ନାମାଙ୍କନ ପତ୍ର ଦାଖଲ ଆଳରେ ଶକ୍ତିପ୍ରଦର୍ଶନ କଲେ ଜୟଦେବ
ଆନନ୍ଦପୁର: ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତା ତଥା ଆନନ୍ଦପୁରର ବିଧାନସଭା ପ୍ରାର୍ଥୀ ଜୟଦେବ ଜେନା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜୟଦେବହଜାର ହଜାର ସମର୍ଥକଙ୍କ ଗହଣରେ ହାଟଡିହି ବ୍ଲକ ଶଙ୍ଖଣା ସ୍ଥିତ ନିଜ ବାସ ଭବନରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିିଥିଲେ । ନାମାଙ୍କନ ପତ୍ର ଦାଖଲ ଆଳରେ ଜୟଦେବ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ଆନନ୍ଦପୁରରେ ଯାହାକିଛି ହୋଇଛି ତାଙ୍କ ସମୟରେ ହୋଇଥିବା ବେଳେ ଆଜି ଆନନ୍ଦପୁର ବିକାଶର ବହୁ ତଳକୁ ଖସିଯାଇଛି ବୋଲି ଶ୍ରୀ ଜେନା କହିଥିଲେ । ବିକଶିତ ଆନନ୍ଦପୁର କେବଳ କଂଗ୍ରେସ କ୍ଷମତାରେ ଆସିଲେ ସମ୍ଭବ ବୋଲି ଶ୍ରୀ ଜେନା ନିଜ ପ୍ରତିକ୍ରିୟାରେ ମତ ରଖିଥିଲେ । ଶ୍ରୀଜେନାଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରାକ୍ତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ମନୋଜ ଜେନା, କେନ୍ଦୁଝର ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାଏକ, ନବଜ୍ୟୋତି ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦକ ନିକୁଞ୍ଜ ବିହାରୀ ମିଶ୍ର, ଆଲୋକ ମିଶ୍ର, ପୌରପରିଷଦ ସଭାପତି ହାଡିବନ୍ଧୁ ଖୁଣ୍ଟିଆ, ପିସିସି ଏସି ସେଲ ଉପସଭାପତି ସୁରେଶ କୁମାର ଜେନା, ପିସିସି ସଦସ୍ୟ ଶ୍ରୀଧର ଦଳେଇ, ବିଷ୍ଣୁପ୍ରସାଦ ସାହୁ, କ୍ଷିତିଶ ନାଏକ, ପଦ୍ମାକର ଗୁରୁ ଙ୍କ ସମେତ ଅନେକ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ସେହିପରି ନାମାଙ୍କନ ପ୍ରକ୍ରିୟା ସମୟରେ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଫାଲଗୁନୀ ମାଝୀଙ୍କ ତତ୍ୱାବଧାନରେ ଆନନ୍ଦପୁର ଏଆରଓ ସଂଗ୍ରାମ କେଶରୀ ଭୋଳ, ହାଟଡିହି ଏଆରଓ ହାବିଲ ଖାଖା, ଆନନ୍ଦପୁର ଏବିଡ଼ିଓ ବିଚିତ୍ର କର, ଡେପୁଟି ସହକାରୀ ଜିଲ୍ଲାପାଳ ଅଭିପ୍ସା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଘସିପୁରା ନିର୍ବାଚନ ମଣ୍ଡଳୀ ପକ୍ଷରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ସୁବ୍ରତ ଚକ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଶାସନ ପକ୍ଷରୁ ଅତିରିକ୍ତ ସହକାରୀ ଜିଲ୍ଲାପାଳ ସୁରେଶ ପଣ୍ଡା, ଘସିପୁରା ଏଆରଓ ନୀଳକଣ୍ଠ ବେହେରା ପ୍ରମୁଖ ସୁବ୍ରତ ଚକ୍ରଙ୍କୁ ସହାୟତା କରିଥିଲେ ।