ବାପାଙ୍କ ନୈତିକ ଶିକ୍ଷା (୧)
ବାପା ଜଣେ ଗାନ୍ଧୀବାଦୀ, ସ୍ୱାଧୀନତା ସଂଗ୍ରାମୀ ଓ ନୀତିନିଷ୍ଠ ବ୍ୟକ୍ତି ଥିଲେ । ଗାନ୍ଧିଜୀଙ୍କ ମହାପ୍ରଣାୟ ପରେ ସେ କଂଗ୍ରେସ ଓ ରାଜନୀତିରୁ ସକଳ ସମ୍ପର୍କ ତୁଟାଇ ଋଷିକେଶ ଗଲେ ତଥା ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଶିଷ୍ୟତ୍ୱ ଗ୍ରହଣ କଲେ । ଏହା ୧୯୪୮ ମସିହାର କଥା । ଏହାପରେ ୧୯୫୦ରେ ମୋର ଜନ୍ମ । ମୋତେ ନୈତିକ ଶିକ୍ଷା ପ୍ରଦାନ କରିବାକୁ ବାପା ତତ୍ପର ଥିଲେ । ତାଙ୍କ ମତରେ ନୈତିକ ଗୁଣ ସଂପନ୍ନ ବ୍ୟକ୍ତି ବୁଦ୍ଧିମାନ ବ୍ୟକ୍ତି ଅପେକ୍ଷା ଅଧିକ ଶକ୍ତିଶାଳୀ । ନୈତିକ ସାଧନା ଦ୍ୱାରା ଅନେକ ପ୍ରକାର ସିଦ୍ଧି ଲାଭ କରାଯାଏ । ଏହି ପୁରୋଦୃଷ୍ଟିରେ ବାପା ମୋତେ ଗୀତାର ସପ୍ତଦଶ ଅଧ୍ୟାୟ ଅର୍ଥାତ୍ ଶ୍ରଦ୍ଧାତ୍ରୟ ବିଭାଗ ଯୋଗ ଏକାଗ୍ରତାର ସହ ବାରମ୍ବାର ସ୍ୱାଧ୍ୟାୟ କରିବାକୁ କହୁଥିଲେ । ଏହି ଅଧ୍ୟାୟରେ ବର୍ଣ୍ଣିତ କାୟିକ, ବାଚିକ ଓ ମାନସିକ ତପସ୍ୟା, ରାଜଯୋଗ ବର୍ଣ୍ଣିତ ଯମ ଅଭ୍ୟାସ, ସଦ୍ଚିନ୍ତା, ସତ୍ଚେଷ୍ଟା, ସତ୍କାର୍ଯ୍ୟ, ସତ୍ଜୀବନ ଯାପନ ପ୍ରଭୃତି ନୈତିକ ଜୀବନର ମହାନ୍ ପଥ । ମନୁଷ୍ୟକୁ ଚରିତ୍ରବାନ କରିବା ସଦାଚାରର ଉଦେ୍ଦଶ୍ୟ । ତେଣୁ ବାପା କହୁଥିଲେ ଜୀବନ ଚାଲିଯାଉ ପଛେ ସତ୍ୟ କହିବାକୁ ଚେଷ୍ଟା କରିବୁ । ଉପନିଷଦରେ କୁହାଯାଇଛି “ସତ୍ୟମେବ ଜୟତେ ନାନୃତମ୍” ଅର୍ଥାତ୍ ସତ୍ୟ ଦ୍ୱାରା ଜୟଲାଭ କରାଯାଏ ଏବଂ ମିଥ୍ୟା ଦ୍ୱାରା ନୁହେଁ । ତେଣୁ ବାପା ମୋତେ କାହା ସାଙ୍ଗରେ ମିଶିବାକୁ ବାରଣ କରିଥିଲେ । ସବୁବେଳେ ଧର୍ମକାର୍ଯ୍ୟରେ ଓ ଧର୍ମ ପୁସ୍ତକ ପାଠରେ ବ୍ୟାପୃତ ରହିବାକୁ ଉପଦେଶ ପ୍ରଦାନ କରିଥିଲେ । ସେ କହୁଥିଲେ, ଏହା ଦ୍ୱାରା ମହତ୍ ଓ ଉଚ୍ଚଭାବନା ମନ ମଧ୍ୟରେ ବୃଦ୍ଧି ପାଇବ । ଭାବନା ଶକ୍ତି ଦ୍ୱାରା ମନ୍ଦ ଭାବକୁ ସଦ୍ଭାବରେ ପରିବର୍ତ୍ତନ କରାଯାଇପାରେ । ମନୁଷ୍ୟର ସ୍ୱଭାବ ଅନୁସାରେ ସାତ୍ତ୍ୱିକ, ରାଜସିକ ଓ ତାମସିକ ଭାବ ତାହା ଉପରେ ପ୍ରଭାବ ବିସ୍ତାର କରିଥାଏ । ସାତ୍ତ୍ୱିକ ଭାବ ପବିତ୍ର ଭାବ । ଚିନ୍ତା ଶକ୍ତି, ସ୍ମୃତି ଶକ୍ତି ଓ ଇଚ୍ଛାଶକ୍ତି ସଦୃଶ ଭାବକୁ ମଧ୍ୟ ସାଧନା ସାହାଯ୍ୟରେ ଉନ୍ନତ କରାଯାଇପାରେ । ମିତ୍ରତା ଭାବ ବୈରତା ଭାବ ମନର ସୃଷ୍ଟି । ମିତ୍ର ବା ଶତ୍ରୁ ବାହାରେ ନାହାଁନ୍ତି । ଏହା ଆନ୍ତରିକ ଭାବ ବା କଳ୍ପନା । ମୁହୂର୍ତ୍ତକ ମଧ୍ୟରେ ବହୁଦିନ ଅନ୍ତରଙ୍ଗ ବନ୍ଧୁ ମଧ୍ୟ ଶତ୍ରୁ ହୋଇପାରେ । ସମୟ ସମୟରେ କଟୁ ବା କର୍କଶ ବାକ୍ୟ ବନ୍ଧୁତା ଭାଙ୍ଗି ଶତ୍ରୁତାରେ ପରିଣତ ହୋଇଯାଏ । ବନ୍ଧୁତା ଛିନ୍ନ ହୋଇଗଲେ ମନର ଭାବ ଭିନ୍ନ ଆକାର ଧାରଣ କରିଥାଏ । କେହି କାହାକୁ ବିଶ୍ୱାସ କରନ୍ତି ନାହିଁ, ବରଂ ପ୍ରତ୍ୟେକ ପ୍ରତ୍ୟେକଙ୍କ ଠାରୁ ଅନିଷ୍ଟ ଆଶଙ୍କା କରୁଥାନ୍ତି । ଦେଖାସାକ୍ଷାତ୍ ହେଲେ କେହି କାହା ଆଡକୁ ନଚାହିଁ ନିଜ ନିଜ ବାଟରେ ଚାଲିଯାନ୍ତି । ପ୍ରତ୍ୟେକ ପ୍ରତ୍ୟେକଙ୍କର କୁତ୍ସା ରଟନା କରନ୍ତି । ଭାବ ଉପରେ ଆହାରର ମଧ୍ୟ ପ୍ରଭାବ ରହିଛି । ସାତ୍ତ୍ୱିକ ଖାଦ୍ୟ ସହଜରେ ମନ ମଧ୍ୟକୁ ସାତ୍ତ୍ୱିକ ଭାବ ଆଣିଥାଏ । ଗାଈ ଦୁଧ, ଗାଈ ଛେନା, ଗାଈ ଦୁଧର ଲହୁଣୀ, ଗାଈ ଘିଅ, ସଜ ଦହି, ଆତ, କଦଳୀ, ଅଙ୍ଗୁର, ଅମୃତ ଭଣ୍ଡା, ଡାଳିମ୍ବ, ଖଜୁରୀ କୋଳି, କମଳା, ଲେମ୍ବୁ, ନାସପାତି, ପିଜୁଳି ପ୍ରଭୃତି ସାତ୍ତ୍ୱିକ ଖାଦ୍ୟ । ଏହି ସବୁ ସାତ୍ତ୍ୱିକ ଖାଦ୍ୟ ନିୟମିତ ଖାଇଲେ ଆଶ୍ଚର୍ଯ୍ୟ ଭାବରେ ମନ ପ୍ରଶାନ୍ତ ଓ ସାତ୍ତ୍ୱିକ ଭାବ ଉତ୍ପନ୍ନ ହେବ । ମନ ମଧ୍ୟରେ ସାତ୍ତ୍ୱିକ ଭାବ ଜାଗ୍ରତ ହେଲେ ମନ ସ୍ୱଭାବତଃ ଭଗବତ୍ ଅଭିମୁଖୀ ହେବ ।
ସମୟ ସମୟରେ ପ୍ରତିପକ୍ଷ ଭାବନା ମନରେ ଉଦୟ ହୁଏ । ମନରେ ବିଷାଦ ଭାବ ଆସିଲେ ଚକ୍ଷୁ ଦୁଇଟି ବନ୍ଦ କରି ସ୍ଥିର ହୋଇ ବସ । ବିଷାଦର କାରଣ ଚିନ୍ତା କର ଓ ତାହା ଦୂର କରିବା ନିମିତ୍ତ ବିପରୀତ ଭାବ ଚିନ୍ତାକର । ସ୍ଥାୟୀ ଭାବ ଅସ୍ଥାୟୀ ଭାବକୁ ଜୟ କରେ । ନିଜେ ପ୍ରଫୁଲ୍ଲ ବୋଲି ଅନୁଭବ କର । ‘ଓଁ’ ବାରମ୍ବାର ଉଚ୍ଚସ୍ୱରରେ ଗାନ କର । ବିଷାଦ ଶୀଘ୍ର ଦୂରୀଭୂତ ହୋଇଯିବ । ଏହା ଅତି ସହଜ ପ୍ରଣାଳୀ । ଭଲ ଭାବକୁ ମନ ମଧ୍ୟକୁ ଆଣି ମନ୍ଦ ଭାବକୁ ମନରୁ ଦୂର କରିବା ଅତ୍ୟନ୍ତ ସହଜ ଉପାୟ । ସ୍ୱଳ୍ପ ସମୟ ମଧ୍ୟରେ ମନ୍ଦଭାବ ମନରୁ ଉଭେଇଯିବ । ତୁ ନିଜେ ପରୀକ୍ଷା କଲେ ଜାଣିପାରିବୁ । କ୍ରୋଧଭାବ ମନକୁ ଆସିଲେ ପ୍ରେମ କଥା ଚିନ୍ତାକର । ନିଷ୍ଠୁରତା ମନ ମଧ୍ୟରେ ପ୍ରବେଶ କଲେ ଦୟା ବିଷୟ ଚିନ୍ତା କର । କାମ ପ୍ରବୃତ୍ତି ମନକୁ ଆସିଲେ ବିରତିର ଉପକାରିତା ବିଷୟ ଚିନ୍ତାକର । ଅସାଧୁତା ମନ ମଧ୍ୟରେ ପ୍ରବେଶ କଲେ ସାଧୁତା ଓ ସରଳତା ବିଷୟରେ ଚିନ୍ତାକର । କୃପଣତା ମନକୁ ଆସିଲେ ଉଦାରତା ଓ ଉଦାର ହୃଦୟ ବ୍ୟକ୍ତିମାନଙ୍କ କଥା ଚିନ୍ତାକର । ମୋହ ମନକୁ ଅଧିକାର କଲେ ବିବେକ ଓ ଆତ୍ମିକ ବିଚାର ବିଷୟରେ ଚିନ୍ତାକର । ଗର୍ବ ସମୟରେ ବିନୟ ବିଷୟ, କପଟତା ସମୟରେ ସରଳତା ଓ ତାହାର ଅମୂଲ୍ୟ ସୁଯୋଗ ବିଷୟ, ହିଂସା ସମୟରେ ମହତ୍ତ୍ୱ ଓ ଉଦାରତା ବିଷୟରେ ଏବଂ ଭୟ ସମୟରେ ସାହସ ବିଷୟ ଚିନ୍ତା କର । ଦେଖିବୁ ମନ୍ଦ ଭାବନା ମନରୁ ଦୂର ହୋଇ ଭଲ ଭାବନା ଜାଗ୍ରତ ହେବ ।
ଚିନ୍ତା ଏକ ବିଶେଷ ଆବଶ୍ୟକ ବିଷୟ । କୁହାଯାଏ, ଚିତା ମୃତ ଶରୀରକୁ ଜାଳିଦିଏ ଏବଂ ଚିନ୍ତା ଶରୀରକୁ ଜାଳିଦିଏ । ସମସ୍ତଙ୍କୁ ଚିନ୍ତା ଗ୍ରାସ କରେ ଏବଂ ଏହା ବିକ୍ଷିପ୍ତ । ବେଳେ ଅବାନ୍ତର ଚିନ୍ତା ମନକୁ ଆସେ ପୁଣି ଚାଲିଯାଏ । ଏହାର କୌଣସି ଶୃଙ୍ଖଳା ନାହିଁ, ଏହା ବିଶୃଙ୍ଖଳ, ଦର୍ଶନେନ୍ଦ୍ରିୟ ଓ ଶ୍ରବଣେନ୍ଦି୍ରୟ ଦ୍ୱାରା ନାନାଦି ଦୃଶ୍ୟ ଚିନ୍ତା ଓ ସ୍ୱରଚିନ୍ତା ମନରେ ପଶିଯାଏ । ଅଧିକାଂଶ ଲୋକଙ୍କ ମନରେ ନୀଚ ଚିନ୍ତା, କାମଚିନ୍ତା, ହିଂସା, ଦ୍ୱେଷ ଓ ଭୟର ଚିନ୍ତା ପ୍ରବାହ ଅବସ୍ଥିତ । ସେମାନେ କ୍ଷଣକ ପାଇଁ ଉଚ୍ଚ ଆଧ୍ୟାତ୍ମିକ ଚିନ୍ତାକୁ ମନ ମଧ୍ୟରେ ସ୍ଥାନ ଦେଇପାରନ୍ତି । କାମାତ୍ମକ ଚିନ୍ତା, ହିଂସା, ଦ୍ୱେଷ ଓ ସ୍ୱାର୍ଥପରତା ଚିନ୍ତା ମନରେ ଅବାନ୍ତର ଚିତ୍ର ଅଙ୍କନ କରି ବୋଧଶକ୍ତି ନଷ୍ଟକରେ, ବୁଦ୍ଧିକୁ କବଳିତ କରେ, ସ୍ମୃତିଶକ୍ତି ଦୁର୍ବଳ କରେ ଓ ମନକୁ ଉଚ୍ଛୃଙ୍ଖଳ କରେ । ତେଣୁ ସଂଯତ ବ୍ୟବହାର, ସଂଯମ ଆହାର, ପ୍ରର୍ଥନା, ସ୍ତବସୋତ୍ର ପାଠ, ସତ୍ସଙ୍ଗ, ସଦ୍ଗ୍ରନ୍ଥ ପାଠ, ଜପ, ଧ୍ୟାନ ଓ ପ୍ରାଣାୟମାଦି ଦ୍ୱାରା ସାତ୍ତ୍ୱିକ ଚିନ୍ତା ସୃଷ୍ଟି କରିବ । ଅନାବଶ୍ୟକ ଓ ନୀଚ ଚିନ୍ତା ମନରେ ପ୍ରବେଶ କରାଇଦେବନାହିଁ । ବୃଥାଚିନ୍ତା ଫଳରେ ମନର ଶକ୍ତି ଅପଚୟ ହୁଏ । ଚିନ୍ତା ଏକ ପ୍ରକାର ଶକ୍ତି ଓ ସ୍ପନ୍ଦନ । ଏହା ଗତିଶୀଳ ଓ ସଞ୍ଚଳନଶୀଳ । ବିଭିନ୍ନ ପ୍ରକାରର ଚିନ୍ତା ଅଛି, ଯଥା:- ପ୍ରବୃତ୍ତି ମୂଳକ, ଦୃଷ୍ଟି ମୂଳକ, ଶ୍ରବଣ ମୂଳକ ଓ ନିଦର୍ଶନ ମୂଳକ । ମନରେ କ୍ଲାନ୍ତି ଆସିଲେ ଚିନ୍ତାଧାରା ଦୃଷ୍ଟି ମୂଳକରୁ ଶ୍ରୃତିମୂଳକ ଓ ଶ୍ରୁତି ମୂଳକରୁ ଅନୁଭୂତି ମୂଳକକୁ ପରିବର୍ତ୍ତନ ହୋଇଯାଏ । ମନ ସଙ୍ଗେ ପ୍ରାଣର ସମ୍ବନ୍ଧ ସଦୃଶ ଚିନ୍ତା ସଙ୍ଗେ ଶ୍ୱାସ ପ୍ରଶ୍ୱାସ କ୍ରିୟାର ସମ୍ବନ୍ଧ ରହିଅଛ । ମନ କେନ୍ଦ୍ରୀଭୂତ ହେଲେ ନିଃଶ୍ୱାସର ଗତି ଧୀର ହୋଇ ଆସେ । ଚିନ୍ତାର ବେଗ ବୃଦ୍ଧି ସଙ୍ଗେ ସଙ୍ଗେ ନିଶ୍ୱାସ ପ୍ରଶ୍ୱାସର ବେଗ ବୃଦ୍ଧି ଘଟିଥାଏ ।
ଅବଚେତନ ମନର ନାମ ଚିତ୍ତ । ଅନ୍ତଃସ୍ଥିତ ଅଭିଜ୍ଞତା ଅର୍ଥାତ୍ ପୁନରୁଦ୍ଧାର ସମ୍ବପର ଲୁପ୍ତ ସ୍ମୃତି ଦ୍ୱାରା ଅବଚେନ ମନର ଅଧିକାଂଶ ଗଠିତ । ମାନସିକ ଧାରା କେବଳ ଚେତନ ମନ ମଧ୍ୟରେ ସୀମାବଦ୍ଧ ନୁହେଁ, ଅବଚେତନ ମନର କ୍ଷେତ୍ର ଏହା ପାଇଁ ବିଶେଷ ପ୍ରଶସ୍ତ । କୌଣସି କଥା ବା ସମ୍ବାଦ ପ୍ରସ୍ତୁତ ହେଲେ ତାହା ଅବଚେତନ ମନ ବା ଚିତ୍ତରୁ ଏକ ସୂକ୍ଷ୍ମପଥ ଦେଇ ଚେତନ ମନ ଉପରକୁ ଭାସିଉଠେ । ମାନସିକ ପ୍ରକ୍ରିୟାର ଦଶ ଭାଗରେ ଭାଗେ ଚେତନା କ୍ଷେତ୍ରରେ ପ୍ରକାଶିତ ନୁହେଁ ଏବଂ ଅବଶିଷ୍ଟ ନଅଭାଗ ଅବଚେତନ ମନ ସହ ଲିପ୍ତ । ସକଳ ସମସ୍ୟାର ସମାଧାନ ଅବଚେତନ ମନ ହିଁ କରିଥାଏ । ଉଦାହରଣ ସ୍ୱରୂପ, ତୁ ଯଦି ରାତି ଚାରିଟାରେ ଉଠିବାକୁ ଚାହିଁ ଶୋଇପଡିବୁ, ତେବେ ରାତି ୪ଟାରେ ତୋତେ ଅବଚେତନ ମନ ତୋତେ ଉଠାଇଦେବ । ଅବଚେତନ ମନ ତୋର ନିତ୍ୟସଙ୍ଗୀ ଓ ପ୍ରକୃତ ବନ୍ଧୁ । କୌଣସି ଜଟିଳ ଗଣିତ ତୁମେ କରିନପାରିଲେ , ଏହାର ଉତ୍ତର ବୈଦୁ୍ୟତିକ ପ୍ରଭାସଦୃଶ ଅବଚେତନ ମନରୁ ଆସିଥାଏ । ଏପରିକି ଶୋଇଥିବା ଅବସ୍ଥାରେ ଅବଚେତନ ମନ ଅବିଶ୍ରାନ୍ତ କାର୍ଯ୍ୟରତ ଥାଏ । ସକଳ ଘଟଣାକୁ ଅବଚେତନ ମନ ସଜାଇ ରଖେ, ଶ୍ରେଣୀବଦ୍ଧକରେ, ତୁଳନାକରେ , ଶୃଙ୍ଖଳିତ କରେ ଏବଂ ଶେଷରେ ସନ୍ତୋଷ ଜନକ ଭାବରେ ସମାଧାନ କରେ । ଅବଚେତନ ମନ ସାହାଯ୍ୟରେ ତୁ ଅସତ୍ ସ୍ୱଭାବକୁ ପ୍ରୀତିକର ସଦ୍ଗୁଣ ବର୍ଦ୍ଧନ ଦ୍ୱାରା ପରିବର୍ତ୍ତନ କରିପାରିବୁ । ଭୟକୁ ଜୟ କରିବାକୁ ଚାହିଁଲେ ଭୟର ଅସ୍ତିତ୍ୱକୁ ସ୍ୱୀକାର କରନାହିଁ ଏବଂ ଏହା ବିରୁଦ୍ଧରେ ମନକୁ କେନ୍ଦ୍ରୀଭୂତ କର । ସାହସ ଗୁଣ ବିକଶିତ ହେଲେ ଭୟ ଆପେ ଆପେ ଚାଲିଯିବ । ମନ୍ଦଗୁଣକୁ ଭଲଗୁଣ ସର୍ବଦା ଜୟକରେ । ଏହା ହେଉଛି ପ୍ରକୃତିର ଅବ୍ୟର୍ଥ ନିୟମ ।
ରୁଚି ବିରୁଦ୍ଧ କାର୍ଯ୍ୟ ବା କର୍ତ୍ତବ୍ୟ ପ୍ରତି ଇଚ୍ଛା ଓ ରୁଚି ବଢିଲେ ତାହା ଦୂରୀଭୂତ ହୋଇପାରିବ । ଅବଚେତନ ମନ ମଧ୍ୟରେ ପୁରାତନ ଅଭ୍ୟାସ, ଭାବ, ଆଦର୍ଶ, ରୁଚି ଓ ଚରିତ୍ର ପରିବର୍ତ୍ତେ ନୂତନ ଅଭ୍ୟାସ, ଭାବ, ଆଦର୍ଶ, ରୁଚି ଓ ଗଠନ କରିବା ପାଇଁ ଉଦ୍ୟମ କରିବା ଭଲ ।
ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ମନେରଖ, ସ୍ମୃତି ବା ସ୍ମରଣ, ଧାରଣା ଓ ଅନୁଧ୍ୟାନ ଚିତ୍ତର କାର୍ଯ୍ୟ । ଜପ ବା ମନ୍ତ୍ରପାଠ କଲାବେଳେ ଚିତ୍ତ ତାହା ସ୍ମରଣ କରାଇଦିଏ । ଏହା ଆମ୍ଭମାନଙ୍କର ଜୀବନରେ ଅନେକ କାର୍ଯ୍ୟ କରେ । ମନ ବୁଦ୍ଧିଠାରୁ ଏହା ଅଧିକ ଉତ୍ତମ କାର୍ଯ୍ୟ କରିପାରେ । ପ୍ରତ୍ୟେକ କାର୍ଯ୍ୟ ବା ଅଭିଜ୍ଞତା ଅବଚେତନ ମନରେ ତାହାର ଛାପ ସ୍ୱରୂପରେ ସୂକ୍ଷ୍ମ ଅନୁଭୂତି ଆସେ ଅବଶିଷ୍ଟ ଶକ୍ତି ରଖିଥାଏ । ସଂସ୍କାର, ଜାତି ବା ଦୁଃଖ ସୁଖର ଅଭିଜ୍ଞତା ଜୀବନର ମୂଳ । କୌଣସି ବିଷୟ ସ୍ମରଣ କରିବାକୁ ଇଚ୍ଛାକଲେ ମାନସିକ ଚେଷ୍ଟା କରିବାକୁ ପଡେ । ମନ ଅବଚେତନ ମନର ବିଭିନ୍ନସ୍ତର ଭିତର ଦେଇ ଅନେକ ପ୍ରକାର ଅଦ୍ଭୁତ ସମିଶ୍ରିତ ସ୍ତୂପ ମଧ୍ୟରୁ ଅବାନ୍ତର ଦ୍ରବ୍ୟଗୁଡିକ ତ୍ୟାଗ କରି ଆବଶ୍ୟକ ବସ୍ତୁଟିକୁ ଖୋଜିଦିଏ । ଅବଚେତନ ମନର ପରିବେଷକ ଅବଚେତନ ମନର ବିଭିନ୍ନ ସ୍ତର ଦେଇ ଠିକ୍ ମନ ଯାହା ଜାଣିବାକୁ ଇଚ୍ଛା କରୁଅଛି, ତାକୁ ଖୋଜି ବାହାର କରି ସାଧାରଣ ଚେତନ,ମନର ସ୍ତରକୁ ଆଣିଥାଏ । ପର୍ବତ ସମାନ ପ୍ରମାଣ ସ୍ତୂପ ମଧ୍ୟରୁ ଆବଶ୍ୟକ ବସ୍ତୁ ଖୋଜି ବାହାର କରିବାର କ୍ଷମତା ଅବଚେତନ ମନର ରହିଅଛି । ଯେତେବେଳେ ମନ କୌଣସି ଅଭିଜ୍ଞତା ଅନୁଭବ କରେ, ତାହାର ସଂସ୍କାରଚିତ୍ତ ମଧ୍ୟେରେ ବୃଦ୍ଧି ପ୍ରାପ୍ତ ହୁଏ । ଅବଚେତନ ମନର ସଂସ୍କାର ସୃଷ୍ଟି ଓ ପ୍ରତିଷ୍ଠିତ ଅନୁଭୂତି ମଧ୍ୟରେ କୌଣସି ବ୍ୟବଧାନ ନାହିଁ ।
ବାପା ଏହି ନୈତିକ ଶିକ୍ଷା ମୋତେ ପିଲାବେଳେୁ କାହିଁକି ଶିଖାଉଛନ୍ତି ତହିଁର କାରଣ ଦର୍ଶାଇବାକୁ ଯାଇ କହିଥିଲେ, “ପିଲବେଳୁ ଏହି ସବୁ ଶିକ୍ଷା ନକଲେ ପରବର୍ତ୍ତୀ ଜୀବନରେ ଶିକ୍ଷା କରିପାରିବୁ ନାହିଁ । ବୟସ ବଢିବା ସହିତ ତୋ ମନରେ ବହୁ କୁସଂସ୍କାର ବସା ବାନ୍ଧି ସାରିଥିବ ଏବଂ ଯେତେ ଉତ୍ତମ ସଂସ୍କାର ଶିକ୍ଷାଦେଲେ ମଧ୍ୟ ତାହାକୁ ଗ୍ରହଣ କରିପାରବ ନାହିଁ । ପିଲାବେଳେୁ ସଂଯତ ଓ ଶୃଙ୍ଖଳିତ ଜୀବନଯାପନ ନକଲେ ବାସନା ହ୍ରାସ ହୋଇନଥାଏ । ବାସନା ଯେତିକି ଯେତିକି ହ୍ରାସ ପାଇବ ଇଚ୍ଛାଶକ୍ତି ସେତିକି ସେତିକି ବୃଦ୍ଧି ପାଇବ । ଇଚ୍ଛାଶକ୍ତି ସଂପନ୍ନ ବ୍ୟକ୍ତି ପକ୍ଷରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ । ଇଚ୍ଛାଶକ୍ତି ସାଧନା ଏକ ମହତ ସାଧନା । ଇଚ୍ଛାଶକ୍ତି ବୃଦ୍ଧି ପାଇଁ ମୁଁ ତୋତେ ବ୍ରହ୍ମମୁହୂର୍ତ୍ତରୁ ଶଯ୍ୟାତ୍ୟାଗ, ପ୍ରାର୍ଥନା ଓ ଜପ ଶିଖାଇଛି । ଏସବୁ ଦ୍ୱାରା ତୋର ଏକାଗ୍ରତା ଅଭ୍ୟାସ ହୋଇଛି, ଯାହାକି ଇଚ୍ଛାଶକ୍ତି ବୃଦ୍ଧିର ବିଶେଷ ସହାୟକ । ମନ ସର୍ବୋପେକ୍ଷା ଦ୍ରୁତଗାମୀ । ଦ୍ରୁତଗାମୀ ମନକୁ ନିୟନ୍ତ୍ରଣ କରିବା ନିମିତ୍ତ ଏକାଗ୍ରତା ଓ ଇଚ୍ଛାଶକ୍ତି ସାଧନା ଏକାନ୍ତ ଆବଶ୍ୟକ । ମନର ଶାନ୍ତି ଓ ସମତା ରକ୍ଷା ନିମିତ୍ତ ଇଚ୍ଛାଶକ୍ତି ବୃଦ୍ଧି ହେବା ଦରକାର । ଇଚ୍ଛାଶକ୍ତି ବର୍ଦ୍ଧନ ପ୍ରୟାସୀ ବ୍ୟକ୍ତି ସବୁବେଳେ ମସ୍ତିଷ୍କକୁ ଶୀତଳ ରଖେ ଏବଂ ଯେ କୌଣସି ଅବସ୍ଥାରେ ପଡିଲେ ମଧ୍ୟ ମନର ସମତା ରକ୍ଷା କରେ । ତୁ ଇଚ୍ଛାଶକ୍ତି ବଢାଇ ମନ ସଂଯମ ରଖିବୁ ବୋଲି ମୋର ଆଶା । ବର୍ତ୍ତମାନ ତୁ ଏକାଗ୍ରତା ସାଧନା ସଂଯତ ଓ ଶୃଙ୍ଖଳିତ ଜୀବନ ଯାପନ ମାଧ୍ୟମରେ ଆରମ୍ଭ କରିଛୁ । ନିୟମିତ ଭାବରେ ଏହି ସାଧନା ଅଭ୍ୟାସ କଲେ ତୋ ମନରେ ସ୍ଥିରତା, ଶାନ୍ତି, ପ୍ରଫୁଲ୍ଲତା, ଆନ୍ତରିକ ଶକ୍ତି, କଠିନ କାର୍ଯ୍ୟ ସାଧନ କରିବାର କ୍ଷମତା, ଉତ୍ତମ ବ୍ୟକ୍ତିତ୍ୱ, ଅପୂର୍ବ ଆକର୍ଷଣୀ ଶକ୍ତି, ଓଜସ୍ୱିନୀ ସ୍ୱର, ଉଦାର ନୀତି, ନିର୍ଭୀକତା, ଦୃଢପ୍ରକୃତି ପ୍ରଭୃତି ଜାଗ୍ରତ ହେବ । ସେତେବେଳେ ତୁ ଉପଲବ୍ଧ କରିପାରିବୁ ଯେ, ତୋର ଇଚ୍ଛାଶକ୍ତିର ବୃଦ୍ଧି ସାଧିତ ହୋଇଛି । ଏହି ଦିବ୍ୟ ଦୃଷ୍ଟିରେ ତୋତେ ମୁଁ ପିଲାବେଳୁ ନୈତିକ ଶିକ୍ଷା ପ୍ରଦାନ କରୁଛି । ଏହି ନୈତିକ ଶିକ୍ଷା ଦ୍ୱାରା ତୋର ଆଭ୍ୟନ୍ତରୀଣ ରୁଚି ପରିମାର୍ଜିତ ହୋଇପାରିବ ତଥା ଭବିଷ୍ୟତରେ ତୁ ଜଣେ ସତ୍ପୁରୁଷ ସ୍ୱରୂପରେ ପ୍ରତିଭାତ ହେବୁ ।”
ଆନନ୍ଦନଗର, କାଠଗଡା
ଢେଙ୍କାନାଳ- ୭୫୯୦୦୧
ମୋ- ୮୮୯୫୨୩୦୭୨୨