ଭାରତୀୟତା ଆମ ରାଷ୍ଟ୍ରର ଅନିବାର୍ଯ୍ୟ ତତ୍ତ୍ୱ
ଆଜିକାଲି ରାଷ୍ଟ୍ରୀୟତା, ଭାରତୀୟତା, ରାଷ୍ଟ୍ରବାଦ ଭଳି ଶବ୍ଦକୁ ନେଇ ବ୍ୟାପକ ଚର୍ଚ୍ଚା ଚାଲିଛି । ଏଣୁ ଆମେ ଭାରତୀୟତା ବାବଦରେ ଚିନ୍ତା କରିବା ଜରୁରି ଓ ଜାଣିବା ଦରକାର ଯେ ପ୍ରକୃତରେ ଭାରତୀୟତା କ’ଣ? ରାଷ୍ଟ୍ର ବା ଦେଶ ସାଧାରଣ ଭାବେ କେବଳ ଭୌଗୋଳିକ ନୁହେଁ ବରଂ ଭୂଗୋଳ ସଂସ୍କୃତି-ଜନତାଙ୍କ ତିନି ତତ୍ତ୍ୱକୁ ନେଇ ଗଠିତ । ଏହି ତିନି ତତ୍ତ୍ୱକୁ ନେଇ ଗଠିତ ରାଷ୍ଟ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ କିଏ? ଉତ୍ତର ହେଉଛି ଜନତା । ଏଣୁ ଜନତା ବା ଲୋକଙ୍କ ହିତ, ମାନବତାର ସ୍ପନ୍ଦନ ହିଁ କୌଣସି ରାଷ୍ଟ୍ରୀୟତାର ମୁଖ୍ୟ ତତ୍ତ୍ୱ ହେବା ଉଚିତ୍ । ଯେତେବେଳେ ଆମେ ଲୋକଙ୍କ କଥା କହୁଛେ ସତେବେଳେ ଭୌଗାଳିକତାକୁ ଏଡାଇ ଯାଉଛେ । ଆଧ୍ୟାତ୍ମ ଦୃଷ୍ଟିରେ ସାରା ଦୁନିଆର ଲୋକ ଏକ ଅଟନ୍ତି । ସବୁ ସାଧୁ ସନ୍ଥ, ଆଧ୍ୟାତ୍ମିକ ନେତା ତଥା ମନୋବୈଜ୍ଞାନିକ ସ୍ୱୀକାର କରନ୍ତି ଯେ ସାରା ବିଶ୍ୱରେ ମନୁଷ୍ୟତା ଏକ ଖାସ୍ ଭାବବୋଧରେ ବାନ୍ଧି ହୋଇ ରହିଛି । ଏହି ସାମୂହିକ ଅଚେତନ ବା କଲେକ୍ଟିଭ ଅନକନସିଅସ ଆମେ ସମସ୍ତେ ଏକ ହେବାର କାରଣ ଅଟେ । ସ୍ୱାମୀ ବିବେକାନନ୍ଦଙ୍କ ମତରେ ଭାରତ ଏକ ଜଡ଼ ଭୌଗୋଳିକ ଭୂଖଣ୍ଡ ନୁହେଁ ବରଂ ଏକ ଚେତନ ଭୌଗୋଳିକ ଭୂଖଣ୍ଡ ଅଟେ ଯାହା ସୀମା ଏବଂ ସୈନ୍ୟବଳ ଉପରେ କେନ୍ଦ୍ରିତ ନୁହେଁ । ଭାରତୀୟ ରାଷ୍ଟ୍ରବାଦ ମନୁଷ୍ୟର ବିସ୍ତାର ଓ ବିକାଶ ଉପରେ କେନ୍ଦ୍ରିତ ଯାହାକୁ ଭାରତ “ବସୁଧୈବ କୁଟୁମ୍ବକମ୍” ଆଖ୍ୟା ଦେଇ ସମ୍ବୋଧିତ କରୁଛି । ଏହା ଏକ ରାଜନୈତିକ କଥା ନୁହେଁ ଉପନିଷଦରେ ଏକଥା ଉଲ୍ଲେଖ ରହିଛି । ସାରା ବିଶ୍ୱର ଲୋକ ଏକ ପରିବାର, ଏକ କୁଟୁମ୍ବର ଅଟନ୍ତି, ଏକଥା ବୁଝିବା ହିଁ ପ୍ରକୃତରେ ଭାରତବୋଧକୁ ବୁଝାଇଥାଏ । ଏହି ଭାବ ହିଁ ମନୁଷ୍ୟର ସାଂସ୍କୃତିକ ଏକତାର ବିସ୍ତାରର ପ୍ରତୀକ ଅଟେ । ଆମର ସାଂସ୍କୃତିକ ମୂଲ୍ୟ ମାନବତାବାଦୀ ସାଂସ୍କୃତିକ ମୂଲ୍ୟ ଉପରେ ଆଧାରିତ । ଆମର ଭାରତୀୟ ଅବଧାରଣାରେ ରାଜ୍ୟ ନିର୍ମିତ ଭୌଗୋଳିକ ପ୍ରଶାସନିକ କ୍ଷେତ୍ର ପ୍ରମୁଖ ସ୍ଥାନ ରଖି ନଥାଏ ବରଂ ଆମର ଚେତନା, ସଂସ୍କୃତି, ମୂଲ୍ୟ ଆଧାରିତ ଜୀବନ ଏବଂ ପରମ୍ପରା ହିଁ ଆମର ରାଷ୍ଟ୍ର ନିର୍ମାଣ କରିଥାଏ ।
ଆମର ସାଂସ୍କୃତିକ ଇତିହାସକୁ ଦେଖିଲେ ଆର୍ଯ୍ୟାବର୍ତ୍ତର ସୀମା କାହିଁ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସତ୍ୟ ହେଉଛି ଏଇ ପୁରା ଭୂଗୋଳରେ ଅନେକ ରାଜ୍ୟ-ରାଷ୍ଟ୍ର ତ ଅନେକ ଥିଲା କିନ୍ତୁ ଆମର ସାଂସ୍କୃତିକ ଅବଚେତନା ଆମକୁ ଏକ ରାଷ୍ଟ୍ରର ଅନୁଭବ ଦେଉଥିଲା । ଏକ ଐତିହାସିକ ତଥ୍ୟ ହେଉଛି ଯେ ଆମର ରାଷ୍ଟ୍ରୀୟତା ରାଜ୍ୟ ସଂଚାଳିତ ନଥିଲା, ଏହା ସମାଜ ଏବଂ ବୌଦ୍ଧିକ ଚେତନାରେ ସମ୍ପନ୍ନ ସାଧୁ ସନ୍ଥ, ମୁନି ଋଷିଙ୍କ ଦ୍ୱାରା ସଂଚାଳିତ ଥିଲା । ସଂସ୍କୃତର ଏକ ଶ୍ଳୋକ ଅନୁସାରେ ରାଜା ରାଜ୍ୟ ନିର୍ମାଣ କରିଥାନ୍ତି । ଏହି ଭାରତବୋଧ ହିଁ ବ୍ୟାପକ ଭୂଗୋଳର ଚେତନାରେ ସମାହିତ ହୋଇ ରହିଥିଲା । ଏଠାକାର ଜ୍ଞାନର ବିସ୍ତାର ଯେଭଳି ଚାରି ଦିଗକୁ ବ୍ୟାପିଥିଲା ସେକଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ସମସ୍ତେ ଜାଣନ୍ତି ଭଗବାନ ବୁଦ୍ଧ ତାଙ୍କ ସନେ୍ଦଶକୁ ଏମିତି ପରିବ୍ୟାପ୍ତ କରିନଥିଲେ ବରଂ ସେଇ ଜ୍ଞାନରେ ଏମିତି ଏକ ନବାଚାର, ନବଚେତନା ଥିଲା ଯାହାକୁ ସାରା ଦୁନିଆ ସ୍ୱତଃ ଗ୍ରହଣ କରିନେଇଥିଲା । ଭାରତ ହେଉଛି ଆଧ୍ୟାତ୍ମ ଏବଂ ଚେତନାର ଭୂମି । ଦୁନିଆର ତମାମ ସ୍ଥିତି ମଧ୍ୟରେ ଭାରତ ଏଇଥିପାଇଁ ଏକ ସ୍ୱତନ୍ତ୍ର ସ୍ଥିତି ବା ସ୍ଥାନ ପାଇଛି ଯେଉଁଠି ସାଧାସନ୍ଥ ଓ ଜ୍ଞାନିମାନେ ସେମାନଙ୍କ ଜ୍ଞାନକୁ ସାଧାରଣରେ ବାଣ୍ଟି ଦେଇଛନ୍ତି । ବିଶ୍ୱର ତମାମ ବିଚାରର ସାଂସ୍କୃତିକ ଚେତନା ଜଡ଼ବାଦୀ କିନ୍ତୁ ଭାରତର ଚେତନ ଜୈବିକ ଅଟେ । ଏଇଥିପାଇଁ ଭାରତ ଅକ୍ଷୁଣ୍ଣ କାରଣ ଏଠି ଜଡ଼ବାଦୀ ଏବଂ ହଠବାଦୀ ବିଚାର ନାହିଁ । ଭାରତର ଲୋକେ ସାଂସ୍କୃତିକ ଏକତା ପାଇଁ ଏକାଠି ଠିଆ ହୁଅନ୍ତି କିନ୍ତୁ ବିଚାରରେ ଜଡ଼ତା ଆସିଲେ ସେଥିରୁ ଦୂରେଇ ଯାଇଥାନ୍ତି । ଆମର ଈଶ୍ୱର ଅନ୍ତରର ବିକାଶ ଏବଂ ପାପକ୍ଷୟ ପାଇଁ କାମ କରନ୍ତି । ଆମର ସାଧୁସନ୍ଥ ମଧ୍ୟ ଆଧ୍ୟାତ୍ମିକ ବିକାଶ ଏବଂ ପାପକ୍ଷୟର କଥା କହନ୍ତି ଏବଂ ସେଥିପାଇଁ କାମ କରନ୍ତି ।
ମନୁଷ୍ୟର ଚେତନାର ଆତ୍ମିକ ବିସ୍ତାର ହିଁ ଆମର ରାଷ୍ଟ୍ରୀୟତାର ଲକ୍ଷ ଅଟେ । ଏଇଥିପାଇଁ ଏହା କେବଳ ଏକ ଖାସ ଭୂଗୋଳ, ଏକସ୍ୱତନ୍ତ୍ର ବିଚାରଧାରା ଏବଂ ପୂଜା ପଦ୍ଧତିରେ ବନ୍ଧା ଲୋକଙ୍କ ଉଦ୍ଧାର ପାଇଁ ନୁହେଁ ବରଂ ସମ୍ପୂର୍ଣ୍ଣ ମାନବତାର ମୁକ୍ତି ପାଇଁ କାମ କରିବାର ବିଚାର ଅଟେ । ଆମ ବିଚାରଧାରା ମାନବର ମୁକ୍ତି ପାଇଁ ଉଦ୍ଦିଷ୍ଟ । ଏହା ରାଷ୍ଟ୍ରୀୟତା ସୈନ୍ୟବଳ ଏବଂ ବ୍ୟବସାୟିକ ବଳ ଦ୍ୱାରା ଚାଳିତ ନୁହେଁ ବରଂ ଏହା ଚେତନାର ବିସ୍ତାର, ତାର ବ୍ୟାପକ ଭାବବୋଧ ଏପରିକି ମନୁଷ୍ୟ ମାତ୍ରର ମୁକ୍ତିର ବିଚାରରେ ଅନୁପ୍ରାଣିତ । ଭାରତୀୟ ସନ୍ଦର୍ଭରେ ଭାରତବୋଧ ବାସ୍ତବରେ ମାନବବାଦ ବୋଲି ବୁଝିବା ଆବଶ୍ୟକ । ଏହି ବିଚାର ଅନୁସାରେ ଆମେ ରାଜା ବା ରାଜ୍ୟ ଉପରେ ନିର୍ଭରଶୀଳ ସମାନ ନଥିଲେ । ରାଜା ବା ରାଜ୍ୟ ଏବ ବ୍ୟବସ୍ଥା ଥିଲା କିନ୍ତୁ ଜୀବନ ମୁକ୍ତ ଥିଲା ଏବଂ ମୂଲ୍ୟ ଉପରେ ଆଧାରିତ ଥିଲା । ପୁରା ସାଂସ୍କୃତିକ ପରମ୍ପରାରେ ସମାଜ ଶକ୍ତିଶାଳୀ ଥିଲା ଏବଂ ସ୍ୱାଭିମାନର ସହିତ ଉଦାର ମାନବବାଦ ଏବଂ ଏକାତ୍ମ ମାନବଦର୍ଶନ ଉପରେ ଆଧାରିତ ଜୀବନ ଜିଉଥିଲା । ଜିନିଷ ବା ବସ୍ତୁକୁ ଖଣ୍ଡ ଖଣ୍ଡ କରି ଦେଖିବାରେ ସମାଜ ଅଭ୍ୟସ୍ତ ନଥିଲା । ଏଇଥିପାଇଁ ଏଇ ରାଷ୍ଟ୍ରୀୟତାରେ ଯେଉଁ ସମାଜ ସୃଷ୍ଟି ହୋଇଥିଲା ତାହା ରାଜା କେନ୍ଦ୍ରିତ ନଥିଲା ବରଂ ସଂସ୍କୃତି କେନ୍ଦ୍ରିତ ସମାଜ ଥିଲା । ସମାଜକୁ ଜିଁଇବାର ସର୍ତ୍ତ ଜଣାଥିଲା ଏବଂ ନିଜର ମୁକ୍ତିର ମାର୍ଗ ମଧ୍ୟ ଜଣାଥିଲା । ସମାଜରେ ଗୁଣବତ୍ତାର ସ୍ପର୍ଦ୍ଧା ଥିଲା, ଏଣୁ ଏହା ଏକ ସୁଖୀ ଏବଂ ସମ୍ପନ୍ନ ସମାଜ ଥିଲା । ଏଇ ସମାଜରେ ମଧ୍ୟ ବଜାର ଥିଲା କିନ୍ତୁ ସମାଜ-ବଜାରର ମୂଲ୍ୟ ଉପରେ ଆଧାରିତ ନଥିଲା । ସମାଜରେ ଆନନ୍ଦର ବାତାବରଣ ଥିଲା ଏବଂ ଜୀବନରେ ଆଧ୍ୟାତ୍ମିକତାର ମୂଲ୍ୟବୋଧ ମଧ୍ୟ ଥିଲା । ଭାରତୀୟ ସମାଜ ଜୀବନ ସହିଷ୍ଣୁତା ଗୁଣରେ ଗୁଣୀ ଥିଲା, ଏଇଥିପାଇଁ ସମସ୍ତ ଧାରା, ବିଚାର, ବାଦ, ପନ୍ଥ ଏଇ ଦେଶର ମାଟି-ପବନକୁ ଆଦରି ନେଇଥିଲେ ଓ ନିଜର ପୁନଃ ଆବିଷ୍କାର କରିଥିଲେ । ନୂଆ ରୂପ ନେଇଥିଲେ ଏବଂ ଏକାକାର ହୋଇଯାଇଥିଲେ, ସବୁର ଊଦ୍ଧ୍ୱର୍ରେ ଥିଲା ଆମ ସମାଜର ବିଚାରଧାରା । ଏଣୁ କୁହାଯାଉଥିଲା “ସାଧୁସନ୍ଥଙ୍କର ଅର୍ଥର ଆବଶ୍ୟକତା କ’ଣ ଓ ରାଜା ଯିଏ ବି ହେଉ ଆମର କ୍ଷତି କ’ଣ?” ଆମେ ଭାରତକୁ ଇଣ୍ଡିଆ ଆଖିରେ ନଦେଖି ଭାରତୀୟତାର ଦୃଷ୍ଟିରେ ଦେଖିବା ଆବଶ୍ୟକ । କାରଣ ଭାରତୀୟତା ଆମ ରାଷ୍ଟ୍ରର ଅନିବାର୍ଯ୍ୟ ତତ୍ତ୍ୱ ଅଟେ ।
ରାମଚନ୍ଦ୍ରପୁର, ରଣପୁର
ମୋ-୯୪୩୮୪୮୫୦୯୪