ପକ୍ଷୀଙ୍କ ସୁରକ୍ଷିତ ସ୍ଥାନ ପାଲଟିଛି ସୁକିନ୍ଦା ଥାନା

ସୁକିନ୍ଦା: ପକ୍ଷୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି ସୁକିନ୍ଦା ଥାନା । ଦୀର୍ଘ ୫୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସୁକିନ୍ଦା ଥାନା ପରିସରରେ ଶହଶହ ଗେଣ୍ଡାଳିଆ, ବଗ ଓ ବିଭିନ୍ନ ପ୍ରକାରର ପକ୍ଷୀ ଦେଖିବାକୁ ମିଳିଛି । ଆଜିକାଲି ଏହି ପକ୍ଷୀ ମାନଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ପ୍ରତ୍ୟେକ ବର୍ଷ ଏହି ସ୍ଥାନରେ ଏହି ସମୟରେ ଶତାଧିକ ପକ୍ଷୀମାନଙ୍କ ଆଗମନ ଦେଖିବାକୁ ମିଳିଥାଏ । ଏହି ସମୟ ସେମାନଙ୍କ ପ୍ରଜନନ ସମୟ ହୋଇଥିବାରୁ ସେମାନଙ୍କ ଶାବକ ମାନଙ୍କ ସୁରକ୍ଷା ପାଇଁ ମା ମାନେ ସୁରକ୍ଷିତ ସ୍ଥାନ ବାଛିଥିବା କୁହାଯାଏ । ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବାରୁ ପକ୍ଷୀ ମାନଙ୍କ ତୃଷା ମେଣ୍ଟାଇବା ପାଇଁ ଥାନା ପକ୍ଷରୁ ପିଇବା ପାଣି ଓ କିଛି ଖାଦ୍ୟର ବ୍ୟବସ୍ଥା କରାଯାଇଛି । ପକ୍ଷୀ ମାନେ ପ୍ରଜନନ କରିବା ପରେ ଶାବକ ମାନଙ୍କୁ ସୁରକ୍ଷିତ ଭାବେ ରଖିବା ସହ ଶାବକ ମାନେ ଉଡ଼ି ଶିଖିବା ପର୍ଯ୍ୟନ୍ତ ସେହି ସ୍ଥାନରେ ରହିଥାନ୍ତି । ଦୀପାବଳୀ ସମୟ ପର୍ଯ୍ୟନ୍ତ ସେମାନେ ରହିବା ପରେ ଧିରେ ଧିରେ ସେଠାରୁ ପୂର୍ବ ସ୍ଥାନକୁ ଫେରିଯାଇଥାନ୍ତି । ଏହି ପକ୍ଷୀମାନଙ୍କ ଶବ୍ଦ ସ୍ଥାନୀୟ ଅଞ୍ଚଳରେ ସୁନ୍ଦର ପରିବେଶ ସୃଷ୍ଟି କରୁଛି ।