ଷ୍ଟିଲ୍ ପ୍ଲାଣ୍ଟରେ ଭୟଙ୍କର ଦୁର୍ଘଟଣା, ୭ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡବିଲ ତହସିଲ ଲୋଇଡାପଦା ପଂଚାୟତ ଅନ୍ତର୍ଗତ ବରପଦା ସ୍ଥିତ କେଜେଏସ୍ ଆଲୁୱାଲିଆ ଷ୍ଟିଲ ଏଣ୍ଡ ପାୱାର ପ୍ଲାଣ୍ଟ ଦୁର୍ଘଟଣା ହେବାରୁ ୧୦ ଜଣ କର୍ମଚାରୀଙ୍କ ଉପରେ ତରଳ ଲୁହା ପଡିବାରୁ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି । କାରଖାନାରେ ଦୁର୍ଘଟଣା ପରେ କାରଖାନା ମାଲିକ ଏବଂ ସୁରକ୍ଷା ଅଧିକାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଆହତମାନେ ହେଲେ ଆସାମ ରାଜ୍ୟ ନୂଆଁଗାଁର ରାଜୁ ଦାସ(୨୯), ଆସାମ ରାଜ୍ୟର ଦେବେନ ବାଙ୍କଲାନି, ବୁବୁ ଦାସ, ସୁନ୍ଦରଗଡ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ରଂଜଡା ଗ୍ରାମର ଛବିରାଣୀ ମୁଣ୍ଡା(୨୩), ବିହାର ଔରଙ୍ଗାବାଦ ଅଂଚଳର ବିଜୟ ସିଂ, ଚମ୍ପୁଆ ଥାନା ହସ୍ତିନାପୁର ଗ୍ରାମର ଚନ୍ଦନ ହେମ୍ବ୍ରମ(୨୫), ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଅନ୍ତର୍ଗତ କଲର୍ଦା ଗ୍ରାମର ସୂରଜ ଭୂୟାଁ (୩୫), ବିହାର ରାଜ୍ୟ ଔରଙ୍ଗାବାଦ ଅଂଚଳର ବିଜୟ ସିଂ(୪୦), ଝାଡଖଣ୍ଡ ରାଜ୍ୟ ସରେଇକଲା ଥାନା ଜମ୍ବାରା ଗ୍ରାମର ଡଙ୍କାରୀ ଦାମକରାୟ ବୋଦ୍ରା(୨୨) ବୋଲି ଜଣାପଡିଛି । ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ଅଶ୍ୱିନୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶ ଯେ, ଗତ ୨ ତାରିଖ ଦିନ ଅପରାହ୍ନ ୪ଟା ୪୫ରେ କେଜେଏସ୍ ଆଲୁୱାଲିଆ କାରଖାନାର ୧ନମ୍ବର ଇଣ୍ଡକସନ ଫର୍ଣ୍ଣେସ ହଠାତ୍ ବିସ୍ପୋରଣ ହେବାରୁ ସେଠାରେ କାମ କରୁଥିବା ଶ୍ରମିକଙ୍କ ଉପରେ ତରଳ ଗରମ ଲୁହା ଛିଟିକି ପଡିଥିଲା । ଅର୍ଦ୍ଧଦଗ୍ଧ ଅବସ୍ଥାରେ ସେମାନଙ୍କୁ କମ୍ପାନୀ ଆମ୍ବୁଲାନ୍ସରେ ଗୁରୁତର ଅବସ୍ଥାରେ ସେମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିସôାଳୟକୁ ଅଣାଯାଇଥିଲା । ସର୍ଜରୀ ୱାର୍ଡରେ ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ୪ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଚିକିତ୍ସା କରିଥିବା ସର୍ଜରୀ ବିଭାଗର ବରିଷ୍ଠ  ବିଶେଷଜ୍ଞ ଡାକ୍ତର ପ୍ରଦୀପ କୁମାର ନାଏକ ସୂଚନା ଦେଇଛନ୍ତି । ଫାକ୍ଟ୍ରି ଏଣ୍ଡ ବଏଲ୍ର ବିଭାଗର ଉପ ନିଦେ୍ର୍ଦଶକ ଉମେଶ ଚନ୍ଦ୍ର ସୂତାର ଏବଂ ସହକାରୀ ନିଦେ୍ର୍ଦଶକ କେଦାରନାଥ ହାଁସଦା, ଜିଲ୍ଲା ଶ୍ରମ ଅଧିକାରୀ ସୂର୍ଯ୍ୟନାରାୟଣ ମାଳୀ ଏବଂ ରୁଗୁଡି ପୁଲିସ କାରଖାନାକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ଏହି କମ୍ପାନୀରେ ଅଣକୁଶଳୀ ଶ୍ରମିକମାନଙ୍କୁ କମ ଦରମା ଦିଆଯାଇ ବିପଦ ପୂର୍ଣ୍ଣ କାମ କରାଯାଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ବିଶେଷ କରି ବାହାର ରାଜ୍ୟର ଅଣ କୁଶଳୀ ଶ୍ରମିକମାନଙ୍କୁ କମ ଦରମାରେ ଜୈନିକ ଠିକାଦାର ଅଧିନରେ ରହି କାମ କରୁଛନ୍ତି । ବାହାର ରାଜ୍ୟର ବହୁ ଶ୍ରମିକ ଏହି କାରଖାନାରେ କାମ କରୁଥିଲେ ମଧ୍ୟ ଏଥିପାଇଁ ଶ୍ରମ ବିଭାଗ ପକ୍ଷରୁ ଅନୁମତି ନିଆଯାଇନାହିଁ । ଅସୁରକ୍ଷିତ ଭାବେ ଏବଂ ଅସୁରକ୍ଷିତ ପ୍ରଣାଳୀରେ ଶ୍ରମିକମାନେ କାମ କରୁଥିଲେ ମଧ୍ୟ ଶ୍ରମ ଏବଂ ଫାକ୍ଟ୍ରି ଏଣ୍ଡ ବଏଲର ବିଭାଗ ପକ୍ଷରୁ ସଠିକ୍ ଭାବେ ଯାଂଚ ହେଉନଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନହାନୀ ହେଉଛି । ୨୦୨୪ ମସିହା ଜାନୁୟାରୀ ମାସ ୪ ତାରିଖରେ ଏହି କାରଖାନାର ଫର୍ଣ୍ଣେସ-୨ ବିସ୍ପୋରଣ ହେବାରୁ ଫାକ୍ଟ୍ରି ଏଣ୍ଡ ବଏଲର ବିଭାଗ ପକ୍ଷରୁ ଉକ୍ତ ୟୁନିଟକୁ ସିଲ କରାଯାଇଥିଲା । ୨୦୧୩ ମସିହାରେ କାରଖାନାର ବଏଲର ଫାଟି ୩ଜଣଙ୍କ ମୃତୁ୍ୟ ଘଟିଥିଲା । ୨୦୧୭ ମସିହା ଅଗଷ୍ଟ ୧୦ତାରିଖରେ କାରଖାନାର କନଭେୟର ବେଲ୍ଟରେ ଚାପି ହୋଇ ଜଣେ ଶ୍ରମିକର ମୃତୁ୍ୟ ହୋଇଥିଲା । ଏହାର ମାତ୍ର ୨ ମାସ ପରେ ଅକ୍ଟୋବର ୧୩ ତାରିଖରେ ପୁନର୍ବାର ଦୁର୍ଘଟଣା ଘଟିଥିଲା । କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ ଫାଟି ୧୨ ଜଣ ଶ୍ରମିକ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତୁ୍ୟ ହୋଇଥିଲା । କାରଖାନାରେ ନିୟମିତ ରକ୍ଷଣାବେକ୍ଷଣ ହେଉନଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ଶ୍ରମିକ ନେତା ମହେଶ୍ୱର ରାଉତ ଅଭିଯୋଗ କରିଛନ୍ତି । ସଠିକ୍ ଢଙ୍ଗରେ ସୁରକ୍ଷା ପରିଚାଳନା ଏବଂ କ୍ଷେତ୍ର ପରିଦର୍ଶନ ହେଉନାହିଁ । ଶ୍ରମିକ ଏବଂ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ପାଇଁ ଫାକ୍ଟ୍ରି ଏଣ୍ଡ ବଏଲର ବିଭାଗ ଏବଂ ଶ୍ରମ ବିଭାଗ ଦୃଢ ପଦକ୍ଷେପ ନେବାକୁ ଶ୍ରୀ ରାଉତ ଦାବି କରିଛନ୍ତି ।