଛି ଏବଂ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ପଠାଯିବ । କେନ୍ଦ୍ରର ଉପକୂଳ ସୁରକ୍ଷା ଯୋଜନା ଅଧୀନରେ ସମଗ୍ର ଉପକୂଳରେ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ପାଇଁ ୧୮ଟି ସାମୁଦ୍ରିକ ଥାନା ମଞ୍ଜୁର କରାଯାଇଥିଲା । ବେଆଇନ ଅସ୍ତ୍ରଶସ୍ତ୍ର ରପ୍ତାନୀ, ସମୁଦ୍ର ମାର୍ଗ ଦେଇ ନିଷିଦ୍ଧ ସାମଗ୍ରୀ ରପ୍ତାନି, ଅନଧିକୃତ ବ୍ୟକ୍ତିଙ୍କ ଅନୁପ୍ରବେଶ, ଦେଶବିରୋଧୀ ତତ୍ତ୍ୱଙ୍କ ପ୍ରବେଶ, ବେଆଇନ/ଅନିୟନ୍ତ୍ରିତ ମାଛଧରାକୁ ରୋକିବା ଏବଂ ସମୁଦ୍ର କୂଳରେ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ଆକ୍ରମଣରୁ ରକ୍ଷା କରିବା ଏଭଳି ଥାନାଗୁଡ଼ିକ ପ୍ରତିଷ୍ଠାର ଉଦେ୍ଦଶ୍ୟ । ତେବେ ଆବଶ୍ୟକ ପାଣ୍ଠି ଅଭାବରୁ ରାଜ୍ୟର ସାମୁଦ୍ରିକ ଥାନାଗୁଡ଼ିକ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଓଡ଼ିଶା ପୁଲିସର ଉପକୂଳ ସୁରକ୍ଷା ଶାଖାର କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର କିମ୍ବା ନିଜସ୍ୱ ଜେଟି ମଧ୍ୟ ନାହିଁ । ଏହାର ସ୍ଥାୟୀ କାର୍ଯ୍ୟାଳୟ ମଧ୍ୟ ନାହିଁ । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ୍ୟ)ର ପୁରୁଣା କୋଠା ପରିସରରେ କାର୍ଯ୍ୟ କରୁଛି ।