ଭଞ୍ଜ ସାହିତ୍ୟ ଓ ନାରୀଶକ୍ତି


କବିତାକୁ କଳାମଞ୍ଜୁଳ ଓ ରସାଳତମ  ସଙ୍ଗୀତ ବାହାନାରେ ଅଧିଷ୍ଠିତ କରାଇବା ପାଇଁ ବହୁ ଶତାବ୍ଦୀ କାଳ ଓଡ଼ିଆ ଜାତି ସାଧନା କରିଥିଲା  । କିନ୍ତୁ କବି ସମ୍ରାଟ  ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ହିଁ ଏହି ସାଧନାର ମୁଣ୍ଡି ମାରିଥିଲା । ଯେଉଁ ଅଳଙ୍କାରବିଭବ ଓ ରସବିଭବ ନେଇ ସଂସ୍କୃତ ଭାଷା ବିଶ୍ୱବନ୍ଦ୍ୟା, ସେ ସବୁକୁ ନିଜ କାବ୍ୟ କବିତାରେ ପ୍ରବର୍ତ୍ତନ କରି ଓଡ଼ିଆ ଭାଷାର ସ୍ଥିତି ଦୃଢ଼ କରିଥିଲେ ସେ  । ତେବେ ସେତେବେଳର ସମାଜରେ ନାରୀର ଦୟନୀୟ ସ୍ଥିତିକୁ ପରିବର୍ତ୍ତନ କରିବାର ଚିନ୍ତା ନେଇ ସେ ଯେଉଁ କାବ୍ୟ କବିତାମାନ ରଚନା କରିଯାଇଥିଲେ ତା’ର ପ୍ରଭାବ ଆଜିର ସମାଜରେ ଦେଖିବାକୁ ମିଳୁଛି  । ଓଡ଼ିଆ ଜାତି ଯେଉଁ ଜଣକୁ କବିଭାବେ ହୃଦୟର ସହିତ ଗ୍ରହଣ କରିଛି ସେ ହେଉଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ  । ସେଥିପାଇଁ ଓଡ଼ିଆମାନଙ୍କ ପ୍ରାଣକୁ ଚିହ୍ନିଥିବା ଗୋପବନ୍ଧୁ ଲ୍ଖେିଥିଲେ- ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ -ପଥେ ପାନ୍ଥ ଦୁଷ୍ଟମନା, ବିଲେ ବୋଲେ ଚଷା ଅନ୍ତଃପୁରେ ଯୋଷ, ନୃତ୍ୟରଙ୍ଗେ ବାରାଙ୍ଗନା  । ଓଡ଼ିଆ ସାହିତ୍ୟ ନିଜର ପୃଷ୍ଠଭୂମି ପାଇଁ ସଂଘର୍ଷ କରୁଥିବା ସମୟରେ ଆବିର୍ଭାବ ହୋଇଥିଲେ ଉଚ୍ଚକୋଟୀର ଶବ୍ଦ ଓ ବର୍ଣ୍ଣନା ଯୋଗୁଁ ଚଷାଠାରୁ ବାରାଙ୍ଗନା ଯାଏଁ ସମସ୍ତଙ୍କ ପି୍ରୟ ହୋଇପାରିଥିଲା  । ଗତାନୁଗତିକ ସାହିତ୍ୟରୁ ବ୍ୟତିକ୍ରମ ଥିଲା ଭଞ୍ଜ ସାହିତ୍ୟ  । ସମାଜକୁ ସୁସ୍ଥ ସୁନ୍ଦର କରିବାରେ ସହାୟକ ହେଉଥିବା ପୁରାଣ ବର୍ଣ୍ଣିତ ବିଚାରଧାରାକୁ ଗ୍ରହଣ କରିବା ସହ ଏହାର ପରିପନ୍ଥୀ ବିଚାରଧାରାକୁ ପ୍ରତ୍ୟାଖ୍ୟାନ ମଧ୍ୟ କରିଥିଲେ ସେ  । ସେଥିମଧ୍ୟରୁ ମୁଖ୍ୟ ଥିଲା ନାରୀମାନଙ୍କ ସମ୍ପର୍କରେ ପୁରାଣ ଆଦିରେ ରହିଥିବା ଚିନ୍ତାଧାରା  । ମାନବ ସମାଜର ଅଦେ୍ର୍ଧକ ନାରୀ ଶକ୍ତି ହୋଇଥିଳେ ମଧ୍ୟ ବିଭିନ୍ନ ଧର୍ମରେ, ଧର୍ମ ଗ୍ରନ୍ଥରେ ସେମାନଙ୍କୁ ସର୍ବଦା ନୂ୍ୟନଭାବେ ଦର୍ଶାଯାଇଛି  । ଏଡାକୁ ଉପେନ୍ଦ୍ର ଭଞ୍ଜ ସହଜରେ ଗ୍ରହଣ କରିପାରିନଥିଲେ  । ତେଣୁ ସେ ଲେଖିଥିଲେ - ‘ପୁରାଣ ଅଭିଧାନ ଜାଣିଥିଲେ, ଜାଣି କିସ ହେବ ବିହୃଦ ହେଲେ  । କେବଳ ହିନ୍ଦୁପୁରାଣ ନୁହେଁ, ଅନ୍ୟ ଧର୍ମର ଧର୍ମଗ୍ରନ୍ଥ ଗୁଡ଼ିକରେ ମଧ୍ୟ ନାରୀମାନଙ୍କୁ ନୂ୍ୟନଦୃଷ୍ଟିରେ ବର୍ଣ୍ଣନା କରାଯାଇଛି  ।  ଶ୍ରୀମଦଭାଗବତରେ ନାରୀକୁ ମାୟା, ଅଜ୍ଞାନ, ଅନ୍ଧକାର, ଛଳନା ଓ କପଟର ପ୍ରତିରୂପ ଭାବରେ, ମୋକ୍ଷ ସାଧନର ପ୍ରଦାନ ଅନ୍ତରାୟ ଭାବେ ବର୍ଣ୍ଣନା କରାଯାଇଛି  । ଏମନ୍ତ ସଙ୍ଗ ନ କରିବ  । ଯେ ସୁଭାଗ୍ୟେ ଇଚ୍ଛାଥିବ  । ଯେ ମୋକ୍ଷ ସାଧନ ଇଚ୍ଛିବ  । ସେ ନାରୀସଙ୍ଗ ନ କରିବ  । ନାରୀ ଅଜ୍ଞାନ ତମଦ୍ୱାର  । ଯୋଗୀ ଛାଡ଼ିବେ ସଙ୍ଗ ତାର  । କେବଳ ମାୟାରେ ଯୁବତୀ  । ନିର୍ମାଣ କଲା ପ୍ରଜାପତି  । ବ୍ୟାଧ ଯେସନେ ଛନ୍ଦ କରି  । ଜୀବ ବିନାଶେ ପାଶେ ଭରି  । ତେସନ ନାରୀଙ୍କ ବଚନ  । ବିଶ୍ୱାସୀ ହରେ ପ୍ରାଣୀ ମନ  । ଭାଗବତରେ ନାରୀମାନଙ୍କୁ ଶୂଦ୍ରମାନଙ୍କ ସହ ତୁଳନା କରାଯାଇ ବେଦ, ଶାସ୍ତ୍ର ଶୁଣିବା, ପଢ଼ିବା, ଆଲୋଚନା କରିବା ନିମନ୍ତେ ଅଯୋଗ୍ୟ ବୋଲି କୁହାଯାଇଛି  । ଅନ୍ୟଧର୍ମରେ ମଧ୍ୟ ନାରୀମାନଙ୍କ ଉପରେ ପୁରୁଷଙ୍କ ଆଧିପତ୍ୟକୁ ସ୍ୱୀକୃତି ଦିଆଯାଇଛି  ।  ଧର୍ମଗ୍ରନ୍ଥ ଗୁଡ଼ିକରେ ନାରୀ ନିର୍ଯାତନା କେବଳ ଲେଖନୀରେ ସୀମିତ ନଥିଲା ବରଂ ତାହା ପ୍ରକୃତରେ ହେଉଥିଲା  । ରାମାୟଣ, ମହାଭାରତ ଆଦି ଗ୍ରନ୍ଥ ଗୁଡ଼ିକରେ ନାରୀ ନିର୍ଯ୍ୟାତନା ନିଛକ ଉଦାହରଣ ଦେଖିବାକୁ ମିଳିଥାଏ  । ରାମାୟଣରେ ସୀତା, ମହାଭାରତରେ ଦ୍ରୌପଦୀ ଯେଉଁ ଭଳି ଭାବେ ସର୍ବ ସମ୍ମୁଖରେ ନିର୍ଯାତିତା ହୋଇଛନ୍ତି ତାହା ଏବେ ମଧ୍ୟ ସଚେତନ ବ୍ୟକ୍ତିର ଲୋମ ଟାଙ୍କୁରାଇ ଦିଏ  । କବି ସମ୍ରାଟ ଉପେନ୍ଦ୍ରଙ୍କ ହୃଦୟ ଏହି ଅତ୍ୟାଚାରରେ ବ୍ୟଥିତ ହୋଇଛି  ।  ସେ ନାରୀ ପୁରୁଷଙ୍କ ଜୀବନ ଓ ଆତ୍ମା ଭିତରେ କୌଣସି ପାର୍ଥକ୍ୟ ଦେଖ୍ô ନାହାନ୍ତି  । ତେଣୁ ତାଙ୍କ ମତରେ ଅତ୍ୟାଚାର ତ ଦୂରର କଥା ପୁରୁଷ ନାରୀ ଉପରେ ଆଧିପତ୍ୟ ବିସ୍ତାର କରିବା ଉଚିତ୍ ନୁହେଁ  । ନାରୀ ପୁରୁଷ ଦୁଇରେ, ଘେନି ଏକ ଜୀବନ କେବଳ ତନୁ ଭିନ୍ନ, ଯୋଗେ ଏକତ୍ୱ ହୋଇରେ  । (ଲା.ବ-୪୭/୧୮)
ହିନ୍ଦୁ ପୁରାଣମାନଙ୍କରେ ନାରୀର ପାତିବ୍ରତ୍ୟ ଓ ସତୀତ୍ୱ ଉପରେ ଗୁରୁତ୍ୱ ଆରୋପ କରାଯାଇଛି  । ଏଥି ନିମନ୍ତେ ବହୁବିଧ ଉପାସବ୍ରତ, କଠୋର ନୀତିନିୟମ ପାଳନ କରିବାକୁ ନିଦେ୍ର୍ଦଶ ଦିଆଯାଇଛି  । ବୃନ୍ଦାବତୀ, ସୀତା, ସାବିତ୍ରୀ, ସତୀ ଅନୁସୂୟା ଭଳି ଚରିତ୍ରର ସତୀତ୍ୱ ଓ ପତିଭକ୍ତିର ବର୍ଣ୍ଣନା କରାଯାଇ ନାରୀମାନଙ୍କ ସେହିଭଳି ହେବାପାଇଁ ପ୍ରେରିତ କରାଯାଇଛି  । କିନ୍ତୁ ପୁରୁଷମାନଙ୍କ ପ୍ରୀତିର ସେଭଳି ପରାକାଷ୍ଠା କାହିଁ କୌଣସି ସ୍ଥାନରେ ମଧ୍ୟ ଦେଖିବାକୁ ମଳିନାହିଁ  । ଶିବପୁରାଣ, ଲକ୍ଷ୍ମୀପୁରାଣ ଆଦିରେ ନାରୀମାନଙ୍କୁ ପୁରୁଷଙ୍କ ପାଦର ଯୋତା ଓ ଦାସୀଭାବେ ବର୍ଣ୍ଣନା କରାଯାଇଛି  । କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ପୁରାଣ ବର୍ଣ୍ଣିତ ଏହି ମତବାଦକୁ ଗ୍ରହଣ କରିପାରି ନାହାନ୍ତି  ।  ସେ କହିଛନ୍ତି ସ୍ତ୍ରୀ ସ୍ୱାମୀଙ୍କ ଭିତରେ ପ୍ରଭୁ - ଭୃତ୍ୟ ସଂପର୍କ ଆଦି ପାରିନାହିଁ ଉଭୟେ ସେବ୍ୟ ପୁଣି ଉଭେୟ ସେବକ  ।  କେବଳ ସେତିକି ନୁହେଁ ପୁତ୍ର ସନ୍ତାନକୁ ଉକ୍ରୃଷ୍ଟ ବୋଲି ମାନି ନାହାନ୍ତି ସେ  । ତାଙ୍କ ମତରେ ପୁତ୍ର, କନ୍ୟା ଉଭୟେ ଈଶ୍ୱରଙ୍କ ଅବଦାନ ତେଣୁ ସେମାନଙ୍କ ଭିତରେ ଶ୍ରେଷ୍ଠ ଓ ନିକୃଷ୍ଟର ପାତର ଅନ୍ତର ବିଚାର ଈଶ୍ୱରଙ୍କ ଇଚ୍ଛା ନୁହେଁ  । ରାଜା, ମହାରାଜା ଓ ମୋଗଲ ସମ୍ରାଟମାନଙ୍କ ଅମଳରେ ନାରୀମାନଙ୍କୁ ପଣ୍ୟଦ୍ରବ୍ୟ ଭଳି ବ୍ୟବହାର କରାଯାଉଥିଲା  । କବି ଉପେନ୍ଦ୍ର ଏହାର ବିରୋଧ କରିପାରିଥିଳେ ଯେ, ନାରୀମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ମିଳୁ ନଥିବା ଫଳରେ ସମାଜର ଅର୍ଦ୍ଧାଧିକ ବ୍ୟକ୍ତି ସ୍ଥାଣୁ ହୋଇଯାଇଛନ୍ତି  । ଏକ ସୁସ୍ଥ ସୁନ୍ଦର ସମାଜ ପାଇଁ ସେ ନାରୀମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେବାକଥା ଚିନ୍ତା କରିଥିଲେ  । 
    ଉପେନ୍ଦ୍ର ଭଞ୍ଜଙ୍କ କବିତାରେ ନାରୀର ସର୍ବଦା ମୁଖ୍ୟ ସ୍ଥାନ ରହିଛି  । ତାଙ୍କର ଶହ ଶହ କାବ୍ୟରେ ନାରୀର ସ୍ଥାନ ବନ୍ଦନୀୟା ହୋଇ ରହିଛି  ।  ନିଜସ୍ୱ ରୀତିରେ ସେ ନାରୀକୁ ଉପଯୁକ୍ତ ମର୍ଯ୍ୟାଦା ଦେବାକଥା ଚିନ୍ତା କରିଥିଲେ  । ତେଣୁ ସେ ସ୍ତ୍ରୀକୁ ସମସ୍ତ ମୂଲ୍ୟବାନ ରତ୍ନଠାରୁ ଭିନ୍ନ, ଅନନ୍ୟ ଓ ଅମୂଲ୍ୟ ଭାବେ ବର୍ଣ୍ଣନା କରିଛନ୍ତି  । କବି ଉପେନ୍ଦ୍ର ଜାଣିଥିଲେ ସୌନ୍ଦର୍ଯ୍ୟଦ୍ୱାରା ନାରୀକୁ ପୁରୁଷଠାରୁ ଭିନ୍ନ ଓ ଅନନ୍ୟ କରାଯାଇପାରିବ  ।  ତେଣୁ ତାଙ୍କର କାବ୍ୟ କବିତାରେ ସେ ନାରୀର ସୌନ୍ଦର୍ଯ୍ୟକୁ ଅତ୍ୟନ୍ତ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି  ।  ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’, ‘ଲାବଣ୍ୟବତୀ’, ‘ପ୍ରେମ ସୁଧାନିଧି’ ଆଦି କାବ୍ୟଗ୍ରନ୍ଥରେ ସେ ନାରୀର ପ୍ରତିଟି ଅଙ୍ଗକୁ ଶବ୍ଦ ଚାତୁରୀରେ ବହୁ ଉପମା ଦେଇ ଉକ୍ରର୍ଷ ପ୍ରମାଣ କରିଛନ୍ତି  । କିଏ କୁରଙ୍ଗ କି ଅବା ତୁ ରଙ୍ଗ  । ଏଣି ତେଣିକି କରାଇ ସୁରଙ୍ଗ  । କିଏ ନବ ବିକଚ ପଦ୍ମଦଳ  ।  ପଡ଼ି କାଳନ୍ଦୀ ଜଳେ ଢଳଢଳ  । କିଏ ସୁଧା ସିନ୍ଧୁର ଅବତରି  । ହୁଏ ତରଳ ଗରଳ ଲହରୀ  । କି ଏ ଗଙ୍ଗା କଲ୍ଲୋଳେ ବାତ ଯୋଗେ  ।  ନୀଳ ଉତ୍ପଳ ଚଳେ ଢଳେ ଦୁଇ ଦିଗେ  । (ର.ଲେ. ୫-୫-୮) କେବଳ ସୌନ୍ଦର୍ଯ୍ୟରେ ନାରୀକୁ ଶ୍ରେଷ୍ଠତା ପ୍ରଦାନ କରି ଚୁପ୍ ହୋଇ ବସି ଯାଇନଥିଲେ କବି ଉପେନ୍ଦ୍ର  । ଏବେଠାରୁ ତିନିଶହ ବର୍ଷ ତଳେ ମଧ୍ୟ ସେ ନାରୀ ଶିକ୍ଷାର ମହତ୍ତ୍ୱ ବିଷୟରେ ଚିନ୍ତା କରିପାରିଥିଲେ  । ସେ ଜାଣିଥିଲେ ଯେ ଶିକ୍ଷିତା ନହେଲେ ନାରୀ ପୁରୁଷର ସମକକ୍ଷ ହୋଇପାରିବ ନାହିଁ ତେଣୁ ନିଜର କାବ୍ୟ ନାୟିକାମାନଙ୍କୁ ସେ ବିଭିନ୍ନ ବିଦ୍ୟାରେ ପାରଦର୍ଶୀ ବିଦ୍ୟା ସହିତ ସଂଗୀତ ଶାସ୍ତ୍ର, ନୃତ୍ୟ ଶାସ୍ତ୍ର, ଚିତ୍ରକଳା, ତନ୍ତ୍ର ବିଦ୍ୟା, ଜ୍ୟୋତିଷ ବିଦ୍ୟାରେ ମଧ୍ୟ ପାରଙ୍ଗମ କରାଇଛନ୍ତି ସେମାନଙ୍କୁ  । ନାରୀକୁ ପୁରୁଷର ସହକର୍ମୀ ଭାବେ ସମଭୂମିରେ ଅବସ୍ଥାପନ କରାଇଛନ୍ତି  । ନାରୀମାନଙ୍କ ସମ୍ବନ୍ଧରେ ନିଜର ମନ୍ତବ୍ୟ ଦେଇ ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି  “ନାରୀରୁ ଅଧିକ ହୋଇନାହିଁ ତିନିପୁରୀ, ପରମ ପଦାର୍ଥ ଏକା ବୋଲି ସେ ନାରୀ  ।” ଉପେନ୍ଦ୍ର ଭଞ୍ଜଙ୍କ କଳ୍ପନାର ନାରୀ ଆଜି ସେହି ସ୍ତରରେ ପହଞ୍ଚି ପାରିଛି  । ଆମେ ଏବେ ନାରୀମାନଙ୍କୁ ଶିକ୍ଷା, କର୍ମକ୍ଷେତ୍ର, କଳା, ସାହିତ୍ୟ, ବିଜ୍ଞାନ, ରାଜନୀତି, କ୍ରୀଡ଼ା ଆଦି କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନରେ ଦେଖିବାକୁ ପାଉଛୁ  । ଏବେ ନାରୀମାନଙ୍କ ଅଧିକାର ସମ୍ପର୍କରେ ଦାବୀ କରାଯାଉଛି, ମହିଳା ସଶକ୍ତିକରଣ କଥା କୁହାଯାଇଛି କିନ୍ତୁ ତାହା ବହୁବର୍ଷ ପୂର୍ବେ ଦୂର ଦୃଷ୍ଟି ସମ୍ପନ୍ନ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟରେ ଦେଖିବାକୁ ମିଳିଥାଏ  । 
ମୋ : ୭୪୮୮୯୯୮୫୩୨