କଳା ଅବତାର ଓ ଅଂଶାବତାର
ଭଗବାନଙ୍କର କଳା ବା ଅଂଶ ନେଇ ଯଦି କୌଣସି ଅବତାର ପୃଥିବୀରେ ଅବତୀର୍ଣ୍ଣ ହୁଅନ୍ତି ତାହେଲେ ତାଙ୍କୁ ଭଗବାନଙ୍କର କଳା ଅବତାର ବୋଲି କୁହାଯାଏ । ଭଗବାନଙ୍କର ଯେତେ ଗୁଡ଼ିଏ ଅବତାର ଅଛି ତା ମଧ୍ୟରୁ ଅଂଶାବତାର ବା କଳାବତାର ଅଧିକ । କଳାବତାର ଓ ଅଂଶାବତାର ମଧ୍ୟରେ ସାମ୍ୟ ସୁସ୍ପଷ୍ଟ । ଏ ସମ୍ପର୍କରେ ଭାଗବତରେ ଯଥେଷ୍ଟ ଆଲୋଚନା କରାଯାଇଛି । ଭାଗବତ ଦଶମସ୍କନ୍ଦ ପଞ୍ଚମ ଅଧ୍ୟାୟ ୨୪ ପଦରେ ଶେଷନାଗଙ୍କୁ କଳାବତାର ବୋଲି ବର୍ଣ୍ଣନା କରାଯାଇଥିଲା ବେଳେ ଏକାଦଶ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ ପ୍ରଥମ ପଦରେ ଅଂଶାବତାର ବୋଲି କୁହାଯାଇଛି ତେଣୁ ଅଂଶାବତାର ଓ କଳାବତାର ଭିତରେ ଶବ୍ଦର ପାର୍ଥକ୍ୟ ପରିଲକ୍ଷିତ ହେଲେ ମଧ୍ୟ ଅର୍ଥଗତ ସାମ୍ୟ ସୁସ୍ପଷ୍ଟ । କଳାବତାର ବା ଅଂଶାବତାର ପ୍ରାଚୀନତା ଦେଖିବାକୁ ଗଲେ ମନେ ହୁଏ ଯେ ଏହା ବହୁ ପ୍ରାଚୀନ କାଳରୁ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖିତ । ସେଥିରେ ଅବତାର ସହିତ କଳାରୂପ ଓ କଳାଶକ୍ତିର ମଧ୍ୟ ବ୍ୟବହାର ହୋଇଛି । ବିଷ୍ଣୁଙ୍କର ଅବତାର ମଧ୍ୟରେ ହେଉଛି ସପ୍ତମ ଅବତାର । ଏହି ଅବତାର ସମ୍ପୂର୍ଣ୍ଣ ମାନବ ଅବତାର । ଜଣେ ପ୍ରତାପୀ ମେଧା, ପ୍ରଜ୍ଞାଦୀପ୍ତ, ସ୍ଥିତପ୍ରଜ୍ଞା, ବିଚକ୍ଷଣ ଓ ବୀର ଭାବରେ ରାମାବତାର ଚିତ୍ରିତ ହୋଇଛି । ଧର୍ମର ପ୍ରତିଷ୍ଠା ଏବଂ ଅଧର୍ମ ବିରୁଦ୍ଧରେ ସଂଗ୍ରାମ ତଥା ଦୁଷ୍ଟ ସଂହାର ପାଇଁ ଭଗବାନ ମାନବ ଦେହରେ ଅବତୀର୍ଣ୍ଣ ହୁଅନ୍ତି । ଏହି ମୌଳିକ କାରଣ ଲାଗି ରାମଅବତାରର ପ୍ରୟୋଜନ । ଅତ୍ୟାଚାରୀ ରାବଣର ଅତ୍ୟାଚାରରେ ଜର୍ଜରିତ ଧରଣୀକୁ ଉଦ୍ଧାର କରିବା ପାଇଁ ଏବଂ ସତ୍ୟ ଧର୍ମ ନ୍ୟାୟର ପ୍ରତିଷ୍ଠା ପାଇଁ ରାବଣର ବିନାଶ ପାଇଁ ବିଷ୍ଣୁଙ୍କର ରାମଚନ୍ଦ୍ର ଅବତାର ।
ପ୍ରାଚୀନ ଯୁଗଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଭାରତୀୟ ସାହିତ୍ୟରେ ଯେଉଁ ଦୁଇଜଣ କାବ୍ୟ ନାୟକ ସାହିତ୍ୟକୁ ଋଦ୍ଧିମନ୍ତ କରିପାରିଛନ୍ତି ସେମାନେ ହେଲେ ରାଘବ ଶ୍ରୀରାମଚନ୍ଦ୍ର ଏବଂ ବାସୁଦେବ ଶ୍ରୀକୃଷ୍ଣ । ଭାରତୀୟ ସଂସ୍କୃତି ମୁଖ୍ୟତଃ ଏହି ଦୁଇଜଣଙ୍କୁ କେନ୍ଦ୍ର କରି ଗତି କରିଆସିଛି । ରାମଚନ୍ଦ୍ରଙ୍କର ଅବତାରତ୍ୱ ଅପେକ୍ଷା କାବ୍ୟ ନାୟକତ୍ୱ ଅଧିକ ମାତ୍ରାରେ ପ୍ରତିପାଦିତ । କାବ୍ୟ କବିତା ଗୁଡ଼ିକରେ ତାଙ୍କର ବେଦତ୍ୱ ଅପେକ୍ଷା ମାନବୀୟ ଗୁଣାବଳୀକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ତେଣୁ ରାମ ସାହିତ୍ୟ ପାଠକଲେ ପାଠକ ଭୁଲିଯାଏ ସେ ରାମଚନ୍ଦ୍ର ଜଣେ ସାଧାରଣ ମାନବ । ପାଠକ ହଜିଯାଏ କାବ୍ୟ ଭିତରେ ମଜିଯାଏ ତାର ଚରିତ୍ର ଗୁଣାବଳୀ ଗୁଡ଼ିକରେ ଭିଜିଯାଏ ତାଙ୍କର ଆଦର୍ଶ ଅନ୍ତର୍ନିହିତ ସତ୍ତା ଭିତରେ । କବି ଜଗନ୍ନାଥ ଦାସ ତାଙ୍କ "ଟୀକା ରାମାୟଣ'ରେ ରାମଚନ୍ଦ୍ରଙ୍କର ଅବତାର ଗୁଣ ଅପେକ୍ଷା ମାନବୀୟ ଗୁଣର ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । କବି ରାମଚନ୍ଦ୍ରଙ୍କର ଜନ୍ମ ବୃତ୍ତାନ୍ତ ଆରମ୍ଭ କରିବାକୁ ଯାଇ ବର୍ଣ୍ଣନା କରିଛନ୍ତି ଯେ ରାମଚନ୍ଦ୍ର ହେବେ ସମ୍ପୂର୍ଣ୍ଣ ମାନବ ଯେଉଁଠି ଶଙ୍ଖ, ଚକ୍ର, ଗଦା ପଦ୍ମଧାରୀ ଚତୁର୍ଭୁଜ ଅପେକ୍ଷା ଦୁଇଭୁଜଧାରୀ ମାନବ ଶକ୍ତି, ସାହସ ସଂଗ୍ରାମର ଅଧିକାରୀ ଅପେକ୍ଷା ଏକ ସାଧାରଣ ମାନବ ରୂପରେ ଗ୍ରହଣ କରିବା ଲାଗି ରାମଚନ୍ଦ୍ରଙ୍କର ଜନ୍ମ ପଛରେ ଥିଲା ପରମବ୍ରହ୍ମଙ୍କର ପରମ ନିଦେ୍ର୍ଦଶ । ସାଧାରଣତଃ ରାବଣର ନିଧନ ହେଉ ବା ଧର୍ମ ସଂସ୍ଥାପନା ନିମିତ୍ତ ହେଉ ଏହି ସବୁ ମଧ୍ୟରେ ଗୋଟିଏ ଅଖଣ୍ଡ ଚେତନା ସ୍ରୋତ ପ୍ରବାହିତ ହେଉଛି ତାହା ହେଉଛି ଇଚ୍ଛାମୟଙ୍କର ଲୀଳା ଯାହାକି ସାଧାରଣ ମଣିଷଙ୍କର ଅପେକ୍ଷା ଏକ ଅଲୌକିକ କାର୍ଯ୍ୟ ରୂପେ ଦୃଷ୍ଟିଗୋଚର ହୋଇପାରେ । କବି ଜଗନ୍ନାଥ ଦାସ ତାଙ୍କ "ଟୀକା ରାମାୟଣ' ରେ ରାମଚନ୍ଦ୍ରଙ୍କୁ ଏକ ମାନବୀୟ ଚରିତ ରୂପେ କଳ୍ପନା କରିଥିଲେ ହେଁ ଅନେକ ସ୍ଥଳରେ ଦର୍ଶାଇଛନ୍ତି ଯେ ରାମଚନ୍ଦ୍ରଙ୍କ ଦ୍ୱାରା ତାଡ଼କା ନିଧନ ପରେ ତାଡ଼କାର ସ୍ୱର୍ଗ ପ୍ରାପ୍ତ ହେଲା । ଏହି ଦୃଶ୍ୟ ଦେଖି ବିଶ୍ୱାମିତ୍ର ବିଶ୍ୱାସ କଲେ ଯେ ରାମଚନ୍ଦ୍ର ହିଁ ସ୍ୱୟଂ ବିଷ୍ଣୁ । ବିଷ୍ଣୁଙ୍କର ସମସ୍ତ କାର୍ଯ୍ୟ ଓ ଗୁଣାବଳୀରେ ଅନୁରଞ୍ଜିିତ ତେଣୁ ବିଶ୍ୱାମିତ୍ର ଭାବିଲେ ରାମଚନ୍ଦ୍ର ସାଧାରଣ ମଣିଷ ନୁହଁନ୍ତି । ରାମ ଅବତାରର ପୂର୍ବବର୍ତ୍ତୀ ଅବତାରଗୁଡ଼ିକରେ ଭଗବାନଙ୍କର ପ୍ରକଟିତ ଲୀଳାଖେଳା ପରି ରାମ ଅବତାରରେ ମଧ୍ୟ ସେହିପରି ଲୀଳା ଖେଳା ପ୍ରକଟିତ ।
ସାରଳା ମହାଭାରତର ବନପର୍ବରେ ରାମଚରିତ ସଂକ୍ଷେପ ଭାବରେ ବର୍ଣ୍ଣିତ ହୋଇଛି । ଏତଦବ୍ୟତୀତ ଭୀଷ୍ମ ପର୍ବରେ ମଧ୍ୟ ରାମ ଅବତାରର ଉଲ୍ଲେଖ ପରିଲକ୍ଷିତ ହୁଏ । ଏଥିରେ ବିଷ୍ଣୁ ରାମାବତାର ଗ୍ରହଣ କରିବା କଥା କୁହାଯାଇଛି । ଏଥିରୁ ସ୍ପଷ୍ଟ ଭାବରେ ଅନୁମତି ହୁଏ ଯେ ସାରଳା ଦାସ ରାମ ବିଷ୍ଣୁ ଓ ଜଗନ୍ନାଥଙ୍କୁ ଏକ ଓ ଅଭିନ୍ନ ବୋଲି ପରିକଳ୍ପନା କରିଛନ୍ତି । ବାଲ୍ମିକୀ ରାମାୟଣ ଓ ଜଗମୋହନ ରାମାୟଣ ରାମଚରିତ୍ରକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଅନୁମତି ହୁଏ ଯେ ବାଲ୍ମିକୀ ରାମଚନ୍ଦ୍ରଙ୍କୁ ଦେବତା ଅପେକ୍ଷା ମାନବୀୟ ଗୁଣରେ ଭୂଷିତ କରିଥିଲାବେଳେ ବଳରାମ ଦାସ ରାମଚନ୍ଦ୍ରଙ୍କୁ ମାନବ ଅପେକ୍ଷା ଦେବତାର ଆସନ ପ୍ରଦାନ କରିଛନ୍ତି । ତେଣୁ ବଳରାମ ଦାସଙ୍କ ରାମାୟଣରେ ରାମଚନ୍ଦ୍ର ବିଷ୍ଣୁଙ୍କର ଅବତାର ରୂପରେ ପ୍ରକଟିତ । ବ୍ରହ୍ମାଙ୍କ ବଳରେ ବଳୀୟାନ ରାବଣର ନିଧନ ପାଇଁ ବିଷ୍ଣୁ ରାମ ଅବତାରରେ ଆବିର୍ଭୁତ ହୋଇଛନ୍ତି । ରାମଚନ୍ଦ୍ର ଭଗବାନଙ୍କର ଏକ ଅବତାର ଏଥିରେ ସନେ୍ଦହର ଅବକାଶ ନାହିଁ । କିନ୍ତୁ ବିଭିନ୍ନ ସମାଲୋଚକଙ୍କ ଦୃଷ୍ଟିରେ ସେ ଭିନ୍ନ ରୂପ ଧାରଣ କରିଛନ୍ତି । ଏହି ଭିନ୍ନ ଭିତରେ ସେ ଅଭିନ୍ନ, ରୂପ ଭିତରେ ସେ ଅରୂପ । ଆକାର ଭିତରେ ନିରାକାର ଓ କାଳ ଭିତରେ ସେ କାଳାତୀତ ।
ସୌର ଚନ୍ଦ୍ର ମହାପାତ୍ର,ମୋ : ୯୪୩୭୦୦୪୪୬୬