ରାଜାର ପ୍ରଥମ କର୍ତ୍ତବ୍ୟ

ରମେଶ ଚନ୍ଦ୍ର ଦାଶ:  ବାଘ ମରିଯିବା ପରେ ହାତୀ ରାଜା ହେବା ପାଇଁ ଆଗ୍ରହର ସହିତ ଅପେକ୍ଷା କରିଥାଏ । କାରଣ ସେ ଭାବିଥିଲା ଯେ, ବଣ ରାଇଜର ପ୍ରାଣୀମାନେ ଦୁର୍ବଳ ଓ ବୋକା । ତା’ ଭଳି ଆଉ କେହି ବଳୁଆ ନାହାଁନ୍ତି । ତାକୁ ସମର୍ଥନ କରିବା ପାଇଁ ସେ ସମସ୍ତଙ୍କୁ ଧମକାଇ, ମାଡଦେଇ ଡରାଇବାକୁ ଲାଗିଲା । ଏହା ଦେଖି ପ୍ରାଣୀମାନଙ୍କ ମଧ୍ୟରେ ଭାଳେଣି ପଡିଲା । ସେମାନେ ଏକାଠି ବସି ଚିନ୍ତାକଲେ । ହରିଣ, ଠେକୁଆ, ଜିରାଫ, ସମ୍ବର ଆଦି ପ୍ରାଣୀମାନେ ହାତୀକୁ ସମର୍ଥନ କଲେ । ସେମାନେ କହିଲେ- ହାତୀ ଶାକାହାରୀ । ସେ କୌଣସି ପ୍ରାଣୀ ମାରି ଖାଇବନି । କିନ୍ତୁ ବିଲୁଆ, ଭାଲୁ, ଅଜଗର ଆଦି ପ୍ରାଣୀମାନେ କହିଲେ ମାଂଶାସୀ ନହେଲେ ବି ସେ ଅନ୍ୟମାନଙ୍କର ଘର ଭାଙ୍ଗିଦିଏ, ବିଭିନ୍ନ ଉପାୟରେ ହଇରାଣ କରେ । ତା’ପରେ କେତେ ଜଣ ସିଂହ କଥା ଉଠାଇଲେ । ସିଂହ ମାଂଶାସୀ ହେଲେ ବି ତାର ଆବଶ୍ୟକ ନଥିଲେ ସେ ଅନ୍ୟମାନଙ୍କର କ୍ଷତି କରେନାହିଁ । ବହୁ ବିଚାର ଚାଲିବା  ପରେ ସିଂହର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କଲେ ।
ସିଂହ ରାଜା ହେବା କଥା ଶୁଣି ହାତୀ ତାର ଦୌରାତ୍ମ୍ୟ ଆରମ୍ଭ କଲା । ବଣସାରା ପଶୁପକ୍ଷୀଙ୍କର ବସା ଭାଙ୍ଗିଲା । ବହୁ ଗଛ ନଷ୍ଟ କଲା । ତାର ଏ କାର୍ଯ୍ୟ ଦେଖି ସଂହ ତାକୁ ଡକାଇଲା ଓ ପଚାରିଲା ଏପରି କାରବାର କାରଣ ସମ୍ପର୍କରେ । ତାହା ଶୁଣି ହାତୀ କହିଲା- ବାଘ ପରେ ରାଜା ହେବା ପାଇଁ ମୋର ହିଁ ଅଧିକାର । ଯେଉଁଠି ମୋର ଅଧିକାର କ୍ଷୁର୍ଣ୍ଣ ହୋଇଛି, ସେଠି ଶାସନ ଠିକ୍ ଭାବରେ ଚାଲିଛି କିପରି ? ତାପରେ ସିଂହ ପଚାରିଲା- ପ୍ରଜାଙ୍କ ପାଇଁ ରାଜା ନା ରାଜାଙ୍କ ପାଇଁ ପ୍ରଜା । ହାତୀ ଉତ୍ତର ଦେଲା- ପ୍ରଜାଙ୍କ ପାଇଁ ରାଜା । ସିଂହ ଉତ୍ତର ଦେଲା- ଠିକ୍ କହିଛି । ତେବେ ପ୍ରଜାମାନେ ଯାହାକୁ ବାଛିଲେ ସିଏ ଶ୍ରେଷ୍ଟ ନା ବଳ ଯାହାର  ଅଧିକ  ସେ ଶ୍ରେଷ୍ଠ ? ଏ ପ୍ରଶ୍ନର ଉତ୍ତରକୁ ଏଡାଇ ସେ କହିଲା- ପ୍ରଜାମାନଙ୍କ ସୁରକ୍ଷା ଦେବା ପାଇଁ ଅଧିକ ଶକ୍ତି ଦରକାର ଯାହା ମୋ ପାଖରେ ଅଛି । ଏଥିର ସିଂହ କହିଲା- ପ୍ରଜାମାନଙ୍କୁ କିଏ ସୁରକ୍ଷା ଦେଇପାରିବ ସେମାନଙ୍କ ଠାରୁ ଅନ୍ୟମାନେ ଅଧିକ ଜାଣନ୍ତି ନାହିଁ । ତେଣୁ ପ୍ରଜାଙ୍କ ମତକୁ ସମ୍ମାନ ଦେବା ହେଉଛି ପ୍ରତ୍ୟେକ ରାଜାର ପ୍ରଥମ କର୍ତ୍ତବ୍ୟ । ତେଣୁ ତୁମେ ରାଜା ହେବା ପାଇଁ ଇଚ୍ଛା କରିବା ଆଦୌ ଠିକ୍ ନୁହେଁ । ଏହି ସମୟରେ ସମସ୍ତେ ଜୋର୍ରେ ତାଳିମାରିଲେ । ହାତୀ ଲାଜରେ ଜଙ୍ଗଲ ଭିତରକୁ ଏକା ମୁହାଁ ହୋଇ ଦୌଡିଲା ।
ଶିକ୍ଷାଶ୍ରୀ ଲେନ୍, ଅଠରନଳା, କୁମ୍ଭାରପଡା, ପୁରୀ-୨
ଫୋନ୍- ୯୭୭୬୨୩୮୫୨୨