ରାସ୍ତାକଡ଼ର ବାଲି ଓ ରାଜପଥ

ରାସ୍ତାକଡ଼ର ବାଲି ଓ ରାଜପଥ

ପୁଷ୍ପମିତ୍ର ମହାପାତ୍ର : କଟକ-ଭୁବନେଶ୍ୱର ମଧ୍ୟରେ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି । ପ୍ରତିଦିନ କିଛି ନା କିଛି ଗାଡ଼ି ଦୁର୍ଘଟଣାର ଶିକାର ହେଉଛି । ଆଉ ଏହି ଦୁର୍ଘଟଣା ହେଉଛି ରାସ୍ତାରେ ଜମି ରହିଥିବା ବାଲି ପାଇଁ । ବାଲି ବୋଝେଇ କରି ଯାଉଥିବା ଟ୍ରକରୁ ବାଲି ପଡ଼ି ରାସ୍ତାରେ ଗଦା ହୋଇ ରହୁଛି । ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ବାଲି ଗାଡ଼ି ଉପର ପୁଲିସର କିଛି ନିୟନ୍ତ୍ରଣ ନଥିବା ବେଳେ ଜାତୀୟ ରାଜପୠ କର୍ତ୍ତୃପକ୍ଷ ରାସ୍ତାରୁ ବାଲି ବିଲକୁଲ ସଫା କରୁନାହାନ୍ତି । ଫଳରେ ଏବେ ପାଦେ ଉଚ୍ଚାରେ ବାଲି ଗଦା ହୋଇ ରହୁଛି ।
କଟକ-ଭୁବନେଶ୍ୱର ସହର ମଧ୍ୟରେ ଜାତୀୟ ରାଜପଥରେ ଏବେ ବାଲି ଗଦା ହୋଇ ରହିବା ଏକ ବଡ଼ ସମସ୍ୟା ହୋଇଛି । ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ବାଲି ବୋଝେଇ ଟ୍ରକ ଯାତାୟାତ କରୁଛି । ନିୟମ ଅନୁସାରେ ଟ୍ରକରେ ଶୁଖିଲା ବାଲି ପରିବହନ କରିହେବ । ତାହା ପୁଣି ପୁରାମାତ୍ରାରେ ଜରିପାଲ ଘୋଡ଼ାଇ ନିଆଯିବ, ଯେମିତି ବାଲି ଟ୍ରକରୁ ଗଳୁନଥିବ କିମ୍ବା ଉଡୁନଥିବ । ହେଲେ ରାତି ୧୦ରୁ ସକାଳ ପର୍ଯ୍ୟନ୍ତ ଚାଲୁଥିବା ଟ୍ରକରେ ଶୁଖିଲା ବାଲି ବଦଳରେ ପାଣିମିଶା ବାଲି ପରିବହନ ହେଉଛି । ଫଳରେ ରାସ୍ତା ତମାମ ପାଣିମିଶା ବାଲି ଗଳି ଗଳି ଯାଇ ରାସ୍ତାରେ ଗଦା ହେଉଛି । ପ୍ରତିଦିନ ରାତିରେ ହଜାର ହଜାର ଟ୍ରକ ଯିବାରୁ ସକାଳ ପାଇଲା ବେଳକୁ ପାଦେ ମୋଟାର ବାଲି ଗଦା ହୋଇ ରହୁଛି । ଖାସ କରି ତିନି ଥାକିଆ ଜାତୀୟ ରାଜପଥର ବାମପଟ ଲେନ ଏବେ ପୁରା ବାଲିମୟ ହୋଇ ରହିଚି । ଯାହାକି ଗାଡ଼ି ଚାଳକଙ୍କ ପାଇଁ କାଳ ହେଉଛି, ବିଶେଷ କରି ଦୁଇଚକିଆ ଗାଡ଼ି ଏହି ବାଲି ଯୋଗୁଁ ଦୁର୍ଘଟଣାର ଶିକାର ହେଉଛନ୍ତି । ଖରା ବାଜି ବାଲି ଶୁଖିବା ପରେ ତାହା ଉପରେ ଗାଡ଼ି ଯିବାରୁ ବହୁ ସମୟରେ ଚକ ଖସୁଛି । ଫଳରେ ଦୁର୍ଘଟଣା ହେଉଛି । ମାତ୍ର ଏସବୁ ଟ୍ରକ ଉପରେ ପୁଲିସର ବିଲକୁଲ ଅଙ୍କୁଶ ନାହିଁ । ଫଳରେ ପ୍ରତିଦିନ ବାଲି ରାସ୍ତାରେ ଗଦା ହୋଇ ହୋଇ ଯାଉଛି । ଆଉ ବାଳି ସଫା କରିବା ଦାୟିତ୍ୱ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ହୋଇଥିଲେ ବି ତାହା କରାଯାଉନି । ମାସରେ ଥରେ କି ଦୁଇଥର ବାଲି ସଫା ହେଉଛି । ଯାହା ସମସ୍ୟାର ସମାଧାନ କରୁନି । ଫଳରେ ଦିନକୁ ଦିନ ଦୁଇ ଚକିଆ ଗାଡ଼ି ଚାଳକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁଲିସର ତଥ୍ୟ କହୁଛି ଗତ କିଛି ସପ୍ତାହ ମଧ୍ୟରେ ଏହି ବାଲି ପାଇଁ ୭ଟି ଦୁର୍ଘଟଣା ହେଲାଣି । ଏମିତିକି ୨ ଜଣ ଗାଡ଼ି ଚାଳକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ତଥାପି ପୁଲିସ କିମ୍ବା ଜାତୀୟ ରାଜପଥ କର୍ତ୍ତୃପକ୍ଷ କିଛ ପଦକ୍ଷେପ ନନେବା ସାଧାରଣରେ ଅସନ୍ତୋଷ ବଢ଼ାଇଛି ।