ଯାଞ୍ଚ୍ ହେବ ଇଭିଏମ୍


ଗତ ଲୋକସଭା ଏବଂ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ ୮ଟି ଲୋକସଭା ଆସନରେ ଏବଂ ୩ଟି ବିଧାନସଭା ଆସନରେ ଇଭିଏମ୍ ଗୁଡ଼ିକର ଯାଞ୍ଚ୍ ହେବ ବୋଲି ନିର୍ବାଚନ କମିଶନ୍ ନିଦେ୍ର୍ଦଶ ଦେଇଛନ୍ତି । କେତୋଟି ସ୍ଥାନରେ ଇଭିଏମ୍ରେ ତ୍ରୁଟି ଥିବା ଦର୍ଶାଇ ଅଳ୍ପ ଭୋଟ୍ ବ୍ୟବଧାନରେ ହାରି ଯାଇଥିବା ପ୍ରାର୍ଥୀମାନେ ପୁନଃଗଣତି ପାଇଁ ଦାବି କରିଥିଲେ । ଏଥିସହିତ ଇଭିଏମ୍ର ଯାନ୍ତ୍ରିକ ବ୍ୟବସ୍ଥା ପ୍ରତି ସନେ୍ଦହ ପ୍ରକାଶ କରିଥିଲେ । ୬ଟି ରାଜ୍ୟରେ ୮ଟି ଲୋକସଭା ଆସନ ମଧ୍ୟରୁ ହରିୟାଣା ଏବଂ ତାମିଲ୍ନାଡୁରେ ୨ଟି ଲେଖାଏଁ ଆସନ, ଛତିଶଗଡ଼, ମହାରାଷ୍ଟ୍ର, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ଗୋଟିଏ ଲେଖାଏଁ ଆସନ ରହିଛି । ଏହା ୮ଟି ଆସନ ମଧ୍ୟରୁ ବିଜେପି ୩ଟି ରେ, କଂଗ୍ରେସ ୨ଟିରେ ଏବଂ ଅନ୍ୟାନ୍ୟ ଦଳ ୩ଟି ଆସନରେ ବିଜୟୀ ହୋଇଥିଲେ । ଏହି ୮ଟି ଲୋକସଭା ଆସନର ମୋଟ୍ ୯୨ଟି ପୋଲିଂ ବୁଥ୍ର ଇଭିଏମ୍ ଯାଞ୍ଚ୍ ହେବ । ସେହିପରି ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ୩ଟି ବିଧାନସଭା ଆସନରେ ଥିବା ୨୬ଟି ପୁଲିଂ ବୁଥ୍ରେ ଇଭିଏମ୍ ତ୍ରୁଟି ସମ୍ପର୍କରେ ଯାଞ୍ଚ୍ କରାଯିବ । ଓଡ଼ିଶାର ଝାରସୁଗୁଡା ନିର୍ବାଚନ ମଣ୍ଡଳୀର କିଛି ପୁଲିଂ ବୁଥ୍ର ଇଭିଏମ୍ ଯାଞ୍ଚ୍ ହେବାର ଏହି ତାଲିକାରେ ରହିଛି । 
ବିଭିନ୍ନ ସମୟରେ ବିଭିନ୍ନ ସମୟରେ ବହୁ ରାଜନୀତିକ ଦଳ ଏବଂ ବୁଦ୍ଧିଜୀବୀ ଇଭିଏମ୍ ବ୍ୟବସ୍ଥାକୁ ବିରୋଧ କରି ଆସୁଛନ୍ତି । ଇଭିଏମ୍ ବ୍ୟବସ୍ଥାଟି ମତଦାନ ବ୍ୟବସ୍ଥାକୁ ସୂଚରୁ ରୂପେ ପରିଚାଳନା କରିବା ଏବଂ ଭୋଟ୍ ଗଣତି କ୍ଷେତ୍ରରେ ସୁବିଧାଜନକ ହେଉଥିବା କୁହାଯାଉଥିଲେ ମଧ୍ୟ ଏହାର ବିଶ୍ୱସନୀୟତା ଉପରେ ବାରମ୍ବାର ପ୍ରଶ୍ନ ଉଠୁଛି । ଇଭିଏମ୍କୁ କୌଣସି ନା କୌଣସି ପ୍ରକାରରେ ଟାମ୍ପରିଂ କରାଯିବା, ଭିଭିପାଟ୍ ସହିତ ଇଭିଏମ୍କୁ ତ୍ରୁଟିପୂର୍ଣ୍ଣ ଭାବରେ ସଂଯୋଗ କରାଯିବା ଏବଂ ଯେ କୌଣସି ବଟନ୍ ଦବାଇଲେ ମଧ୍ୟ କୌଣସି ଏକ ନିର୍ଦ୍ଦିଷ୍ଟ ଦଳକୁ ସବୁତକ ଭୋଟ୍ ଚାଲିଯିବା ଭଳି ସୁବିଧା କରାଯାଇପାରିବାର ଅଭିଯୋଗ ସବୁବେଳେ ବିରୋଧୀ ଦଳମାନେ କରି ଆସୁଛନ୍ତି । ହେଲେ ବିରୋଧୀ ଦଳମାନଙ୍କର ଅଭିଯୋଗକୁ ନିର୍ବାଚନ କମିଶନ୍ ପକ୍ଷରୁ ସବୁବେଳେ ଅସ୍ୱୀକାର କରାଯାଉଛି । ତେବେ ଚଳିତ ନିର୍ବାଚନରେ ମୋଟ୍ ୯୨ଟି ପୁଲିଂ ବୁଥ୍ରେ ଅନିୟମିତତା ଅଭିଯୋଗକୁ ନିର୍ବାଚନ କମିଶନ୍ ଗ୍ରହଣ କରିବା ଏକ ବହୁତ ବଡ଼ ଘଟଣା । ସବୁବେଳେ ଇଭିଏମ୍ର ବିଶ୍ୱସନୀୟତାକୁ ଦାବି କରୁଥିବା ନିର୍ବାଚନ କମିଶନ୍ ବର୍ତ୍ତମାନ ଇଭିଏମ୍ର ଯାଞ୍ଚ୍କୁ ଅନୁମତି ଦେଇଛନ୍ତି । ଏହି ୯୨ଟି ପୁଲିଂ ବୁଥ୍ର ଇଭିଏମ୍ରେ ଯଦି କୌଣସି ଗୋଟିକରେ ବି ତ୍ରୁଟି ପରିଲକ୍ଷିତ ହୁଏ ନିଶ୍ଚିତ ରୂପେ ତାହା ବିରୋଧୀ ଦଳମାନଙ୍କ ପାଇଁ ଇଭିଏମ୍ ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉଠାଇବାକୁ ଏକ ଅସ୍ତ୍ର ହେବ । ଭାରତ ଭଳି ଏକ ବିଶାଳ ଦେଶରେ ବାଲାଟ୍ ପେପର୍ ମାଧ୍ୟମରେ ଭୋଟ୍ ଦେବା ବ୍ୟବସ୍ଥା ଆଦୌ ସରଳ ନଥିଲା । କେତେକ ନିର୍ବାଚନରେ ପ୍ରାର୍ଥୀମାନଙ୍କ ସଂଖ୍ୟା ଏତେ ଅଧିକ ହୋଇ ଯାଉଥିଲା ଯେ ଗୋଟିଏ ବାଲାଟ୍ ପେପର୍ରେ ସେମାନଙ୍କ ନାମ ଏବଂ ସନ୍ତକକୁ ଛାପିବା ସମ୍ଭବ ହେଉନଥିଲା । ସେ କ୍ଷେତ୍ରରେ ମତଦାନରେ ଅନେକ ଅସୁବିଧା ହେଉଥିଲା । ତେଣୁ ଏସବୁ ଅସୁବିଧାକୁ ଦୃଷ୍ଟିରେ ରଖି ଆମ ଦେଶରେ ୧୯୮୨ ମସିହାରେ ପ୍ରଥମ ଥର ପାଇଁ କେରଳରେ ଏକ ବିଧାନସଭା ନିର୍ବାଚନ ସମୟରେ ଇଭିଏମ୍ର ବ୍ୟବହାର କରାଯାଇଥିଲା । ତାହା ପରଠାରୁ ଧୀରେ ଧୀରେ ବାଲାଟ୍ ପେପର ବ୍ୟବସ୍ଥାକୁ ଉଠାଇ ଦିଆଯାଇ ଇଭିଏମ୍ର ପ୍ରଚଳନ କରାଗଲା ଏବଂ ବର୍ତ୍ତମାନ ସମଗ୍ର ଦେଶରେ ବାଲାଟ୍ ପେପର ବଦଳରେ ଇଭିଏମ୍ର ପ୍ରଚଳନ କରାଯାଉଛି । ବାଲାଟ୍ ପେପର ବ୍ୟବହାର କ୍ଷେତ୍ରରେ ଭୋଟ୍ ବାକ୍ସ ଏତେ ବଡ଼ ହୋଇ ଯାଉଥିଲା ଯେ ତାକୁ ଭୋଟ୍ କେନ୍ଦ୍ରକୁ ନେବା ଆଣିବା କ୍ଷେତ୍ରରେ ଅନେକ ଅସୁବିଧା ଦେଖା ଦେଉଥିଲା । ଆଉ କେତେକ କ୍ଷେତ୍ରରେ ମତଦାନ ପରେ ପରେ ଭୋଟ୍ ବାକ୍ସଟିକୁ ସୁରକ୍ଷା ଦେବା କଷ୍ଟକର ହୋଇ ପଡୁଥିଲା । ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ଭୋଟ୍ ବାକ୍ସକୁ ଉଠେଇ ନେବା ଭଳି ଘଟଣା ଘଟୁଥିଲା । ଏଭଳି କ୍ଷେତ୍ରରେ ମତଦାନ କଷ୍ଟକର ହୋଇ ପଡୁଥିଲା । ତେବେ ଯାହାବି ହେଉ ବର୍ତ୍ତମାନ ଆଉ ପଛକୁ ଫେରିବାର ସମ୍ଭାବନା ନ ଥିବାରୁ ଇଭିଏମ୍ର ବିଶ୍ୱସନୀୟତାକୁ ପ୍ରଶ୍ନ ଚିହ୍ନର ଉଦ୍ଧ୍ୱର୍ରେ ରଖାଯିବା ଉଚିତ୍ ।