ସମୁଦ୍ର ଗର୍ଭରେ ସାତଭାୟା

ସମୁଦ୍ର ଗର୍ଭରେ ସାତଭାୟା


ବର୍ତ୍ତମାନ ସମଗ୍ର ବିଶ୍ୱରେ ପାଣିପାଗଜନିତ ପରବର୍ତ୍ତନକୁ ନେଇ ଉଦ୍ବେଗ ପ୍ରକାଶ ପାଉଛି । ବର୍ତ୍ତମାନ ଏହାର କୁପ୍ରଭାବ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଦେଖିବାକୁ  ମିଳିଲାଣି । ସମୁଦ୍ର ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଉପକୂଳରେ ସର୍ବାଧିକ ପଡୁଥିବା ଦେଖାଗଲାଣି । ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ଅଞ୍ଚଳ ସମୁଦ୍ର ଭିତରେ ଲୀନ ହୋଇଯିବାକୁ ବସିଲାଣି । 
୧୯୩୦ ମସିହାର ଜମି ରେକର୍ଡ୍ ତଥ୍ୟ ଅନୁସାରେ ଏହି ଅଞ୍ଚଳ ୩୨୦ ବର୍ଗ କିଲୋମିଟର ଅଞ୍ଚଳବ୍ୟାପୀ ରହିଥିଲା । କିନ୍ତୁ ୨୦୦୦ ମସିହା ବେଳକୁ ତାହା ୧୫୫ କିଲୋମିଟରରେ ସୀମିତ ହୋଇଯାଇଛି । ୭୦ ବର୍ଷ ମଧ୍ୟରେ ୧୬୫ ବର୍ଗ କିଲୋମିଟର ଅଞ୍ଚଳ ସମୁଦ୍ର ଭିତରକୁ ଚାଲିଯାଇଛି । ୧୯୮୦ ଦଶକରେ ଗୋବିନ୍ଦପୁର ଏବଂ ମହନୀପୁର ଗ୍ରାମ ସମୁଦ୍ର ଭିତରେ ଲୀନ ହୋଇଯାଇଛି । ୧୯୯୦ ଦଶକରେ ଖରିକୁଲା ଏବଂ ସରପଡ଼ା ସମୁଦ୍ର ଭିତରେ ଲୀନ ହୋଇଯାଇଛି । ଠିକ୍ ସେହିପରି ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଞ୍ଚଳରେ ପ୍ରାୟ ୧୫ କିଲୋମିଟର ମଧ୍ୟରେ ଥିବା ଗାଁ ଗୁଡିକ ନିଶ୍ଚିହ୍ନ ହୋଇଗଲାଣି । ପ୍ରାୟ ୫ ବର୍ଷ ତଳେ କ୍ରମାଗତ ଭାବରେ କିଛିଦିନ ଧରି ପୁରୀ ବେଳାଭୂମୀରେ ସମୁଦ୍ର ସ୍ଥଳଭାଗ ଆଡ଼କୁ ମାଡ଼ି ଆସି କିଛି ଅଞ୍ଚଳକୁ ଗ୍ରାସ କରିଯାଇଛି । ପ୍ରଶାସନ ପକ୍ଷରୁ ସେଥିପାଇଁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ନାଲି ପତାକା ଲଗାଇ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳ ଭିତରକୁ କାହାକୁ ନଯିବା ପାଇଁ ବାରଣ କରାଯାଇଥିଲା । ଏପରିକି ମେରାଇନ୍ ଡ୍ରାଇଭ୍ ରାସ୍ତା ପାରି ହୋଇ ସମୁଦ୍ର ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ମାଡ଼ି ଆସିବ ବୋଲି ସମ୍ଭାବନା ସୃଷ୍ଟି କରିଥିଲା । ସମୁଦ୍ରରେ ଏ ପ୍ରକାରର କୂଳ ଲଙ୍ଘନ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଘଟୁଛି । 
ପ୍ରାୟ ୪-୫ ଦଶନ୍ଧୀ ତଳେ ଦଶ ଦିନରେ ଲଗାତାର୍ ଭାବରେ ୫-୧୦ ଦିନ ଧରି ଝଡିବର୍ଷା ଲାଗି ରହୁଥିଲା । ବର୍ତ୍ତମାନ ସେଭଳି ବର୍ଷା ଆଉଁ ନାହିଁ । ବର୍ଷକୁ ବର୍ଷ ମୌସୁମୀ ଋତୁରେ ବୃଷ୍ଟିପାତର ପରିମାଣ କମି କମି ଯାଉଛି । ବଜ୍ରପାତର ପରିମାଣ ବୃଦ୍ଧି ପାଉଛି । ବର୍ଷା ଋତୁ ଏବଂ ଶୀତ ଋତୁର ଅବଧି କମି ଗ୍ରୀଷ୍ମଋତୁର ଅବଧି ବଢୁଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଅତିବୃଷ୍ଟି ହେଉଥିବା ବେଳେ ଆଉ କେତେକ ସ୍ଥାନରେ ମରୁଡ଼ି ପଡ଼ିଯାଉଛି । ଏହାର ପ୍ରଭାବରେ କୃଷି ଉତ୍ପାଦନ କମିବ ଏବଂ ଭବିଷ୍ୟତରେ ଜଳବାୟୁ ପରିବର୍ତ୍ତନକୁ ନେଇ କୃଷି ଆନୁଷଙ୍ଗିକ କ୍ଷେତ୍ର ଗୁଡ଼ିକରେ ସଂକଟମୟ ପରିସ୍ଥିତି ଉପୁଜିବ । ବିଶ୍ୱ ପାଣିପାଗ ବିଶେଷଜ୍ଞମାନେ ଏ ପ୍ରକାରର ଭବିଷ୍ୟବାଣୀ କରି ସାରିଲେଣି । ତେବେ ଏଥିରୁ ନିସ୍ତାର ପାଇବାର ଉପାୟ କିଛି ନାହିଁ । ଏ ସମ୍ପର୍କିତ ଖବର ପ୍ରକାଶ ପରେ ଅତି ବେଶୀରେ ସମୁଦ୍ରରେ କୂଳଲଙ୍ଘନ ଭଳି ପରିସ୍ଥିତିରୁ ମୁକ୍ତି ପାଇବା ପାଇଁ ହୁଏତ ମଝିରେ ଆଡ଼ିବନ୍ଧ ଦିଆଯାଇପାରିବ । କିନ୍ତୁ ପାଣିପାଗର ପରିବର୍ତ୍ତନଜନିତ ଅନ୍ୟାନ୍ୟ ପ୍ରଭାବକୁ ପ୍ରତିହତ କରିବା ପାଇଁ କୌଣସି ବି ପଦକ୍ଷେପ ସଫଳ ହେବ ନାହିଁ । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ଛାଡ଼ି ଦେଲେ ହିମାଳୟ ପାଦଦେଶ ଭଳି ପାର୍ବତ୍ୟାଞ୍ଚଳରେ ଅତିବୃଷ୍ଟି ଗତ କିଛିବର୍ଷ ହେଲା ଦେଖିବାକୁ ମିଳିଲାଣି । ବାଦଲଫଟା ବର୍ଷା ପ୍ରାୟତଃ ପ୍ରତିବର୍ଷ ହିମାଳୟ ପାଦଦେଶର ଥିବା ପାର୍ବତ୍ୟାଞ୍ଚଳରେ ଘଟୁଛି । ଏଥିରେ ବହୁ ଧନୀଜବନ ନଷ୍ଟ ହେଉଛି । 
ଛଅ ଋତୁ ମଧ୍ୟରୁ ହେମନ୍ତ ଏବଂ ବସନ୍ତ ପ୍ରାୟତଃ ଲୋପ ପାଇଗଲାଣି । କିଛି ପାର୍ବତ୍ୟାଞ୍ଚଳକୁ ବାଦ୍ ଦେଲେ ବର୍ତ୍ତମାନ ବସନ୍ତ ଋତୁର ଅନୁଭୂତି ଆଉ କେଉଁଠି ନାହିଁ । ଏସବୁ ପାଣିପାଗଜନିତ ପରିସ୍ଥିତିର ମୂଳରେ ରହିଛି ବାୟୁମଣ୍ଡଳରେ କାର୍ବନ୍ର ପରିମାଣ ବୃଦ୍ଧି । ଏ ପ୍ରକାରର ପରିବର୍ତ୍ତିତ ଜଳବାୟୁ ମଶା, ମାଛି ଭଳି ପତଙ୍ଗମାନଙ୍କ ସଂଖ୍ୟା ବୃଦ୍ଧିରେ ସହାୟକ ହେଉଛି । ତେଣୁ କାର୍ବନ୍ ନିର୍ଗମନକୁ କିଭଳି ଭାବରେ କମାଯାଇପାରିବ ସେ ଦିଗରେ ବିଶ୍ୱରେ ସମସ୍ତ ରାଷ୍ଟ୍ର ମିଳିତ ଭାବରେ ଉଦ୍ୟମ କରିବା ଉଚିତ୍ ।