ପାଞ୍ଚରୁ ତିନି ମହିଳା; ଝୁଲିକି ରହିଲା ବଡ଼ଚଣା ଓ ସୁକିନ୍ଦା
ଯାଜପୁର: ରବିବାର କଂଗ୍ରେସ ପକ୍ଷରୁ ଘୋଷଣା ହୋଇଥିବା ୭୫ ପ୍ରାର୍ଥୀଙ୍କ ମଧ୍ୟରୁ ଯାଜପୁର ଜିଲାର ୫ଜଣ ରହିଛନ୍ତି । ପାଞ୍ଚଜଣଙ୍କ ମଧ୍ୟରୁ ୩ଜଣ ମହିଳା ରହିଛନ୍ତି । ୩ଜଣ ମହିଳାଙ୍କ ମଧ୍ୟରୁ ପ୍ରାକ୍ତନ ରାଜ୍ୟ ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା, କନକଲତା ମଲିକ ଏବଂ ଆରତୀ ଦେଓ ରହିଛନ୍ତି । ୭ ବିଧାନସଭାରୁ ଧର୍ମଶାଳା, ବରୀ, ବିଞ୍ଝାରପୁର, ଯାଜପୁର, କୋରେଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ ହେଁ ଦଳ ବଡ଼ଚଣା ଏବଂ ସୁକିନ୍ଦାକୁ ଝୁଲାଇ ରଖିଛି । କଂଗ୍ରେସ ୩ଜଣ ମହିଳାଙ୍କ ନାଁ ଘୋଷଣା କରି ମହିଳା କାର୍ଡ଼ ଖେଳିଛି । କେବଳ ମହିଳା କାର୍ଡ଼ ନୁହେଁ ନୂଆ ମୁହଁକୁ ଗୁରୁତ୍ୱ ଦେଇଛି । କୋରେଇ କ୍ଷେତ୍ରରେ କଂଗ୍ରେସ ବନ୍ଦିତା ପରିଡ଼ାଙ୍କୁ ଦ୍ୱିତୀୟଥର ପାଇଁ ସୁଯୋଗ ଦେଇଥିବା ବେଳେ ଧର୍ମଶାଳାରେ କିଶାନ ପଣ୍ଡା, ବରୀରେ ଆରତୀ ଦେଓ, ବିଞ୍ଝାରପୁରରେ କନକଲତା ମଲିକ, ଯାଜପୁରରେ ସୁଦୀପ କୁମାର କରଙ୍କୁ ପ୍ରଥମ କରି ପ୍ରାର୍ଥୀ କରିଛି । ଦଳକୁ ଫାଇଦା ମିଳୁକି ନମିଳୁ ନୂଆମୁହଁକୁ ସୁଯୋଗ ଦେଇ କଂଗ୍ରେସ ନିର୍ବାଚନ ମଣ୍ଡଳୀ କ୍ଷେତ୍ର ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛି । ଯଦି ପୂର୍ବ ନିର୍ବାଚନ ସମୟର ହିସାବ ଦେଖିବା ତେବେ କୋରେଇରୁ ପ୍ରାର୍ଥୀ ହୋଇଥିବା ବନ୍ଦିତା ୨୦୧୯ରେ ସମ୍ମାନ ଜନକ ସମର୍ଥନ ହାସଲ କରିବାକୁ ସମର୍ଥ ହୋଇପାରିଥିଲେ । ଜିଲାର ଅନ୍ୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ଦଳ ଧୂଳିଚାଟିଥିବା ବେଳେ ବନ୍ଦିତା କିନ୍ତୁ ୨୮ହଜାରରୁ ଅଧିକ ଭୋଟ ହାତେଇଥିଲେ । ଯେଉଁଠିକି ଧର୍ମଶାଳାରୁ ୧୮୫୮୮, ବରୀରୁ ୭୦୮୨, ବିଞ୍ଝାରପୁରରୁ ୩୯୯୭, ଯାଜପୁରରୁ ଦଳୀୟ ପ୍ରାର୍ଥୀ ୪୭୪୫ ଭୋଟ ପାଇବାକୁ ସକ୍ଷମ ହୋଇଥିଲେ । ଧର୍ମଶାଳା ଓ ବରୀରୁ ଦଳୀୟ ପ୍ରାର୍ଥୀ ହୋଇ ହାରିବା ପରେ ସ୍ମୃତିରେଖା ପହି ଏବଂ ଉମେଶ ଜେନା ପଦ୍ମଧରିବା ପରେ ଦଳ କିଶାନ ପଣ୍ଡା ଓ ଆରତୀ ଦେଓଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଞ୍ଝାରପୁର ପାଇଁ ଦୀର୍ଘବର୍ଷ ଧରି ଲବି କରି ଆସୁଥିବା କନକଲତାଙ୍କୁ ପ୍ରାର୍ଥୀ କରିଛି । ଜିଲା କଂଗ୍ରେସର ବରିଷ୍ଟ ନେତା ଦିଗାମ୍ବର କରଙ୍କ ପୁଅ ସୁଦୀପଙ୍କୁ ପ୍ରାର୍ଥୀ କରି ନୂଆ ଗେମ ଖେଳିଛି । କିନ୍ତୁ ବଡ଼ଚଣା ଏବଂ ସୁକିନ୍ଦାକୁ ଝୁଲାଇରଖିବା ପଛର କାରଣ କର୍ମୀ ମହଲରେ ଖୋଜା ଚାଲିଛି । ସୁକିନ୍ଦାରେ ଯାହାକୁ ପ୍ରାର୍ଥୀ କରାଯାଉ ତାହା ପ୍ରାକ୍ତନ ବିଧାୟକ ଶରତ ରାଉତଙ୍କ ଇଛାଧିନ ବ୍ୟାପାର ହୋଇଥିବା ବେଳେ ବଡ଼ଚଣାକୁ ନେଇ କିନ୍ତୁ ଭିନ୍ନ ଆଲୋଚନା ଶୁଣିବାକୁ ମିଳୁଛି । କଂଗ୍ରେସ ଏଠାରେ ବିଜେଡ଼ି ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରିଥିବା କୁହାଯାଉଛି । କଂଗ୍ରେସ ଏଠି ଆବଶ୍ୟକ ପଡ଼ିଲେ ଦଳଡ଼ିଅାଁଙ୍କୁ ସୁଯୋଗ ଦଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।