ଶିକ୍ଷାନୁଷ୍ଠାନରେ ବଢୁଛି ର୍ୟାଗିଂ

ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ନୂଆ ଆଡ୍ମିଶନ୍ କରୁଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ଉପର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ଯ୍ୟାତୀତ ହେଉଥିବାର ଘଟଣା ଦିନକୁ ଦିନ ବଢୁଛି । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ର୍ୟାଗିଂ ରୋକିବା ପାଇଁ ରାଜ୍ୟ ସରକାର ଏକ ଆଇନ୍ ପ୍ରଣୟନ କରିଛନ୍ତି । ବିଭିନ୍ନ କଲେଜ୍ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକ ର୍ୟାଗିଂ ଭଳି କାର୍ଯ୍ୟକଳାପ ରୋକିବା ପାଇଁ ଏହି ଆଇନ୍କୁ କଡ଼ାକଡ଼ି ଭାବରେ ପାଳନ କରୁଛନ୍ତି । କିନ୍ତୁ ଆଉ କିଛି ଶିକ୍ଷାନୁଷ୍ଠାନ ଏହା ଉପରେ ପଦକ୍ଷେପ ନେବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି । କାରଣ ଏହିସବୁ ର୍ୟାଗିଂ ଭଳି ଘଟଣା ଗୁଡ଼ିକରେ ପ୍ରଭାବଶାଳୀ ପିତାମାତାମାନଙ୍କ ସମ୍ପୃକ୍ତି ରହୁଛି । ଆତ୍ମହତ୍ୟା କିମ୍ବା ଡ଼ାକ୍ତରଖାନାରେ ଚିକିତ୍ସିତ ଭଳି ପରିସ୍ଥିତି ନ ଉପୁଜିବାରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ର୍ୟାଗିଂକୁ ଅଣଦେଖା କରି ଦେଉଛନ୍ତି । ଏହି କାରଣରୁ ପୁରୁଣା ଛାତ୍ରଛାତ୍ରୀମାନଙ୍କର ଆଚରଣଗତ ତଥା ବ୍ୟବହାରଜନିତ ପରିବର୍ତ୍ତନ ହେଉ ନାହିଁ ଏବଂ ର୍ୟାଗିଂ ଭଳି ଘଟଣା ବଢ଼ି ବଢ଼ି ଚାଲିଛି । ଏଭଳି ଘଟଣା ବଢ଼ିବା ଫଳରେ ଶିକ୍ଷାଦାନର ବାତାବରଣ ନଷ୍ଟ ହେଉଛି । ଶିକ୍ଷାଦାନ ବାତାବରଣ ଅଶାନ୍ତ ମଧ୍ୟ ହେଉଛି । କେତେକ କ୍ଷେତ୍ରରେ ର୍ୟାଗିଂର ଶିକାର ହେଉଥିବା ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ ପ୍ରଣୟନ ହୋଇଥିବା ଆଣ୍ଟି ର୍ୟାଗିଂ ଆଇନ୍ କେବଳ କାଗଜକଲମରେ ରହିଯାଉଛି । ଗତ ୯ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏଭଳି ୫୧ଟି ଘଟଣା ଘଟିଥିବାର ମାମାଲ ରୁଜୁ ହୋଇଛି । ଏଥିମଧ୍ୟରୁ ୧୦ଟି ଅଭିଯୋଗ କେବଳ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ  ଆସିଛି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ର୍ୟାଗିଂ ବନ୍ଦ କରିବା ପାଇଁ ବିଭିନ୍ନ ସମୟରେ ନିଦେ୍ର୍ଦଶାବଳୀ ଜାରି କରାଯାଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ । ଚଳିତବର୍ଷ ୟୁଜିସିର ନଜରକୁ ଆସିଥିବା ୫୧ଟି ମାମଲାରୁ ୪୪ଟିରେ ଛାତ୍ର ଏବଂ ୭ଟିରେ ଛାତ୍ରୀ ର୍ୟାଗିଂର ଶିକାର ହୋଇଛନ୍ତି । ଏହି ଘଟଣା ଗୁଡ଼ିକ ମଧ୍ୟରୁ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି ଏବଂ ୧୩ ଜଣ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗତ ୨ ବର୍ଷ ତୁଳନାରେ ଚଳିତବର୍ଷ ଏ ପ୍ରକାର ଘଟଣାର ସଂଖ୍ୟା ବହୁ ପରିମାଣରେ ବଢ଼ିଛି । 
ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଣ୍ଟି ର୍ୟାଗିଂ କମିଟି, ଆଣ୍ଟି ର୍ୟାଗିଂ ସେଲ୍, ଆଣ୍ଟି ର୍ୟାଗିଂ ସ୍କ୍ୱାଡ୍ ଆଦି ରହିଥିଲେ ମଧ୍ୟ ସେସବୁ ଠିକ୍ ଭାବରେ ଏବଂ ଆନ୍ତରିକତାର ସହ କାର୍ଯ୍ୟ କରିନଥିବା ଜଣାପଡୁଛି । ଏହାକୁ ଏକ ଅପରାଧ ଭାବରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା କ୍ଷେତ୍ରରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବିଫଳ ହୋଇଛନ୍ତି । ଏ କ୍ଷେତ୍ରରେ ଗୋଟିଏ ଜିନିଷ ଲକ୍ଷ୍ୟ କରାଯାଉଛି ଯେ ଗ୍ରାମାଞ୍ଚଳରୁ ଆସୁଥିବା ଛାତ୍ରଛାତ୍ରୀମାନେ ବିଶେଷ କରି ଗରିବ ଛାତ୍ରଛାତ୍ରୀମାନେ ଏଭଳି ଅପରାଧର ଶିକାର ଅଧିକ ଭାବରେ ହେଉଛନ୍ତି । ପ୍ରଭାବଶାଳୀ ପିତାମାତାମାନଙ୍କର ସନ୍ତାନମାନେ ଏ ପ୍ରକାରର ଘଟଣାରେ ଜଡ଼ିତ ଥିଲେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ନ୍ୟାୟ ପ୍ରଦାନ କ୍ଷେତ୍ରରେ ପଛଘୁଞ୍ଚା ଦେଉଛନ୍ତି । ଏଭଳି ଘଟଣା ଘଟିବା ଦ୍ୱାରା ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟ ବଦ୍ନାମ ହେଉଛନ୍ତି । 
ର୍ୟାଗିଂ ସଂଖ୍ୟା ବଢ଼ିବା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଯେକୌଣସି ଶିକ୍ଷାନୁଷ୍ଠାନର ସୁନାମକୁ ନଷ୍ଟ କରିଥାଏ । ତେଣୁ କଲେଜ୍ର କର୍ତ୍ତୃପକ୍ଷମାନେ ଏ ପ୍ରକାରର ଅପରାଧକୁ ବିଲୋପ କରିବା କ୍ଷେତ୍ରରେ ଆଣ୍ଟି ର୍ୟାଗଂ ଆଇନ୍କୁ କିଭଳି ଭାବରେ ବ୍ୟବହାର କରିବେ ତାହା ବିଚାରି କରିବା ଆବଶ୍ୟକ । ନାମଲେଖା ସମୟରେ ଛାତ୍ରଛାତ୍ରୀମାନଙ୍କ ଠାରୁ ଗୋଟିଏ ଅଣ୍ଡରଟେକିଂ ନେବା ବ୍ୟତୀତ ଶିକ୍ଷାନୁଷ୍ଠାନ ଗୁଡ଼ିକ ଆଉ ଅଧିକ କିଛି କରିନାହାନ୍ତି । କେତୋଟି ଘଟଣାରେ ପ୍ରଭାବଶାଳୀ ପିତାମାତାଙ୍କ ପିଲାମାନେ କରିଥିବା ର୍ୟାଗିଂ ଘଟଣା ଗୁଡ଼ିକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଭିନ୍ନ ଭାବରେ ଚିତ୍ରଣ କରୁଛନ୍ତି । ୟୁଜିସି ପକ୍ଷରୁ ଏ ସମ୍ପର୍କରେ ଅଭିଯୋଗ ଆସିଲେ ଏବଂ ସେଗୁଡ଼ିକର ବିଚାର କ୍ଷେତ୍ରରେ କୋହଳ ମନୋଭାବ ପ୍ରଦର୍ଶନ କରିଲେ ୟୁଜିସି ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ଏଭଳି ଚେତାବନୀକୁ ମଧ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ବେଖାତିର୍ କରିବା ଘୋର ପରିତାପର ବିଷୟ ।