ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ : ଜାନୁଆରି ୮ରୁ ଧାନ କିଣା ଆରମ୍ଭ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଜାନୁଆରୀ ୮ ତାରିଖରୁ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ଆରମ୍ଭ ହେବ । ପର୍ଯ୍ୟାୟକ୍ରମେ ୫୪୬୫୮ ପଞ୍ଜୀକୃତ ଚାଷୀମାନଙ୍କ ଠାରୁ ୮୮ ଗୋଟି ମଣ୍ଡି ମାଧ୍ୟମରେ ୧୩୯୫୩୦୮କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାଯାଇଛି ।
ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଚାଷୀମାନଙ୍କ ସୁବିଧା ପାଇଁ ମଣ୍ଡିରେ ପର୍ଯ୍ୟାପ୍ତ ସୁବିଧା, ଶୀଘ୍ର ଧାନ ଉଠିବା ପାଇଁ ନିଆଯାଉଥିବା ପଦକ୍ଷେପ ଓ ଚୋରା ଚାଲାଣ ହେଉଥିବା ଧାନ ଗାଡ଼ିକୁ ଜବତ କରିବା ସହ ଗତଥର ମଣ୍ଡିରେ ଉପୁଜିଥିବା ବିଭିନ୍ନ ସମସ୍ୟାର ପୁନରାବୃତ୍ତି ନ ଘଟିବା, ଚାଷୀମାନେ ଯେପରି କଟ୍ନୀ ଛଟନୀର ଶିକାର ନ ହେବେ, ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଝୋଟ ବସ୍ତାର ପର୍ଯ୍ୟାପ୍ତ ଯୋଗାଣ, ମଣ୍ଡିରେ ବିଜୁଳି, ଭିତ୍ତିଭୂମି, ଆଶ୍ରୟ ସ୍ଥଳ, ଟୋକନ୍ ସମୟ ସୀମା, ସମସ୍ତ ବ୍ଲକରେ ଓଜନ ମେସିନର ଉପଲବ୍ଧି ଉପରେ ଆଲୋଚନା କରିବା ସହ ଚାଷୀ ପ୍ରତିନିଧି, ମିଲର ତଥା ପ୍ରଶାସନିକ ସହଯୋଗରେ ଚଳିତ ଖରିଫ ଧାନ ସଂଗ୍ରହକୁ ବିନା କୌଣସି ଅସୁବିଧାରେ ସମ୍ପନ୍ନ କରିବାକୁ ଆହ୍ୱାନ ଦେଇଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଚଳିତ ବର୍ଷ ଏଫ୍ଏକୁ୍ୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ପିଛା ୨୩୦୦/- ଟଙ୍କା ଏବଂ ଗ୍ରେଡ-ଏ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ୨୩୨୦/- ଟଙ୍କା ରଖାଯାଇଛି । ଏହାବାଦ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ ଆସିଷ୍ଟାନ୍ସ ମଧ୍ୟ ଦିଆଯିବ । ପ୍ରତ୍ୟେକ ଧାନ ମଣ୍ଡିରେ ଗୁଣାତ୍ମକ ମାନ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରାଯିବ । ଏଥିନିମନ୍ତେ ରେଜିଷ୍ଟର ରଖାଯାଇ ମାନଯାଞ୍ଚ ତଥ୍ୟ ଓ କୃଷକମାନଙ୍କ ନାମ ଉଲ୍ଲେଖ ରହିବ । ଏଥିନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ଓ ନିୟନ୍ତ୍ରଣ ବଜାର କମିଟି ସମ୍ପାଦକ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ସଂଗୃହୀତ ଧାନର ମାନ ନିରୀକ୍ଷଣ କରିବା ପାଇଁ ଯନ୍ତ୍ରର ବ୍ୟବହାର କରାଯିବ ଏବଂ ସମସ୍ତ ମଣ୍ଡିମାନଙ୍କରେ ଡିଜିଟାଲ ଆଦ୍ରତା ମାପ ଯନ୍ତ୍ର ଲଗାଯିବ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବସନ୍ତ ପଣ୍ଡା ସୂଚନା ଦେଇଥିଲେ । ଅସାଧୁ ବ୍ୟକ୍ତି ଯେପରି ଧାନ ସଂଗ୍ରହ ପ୍ରକ୍ରିୟାରେ ହସ୍ତକ୍ଷେପ ନକରନ୍ତି ଏଥିପ୍ରତି ଧ୍ୟାନ ଦେବାକୁ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ପରାମର୍ଶ ଦେଇଥିଲେ । ଏହା ସହ ସେ କହିଥିଲେ ମଣ୍ଡିରେ ସଂଗ୍ରହ ହେବାକୁ ଥିବା ଧାନକୁ ସୁରକ୍ଷିତ ଭାବେ ରଖିବାକୁ ଆବଶ୍ୟକୀୟ ପଲିଥିନ ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଚଳିତ ବର୍ଷ ନୂତନ ଭାବେ ମଣ୍ଡିମାନଙ୍କରେ ନୋଡାଲ ଅଧିକାରୀ, ସୁପରଭାଇଜରମାନେ ରହିବେ । ଯାହାଫଳରେ ଚାଷୀମାନେ ସେମାନଙ୍କ ଅସୁବିଧା ସିଧାସଳଖ ସେମାନଙ୍କୁ ଜଣାଇପାରିବେ । ଏହା ସହିତ ଏ ସମ୍ବନ୍ଧୀୟ ସୂଚନା ପାଇଁ ହେଲ୍ପ ଲାଇନ୍-୧୯୬୭ ଜାରି କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ, ହିନେ୍ଦାଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ଡିଆରସିଏସି ସରୋଜିନୀ ଜେନା, ମିଲର, କୃଷକ ପ୍ରତିନିଧି ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।