ଆନନ୍ଦର ଅନ୍ୱେଷଣ


ଗୋଟିଏ ଫୁଲ ବଗିଚାରେ ଅନେକ ରଙ୍ଗର ଅନେକ ପ୍ରକାରର ଫୁଲ ଫୁଟିଥାଏ । ଗୋଲାପ, ଲିଲି, ସୂର୍ଯ୍ୟମୁଖି, ଚମ୍ପା, ଏହିପରି ଅନେକ ଫୁଲର ବାସ୍ନାରେ ବଗିଚାଟି ହସି ଉଠୁଥିଲା । ଦିନେ ଗୋଲାପ ଫୁଲଟିଏ ସୂର୍ଯ୍ୟମୁଖି ଫୁଲକୁ କହିଲା ଜାଣିବା ଅର୍ଥ ବଞ୍ଚôବା । ବଞ୍ଚୁଛୁ ଅର୍ଥ ଜାଣୁଛୁ । ବଞ୍ଚôବା ପାଇଁ ଯାହା ଜାଣୁଛୁ ତାହା ଜ୍ଞାନ । ମଣିଷ ଆମ ଠାରୁ ଅଧିକ ଦିନ ବଞ୍ଚେ ଓ ନିଜେ ସିଧା ହେବା ପାଇଁ ଶିକ୍ଷା ଲାଭ କରେ । ସୂଚନା ମଣିଷ ଭିତରେ ପରିବର୍ତ୍ତନ ଆଣେ । ବୁଝାଇବା, ଉଦାହରଣ, ଦୈନନ୍ଦିନ ଜୀବନ ପ୍ରଣାଳୀ ମନୁଷ୍ୟକୁ ତାର ଜୀବନର ଲକ୍ଷ୍ୟ ଆଡ଼କୁ ବାଟ ଦେଖାଇଥାଏ । ସେ ଆମ ଠାରୁ ଅଧିକା ଦିନ ବଞ୍ଚୁଥିଲେ ମଧ୍ୟ ତାର ଲକ୍ଷ୍ୟ ଆଡ଼କୁ ପାଦ ବଢ଼ାଇ ପାରିନଥାଏ ।
ସୂର୍ଯ୍ୟମୁଖି ଫୁଲ କହିଲା ମଣିଷର ଜନ୍ମ ମୃତୁ୍ୟ ଅଛି । ଯେପରି ଫୁଲମାନେ ପ୍ରଫୁଟିତ ହୁଅନ୍ତି ଓ ମଉଳି ଯାଆନ୍ତି । ଭଗବାନ ଜ୍ଞାନ ଠାରୁ ଅଧିକ ଦିବ୍ୟଜ୍ଞାନ ପାଇବା ମନୁଷ୍ୟକୁ ଦେଇଛନ୍ତି, କିନ୍ତୁ କି ଦୁଃଖର ବିଷୟ ଯେ ଆମ ଫୁଲ ମାନଙ୍କର ଆଧ୍ୟାତ୍ମିକ ଜଗତକୁ ନିଜେ ନିଜେ ଯାତ୍ରା କରିବାର ଆଦୌ ସୁଯୋଗ ନାହିଁ । ମନୁଷ୍ୟ ଆମ୍ଭ ମାନଙ୍କୁ ତୋଳିନେଇ ଠାକୁରଙ୍କ ପାଦ ବା ମସ୍ତକରେ ଦେଲେ ହିଁ ଆମେ ପୂର୍ଣ୍ଣତା ଲାଭ କରିଥାଉ । ଲିଲି ଫୁଲଟିଏ କହିଲା ଥରେ ମତେ ମନୁଷ୍ୟ ତୋଳି ନେଇ ଜଣେ ସାଧୁଙ୍କ ଗଳାରେ ପିନ୍ଧାଇ ଦେଇଥିଲା । ସେ କହିଥିଲେ ମନୁଷ୍ୟର ଚିନ୍ତାଶୂନ୍ୟ ମନ ହିଁ ତାକୁ ମୁକ୍ତିର ଦ୍ୱାରଦେଶକୁ ନିଏ । ଜଣେ ବ୍ୟକ୍ତି ସାଧୁଙ୍କୁ ପଚାରିଥିଲା ସଂସାରୀ ପାଇଁ ଏହା କଣ ସମ୍ଭବ? ସାଧୁ ଉକ୍ତ ବ୍ୟକ୍ତିକୁ କହିଲେ ତତେ ମୁଁ ସଂସାର ତ୍ୟାଗ କରିବାକୁ କହୁନାହିଁ । ଜୀବନରେ ସଚେତନତା ଆଣିବାକୁ କହୁଛି ଯାହା ପ୍ରକୃତି ସହିତ ସମନ୍ୱୟ ଆଣିବ । ତତେ ମାନବୀୟ ମୂଲ୍ୟବୋଧକୁ ଉଦଘାଟିତ କରିବାକୁ ହେବ । ସ୍ୱାର୍ଥପରତାକୁ ଜଳାଞ୍ଜଳି ଦେଇ ସାମୁହିକ ଉନ୍ନତିର ବୀଜରୋପଣ କରିବାକୁ ହେବ । ମାନବତ୍ୱରୁ ଦିବ୍ୟତ୍ୱକୁ ଯିବା ପାଇଁ ଏହା ଏକମାତ୍ର ଉପାୟ ।
ରଜନୀଗନ୍ଧା ଫୁଲ କହିଲା, ସେ ଦିନ ସଭାରେ ମୁଁ ବି ଥିଲି ସାଧୁ କହିଥିଲେ, କ୍ରାନ୍ତି ଅର୍ଥ ପରିବର୍ତ୍ତନ । ସଂକ୍ରାନ୍ତି ଏକ ସମୟ ଯାହାକି ମନୁଷ୍ୟକୁ ତାର ଅଭ୍ୟାସ ଓ ଚିନ୍ତାଧାରା ଓ ଚାଲିଚଳନରେ ପରିବର୍ତ୍ତନ ଆଣିବା ପାଇଁ ସୁଯୋଗ ଦିଏ । ଚମ୍ପା ଫୁଲ ଏକଥା ଶୁଣି କହିଲା, କି ଦୁଃଖର ବିଷୟ ଭଗବାନ ଆମକୁ କ୍ଷଣସ୍ଥାୟୀ କରିଛନ୍ତି । ଚଳତ୍ ଶକ୍ତି ଦେଇ ନାହାଁନ୍ତି । ଶିକ୍ଷା ଲାଭ କରିବାର ସୁଯୋଗ ଆମର ନାହିଁ କିନ୍ତୁ ଆମେ ସମସ୍ତଙ୍କୁ ସୁଗନ୍ଧ ଓ ଆନନ୍ଦ ପ୍ରଦାନ କରୁଛୁ । ମନୁଷ୍ୟକୁ ସବୁ ଦିଆଯାଇଥିଲେ ମଧ୍ୟ ବ୍ୟସ୍ତ ମାନବ ଆଧ୍ୟାତ୍ମିକ ଓ ପାର୍ଥିବ ଜଗତ ମଧ୍ୟରେ ସମନ୍ୱୟ ରକ୍ଷା କରି ପାରୁନାହିଁ । ମଣିଷ ଏ ବଗିଚାକୁ ଆସି କ୍ଷଣିକ ଆନନ୍ଦ ଅନୁସନ୍ଧାନ କରେ କାର୍ଯ୍ୟରେ ସଫଳତା ଓ ଦୈନନ୍ଦିନ କାର୍ଯ୍ୟ ସୂଚାରୁରୂପେ ସଂପାଦନ କରି କ୍ଷଣିକ ଆନନ୍ଦ ଖୋଜେ । 
ଟଗର ଫୁଲଟି କହିଲା, ଆନନ୍ଦ କୌଣସି ବଜାରରେ ମିଳେ ନାହିଁ ବା କାରଖାନାରେ ତିଆରି କୌଣସି ବସ୍ତୁ ନୁହେଁ । ଅନ୍ଧ ଚଷମାଟିଏ ଲଗାଇ ଦେଖିବାକୁ ଚେଷ୍ଟା କଲାଭଳି ମନୁଷ୍ୟ ଆନନ୍ଦକୁ ନିଜ ଭିତରେ ନଖୋଜି ବାହାରେ ଖୋଜେ । ଏହି ସମୟରେ ବଗିଚାର ମାଳି ଅଳିଆ ଡ଼ବାରେ ବଗିଚାର ଅଳିଆ ସବୁ ଗୋଟାଇ ଏକାଠି କଲା । ଅଳିଆ ଡବାଟି ବଗିଚାରେ ରହି ଫୁଲ ମାନଙ୍କର କଥୋପକଥନ ଶୁଣୁଥିଲା । ସେ କହିଲା ମଣିଷ ମୂଲ୍ୟହୀନ କାମନା, ଅଦରକାରୀ ଶତ୍ରୁତା, କୌଣସି କାରଣ ନଥାଇ ଅସୂୟାଭାବ, ଅସ୍ୱାସ୍ଥ୍ୟକର ପ୍ରତିଯୋଗିତାରେ ନିଜର ମନକୁ ଭରି ରଖୁଛି ଯେତେବେଳେ ସେ ଉପଲବ୍ଧି କରୁଛି ଯେ ସେ ତୁଚ୍ଛ ବୋଝ ମୁଣ୍ଡାଇଛି ସେ ତାକୁ ଫିଙ୍ଗି ଦେବାକୁ ଚେଷ୍ଟା କରେ । ତାର ମୁଣ୍ଡଟା ମୋର ଅଳିଆରଖା ପାତ୍ର ପରି ହୋଇଯାଏ । ମାଳି ମୋ ଭିତରେ ଥିବା ଅଳିଆକୁ ଫିଙ୍ଗିଦେବା ପରେ ମୁଁ ସଫା ହୋଇଯାଏ । ସେହିପରି ମନୁଷ୍ୟ ତାର କାମନା ବାସନା ରୂପ ଅଳିଆକୁ ଫିଙ୍ଗି ଦେଇ ପାରିଲେ ଆତ୍ମଜ୍ଞାନୀ ଓ ଆନନ୍ଦ ପାଇପାରିବ । ବୁଦ୍ଧ ସେଥିପାଇଁ କହିଥିଲେ କାମନାର ବିନାଶରେ ଦୁଃଖର ବିନାଶ । 
ଅନୀତା ପଟ୍ଟନାୟକ,ମୋ: ୯୬୯୨୯୮୦୦୨୬