ଡ୍ୟାମ୍ ଅଞ୍ଚଳରେ ପର୍ଯ୍ୟଟନ ବିକାଶ
ଯେଉଁଠାରେ ପ୍ରାକୃତିକ ପରିବେଶ ଭିତରେ ଜଳର ଉତ୍ସ ରହିଛି ସେଠାରେ ସାଧାରଣତଃ ପର୍ଯ୍ୟଟକମାନଙ୍କର ଆଗମନ ହୋଇଥାଏ । ବିଭିନ୍ନ ପ୍ରକାରର ଜଳପ୍ରପାତ, କ୍ଷୁଦ୍ର ମଧ୍ୟମ ତଥା ବୃହତ ଜଳଭଣ୍ଡାରରେ ପର୍ଯ୍ୟଟନ ଋତୁରେ ଭୋଜି ତଥା ଭ୍ରମଣ ଉଦେ୍ଦଶ୍ୟରେ ଲୋକଙ୍କ ଭିଡ଼ ଜମେ । ବର୍ତ୍ତମାନ ସମଗ୍ର ଦେଶରେ ୬୨୮୧ଟି ଡ଼୍ୟାମ୍ ରହିଥିବା ବେଳେ ଏହି ଡ଼୍ୟାମ୍ର ଆଖପାଖ ଅଞ୍ଚଳରେ ପର୍ଯ୍ୟଟନର ବ୍ୟାପକ ବିକାଶ ନିମିତ୍ତ କେନ୍ଦ୍ର ସରକାର ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଡ଼୍ୟାମ୍ରେ ଏହାକୁ କାର୍ଯ୍ୟକାରୀ କରାଯିବ । ଏ ଦିଗରେ ରାଜ୍ୟ ସରକାରମାନଙ୍କ ଠାରୁ କେନ୍ଦ୍ର ସରକାର ପରାମର୍ଶ ଚାହିଁଛନ୍ତି । ରାଜ୍ୟ ସରକାରମାନେ ଦେବା ପରାମର୍ଶ ଆଧାରରେ ଡ଼୍ୟାମ୍ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ନୀତି ପ୍ରଣୟନ କରାଯିବ । ଏହି କାର୍ଯ୍ୟକ୍ରମ ଭିତରେ ଓଡ଼ିଶାରେ ମଧ୍ୟ କେତୋଟି ଅଞ୍ଚଳ ଗୁଡ଼ିକରେ ପର୍ଯ୍ୟଟନର ବିକାଶ ନିମିତ୍ତ ସେଭଳି କିଛି ଉଲ୍ଲେଖନୀୟ କାର୍ଯ୍ୟକ୍ରମ କରିନାହାନ୍ତି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ମଧ୍ୟମ ତଥା ଛୋଟ ଜଳଭଣ୍ଡାର ଗୁଡ଼ିକରେ ପର୍ଯ୍ୟଟନର ବିକାଶ ନିମିତ୍ତ ପର୍ଯ୍ୟାପ୍ତ ସୁବିଧା ରହିଛି । ମଧ୍ୟମ ତଥା କ୍ଷୁଦ୍ର ଜଳଭଣ୍ଡାର ଗୁଡ଼ିକରେ ପରିଭ୍ରମଣକାରୀ ବିଦେଶୀ ପକ୍ଷୀମାନଙ୍କର ମଧ୍ୟ ଯିବା ଆସିବା ହେଉଛି । ଏ ଦୃଷ୍ଟିରୁ ବିଭିନ୍ନ ଡ଼୍ୟାମ୍ ଅଞ୍ଚଳ ଗୁଡ଼ିକରେ ପର୍ଯ୍ୟଟକମାନଙ୍କର ରହିବା ଖାଇବା, ରୋଷେଇ ବ୍ୟବସ୍ଥା, ଜଳଭଣ୍ଡାରରେ ଭ୍ରମଣ ବ୍ୟବସ୍ଥା, ସେହିସବୁ ସ୍ଥାନକୁ ଯିବା ଆସିବା ପାଇଁ ଗମନାଗମନର ବ୍ୟବସ୍ଥା ଆଦି କରାଯାଇପାରିଲେ ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧି ସହିତ ଆତ୍ମନିଯୁକ୍ତି, କର୍ମନିଯୁକ୍ତି, ସ୍ଥାନୀୟ ଉତ୍ପାଦନର ନୂଆ ବଜାର ସୃଷ୍ଟି, ପରିବହନ କ୍ଷେତ୍ର, ମନୋରଞ୍ଜନ ଶିଳ୍ପକୁ ସହାୟତା ଦେବା ଭଳି ବହୁମୁଖୀ ଉପକାର ସାଧିତ ହୋଇପାରିବ ।
ବର୍ତ୍ତମାନ ସମୟରେ ଯୁବଗୋଷ୍ଠୀ ନିକଟରେ ନିଯୁକ୍ତି ଏକ ବଡ଼ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରର ପ୍ରଗତି ଦିଗରେ ଜଳଭଣ୍ଡାର ଗୁଡ଼ିକର ଯୋଜନାବଦ୍ଧ ଉନ୍ନତୀକରଣ ସାମାଜିକ ତଥା ଆର୍ଥôକ ବିକାଶର ଏକ ନୂଆ ରାହା ଦେଖାଇବ । ଆଜିକା ଦିନରେ କ୍ଷୁଦ୍ର ତଥା ମଧ୍ୟମ ଜଳଭଣ୍ଡାର ଗୁଡ଼ିକ ବହୁମୁଖୀ ଉଦେ୍ଦଶ୍ୟ ପୂରଣ କରିପାରୁନାହିଁ । ଏପରିକି କେତେକ ଜଳଭଣ୍ଡାରରେ ମତ୍ସ୍ୟ ଚାଷ ଭଳି କରାଯିବାର ସୁବିଧା ରହିଥିଲେ ମଧ୍ୟ ତାହା କରାଯାଇପାରୁନାହିଁ । ବର୍ତ୍ତମାନ ସମୟର ଏକ ଆହ୍ୱାନ ଭାବରେ ଜଳଭଣ୍ଡାର ପର୍ଯ୍ୟଟନକୁ ଗ୍ରହଣ କରି ଏହାର ବିକାଶ କରାଗଲେ ଅନେକ ଅଜଣା ସ୍ଥାନ ସମ୍ପର୍କରେ ମଧ୍ୟ ସମାଜବିଜ୍ଞାନୀମାନେ ନୂଆ ନୂଆ ତଥ୍ୟ ହାସଲ କରିପାରିବେ । ଜଳଭଣ୍ଡାର ଗୁଡ଼ିକର ଉନ୍ନତୀକରଣ ଏବଂ ଏସବୁକୁ ପର୍ଯ୍ୟଟନ କ୍ଷେତ୍ରର ଏକ ଅଂଶ ଭାବରେ ଉନ୍ନତି କରିବା ପାଇଁ ସ୍ୱତନ୍ତ୍ର ଭାବରେ ଏକ ନୀତି ପ୍ରଣୟନର ଆବଶ୍ୟକତା ରହିଛି । ଏହା କେବଳ ରାଜ୍ୟ ନୁହେଁ; ବରଂ ଏକ କେନ୍ଦ୍ରୀୟ ନୀତି ଭାବରେ ଏହାକୁ କାର୍ଯ୍ୟକାରୀ କରାଗଲେ ଏଥିରେ ବହୁବିଧ ଉନ୍ନତି ସାଧିତ ହେବ । ସମାଜର ବିଭିନ୍ନ ବର୍ଗର ଲୋକେ ଏ କ୍ଷେତ୍ରକୁ ରୋଜଗାରର ଏକ ଉତ୍ସ ଭାବରେ ଗ୍ରହଣ କରିପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ହାତଗଣନ୍ତା କେତେକ ସ୍ଥାନକୁ ଛାଡ଼ି ଦେଲେ ଅନ୍ୟ କୌଣସି ସ୍ଥାନର ଜଳଭଣ୍ଡାର ଗୁଡ଼ିକରେ ଜଳକ୍ରୀଡ଼ାର କୌଣସି ବ୍ୟବସ୍ଥା ନାହିଁ । ଜଳଭଣ୍ଡାର ଗୁଡ଼ିକରେ ଜଳକ୍ରୀଡ଼ାର ବ୍ୟବସ୍ଥା କରାଗଲେ ବର୍ଷ ସାରା ସେସବୁ ସ୍ଥାନକୁ ପର୍ଯ୍ୟଟକମାନଙ୍କର ଯିବା ଆସିବା ଲାଗି ରହିବ । ବିଶେଷ କରି ଜଳଭଣ୍ଡାର ଗୁଡ଼ିକ ଅଧିକାଂଶ ସ୍ଥାନରେ ଜଙ୍ଗଲ ଭିତରେ ରହିଥିବାରୁ ଏହାର ପ୍ରାକୃତିକ ଶୋଭା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅତ୍ୟନ୍ତ ଉପଯୋଗୀ । ପ୍ରକୃତି ବିବିଧ ପ୍ରକାରର ସାମାଜିକ ଆର୍ଥôକ ଆଦି ପ୍ରଗତି ନିମିତ୍ତ ଉପାଦାନ ରଖିଥିବା ବେଳେ ଏ ପର୍ଯ୍ୟନ୍ତ ଏହାର ଉପଯୋଗ ବହୁତ କମ୍ ସ୍ଥାନରେ ହିଁ ହେଉଛି । ପର୍ଯ୍ୟଟନ ମାନଚ୍ଚିତ୍ର ଭଳି ସ୍ୱତନ୍ତ୍ର ଭାବରେ ଡ଼୍ୟାମ୍ ପର୍ଯ୍ୟଟନ ମାନଚ୍ଚିତ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରସ୍ତୁତ କରିବା ଆବଶ୍ୟକ । ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ରହିଥିବା ଡ଼୍ୟାମ୍ ଗୁଡ଼ିକରେ ସ୍ଥାନୀୟ ଅଧିବାସୀମାନଙ୍କ ପାଇଁ ଏହା ପ୍ରଗତିର ଏକ ନୂଆ ରାସ୍ତା ଓ ରାହା ଦେଖାଇବ ।