ବାଟବଣା ସ୍ୱଚ୍ଛ ଭାରତ ଅଭିଯାନ


ଭଣ୍ଡାରିପୋଖରୀରୁ ରାଜେନ୍ଦ୍ର ଶତପଥୀ: କିଛି ବର୍ଷା ହେବ ଆରମ୍ଭ ହୋଇଥିବା ଯୁଗାନ୍ତକାରୀ ଯୋଜନା ସ୍ୱଚ୍ଛ ଭାରତ ଅଭିଯାନ ଏବେ କେତେକ ସ୍ଥାନରେ ବାଟବଣା ହୋଇଥିବା ଜଣାଯାଇଛି । ପ୍ରଶାସନିକ ସ୍ତରରେ ଆନ୍ତରିକତା ବିହୀନ କାର୍ଯ୍ୟ ହେଉ କିମ୍ବା ଜନ ସଚେତନତା ଅଭାବରୁ ଏହି ଯୁଗାନ୍ତକାରୀ ଯୋଜନାଟିର ସଫଳ ରୂପାୟନ ହୋଇପାରୁନାହିଁ । ଯୋଜନାର ସଫଳ ରୂପାୟନ ପାଇଁ ସରକାରଙ୍କ ପକ୍ଷରୁ କୋଟିକୋଟି ଟଙ୍କା ବ୍ୟୟ ହୋଇଥିଲେ ସୁଦ୍ଧା ଏହା କେବଳ କେତେକ ପ୍ରକଳ୍ପ ନିର୍ମାଣ, ପ୍ରଚାର ଧର୍ମୀ ସଂଗୀତ ଓ ଫଟୋ ଉଠା କାର୍ଯ୍ୟକ୍ରମରେ ସୀମିତ ଥିବା ଭଳି ମନେହୁଏ । କାଗଜ କଲମରେ ସବୁ ଠିକଠାକ ଥିବା ଅମଲା ମାନେ କହୁଥିବା ବେଳେ ବାସ୍ତବ କ୍ଷେତ୍ରରେ ପ୍ରକଳ୍ପ ଗୁଡିକୁ ଦେଖିଲେ ଯୋଜନା କେତେ ସଫଳ ହୋଇଛି ଅନୁମାନ କରିହେବ । ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକର ୨୩ଗୋଟି ପଞ୍ଚାୟତରେ ବର୍ଷକୁ ବର୍ଷ ସ୍ୱଚ୍ଛ ଭାରତର ସଫଳତା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହେଉଛି । ଯୋଜନା ପାଇଁ ବ୍ଲକ, ପଞ୍ଚାୟତ, ଏନଆରଇଜିଏସ ସହିତ ଅନୁମୋଦିତ ବିଭାଗରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଛି । ବ୍ଲକ ଅଞ୍ଚଳର ସମସ୍ତ ପଞ୍ଚାୟତରେ ୧ଲକ୍ଷ ୭୦ହଜାର ଟଙ୍କା ବ୍ୟୟ କରାଯାଇ ଗୋଟାଏ ଲେଖାଏଁ ଏକତ୍ରିକ ପୃଥକିକରଣ କୁଣ୍ଡ ନିର୍ମାଣ କରାଯାଇଛି । ଏହାଛଡା ୫୫ଗୋଟି ଖାତକ ନିର୍ମାଣ ହୋଇଥିବା ବେଳେ ଏନଆରଇଜିଏସ ଯୋଜନାରେ ସମସ୍ତ ହିତାଧିକାରୀଙ୍କ ପାଇଁ ଅଳିଆ କୁଣ୍ଡ ନିର୍ମାଣ କରାଯାଇଛି । ବ୍ଲକର ନଗୁଆଁ, ନେରଡ଼ା, ବିଷ୍ଣୁପୁର, ଝୁଟୁଣା, ବାଲିପୋଖରୀ ଆଦି ପଞ୍ଚାୟତରେ ପୃଥକିକରଣ କୁଣ୍ଡକୁ ଏସଏଚଜି ସଦସ୍ୟା ମାନେ କିଛିମାତ୍ରାରେ ପରିଚାଳନା କରୁଛନ୍ତି । ଟ୍ରାଇ ସାଇକେଲ ଜରିଆରେ ଅଳିଆ ଆଣି କୁଣ୍ଡରେ ପକାଉଛନ୍ତି । କିଛି ଟ୍ରାଇ ସାଇକେଲ ଓ ଅନ୍ୟାନ୍ୟ ଉପଯୋଗୀ ଯନ୍ତ୍ରାଂଶ ଖରାପ ହୋଇଯିବାରୁ ବେଳେବେଳେ ଉକ୍ତ କାର୍ଯ୍ୟ ହୋଇ ପାରୁନଥିବା ଜଣାପଡିଛି । ଉକ୍ତ ପଞ୍ଚାୟତକୁ ଛାଡିଦେଲେ ଅନ୍ୟ ପ୍ରାୟ ସମସ୍ତ ସ୍ଥାନରେ କୁଣ୍ଡ ଗୁଡିକ ଶୂନ୍ୟ ହୋଇ ପଡି ରହିଛି । ନା ସେଥିରେ କେହି ଅଳିଆ ପକାଉଛନ୍ତି ନା ସେଗୁଡିକର ସଠିକ ପରିଚାଳନା ହୋଇପାରୁଛି । ନିର୍ମାଣ ହୋଇଥିବା ଗୋଷ୍ଠୀ ଭିତ୍ତିକ ଖାତକ କୁଣ୍ଡକୁ ମଧ୍ୟ କେହି ବ୍ୟବହାର କରୁନାହାନ୍ତି । କେବଳ ଛୋଟମୋଟ ଗାଁ ଛକରେ ନିର୍ମାଣ ହୋଇଥିବା କୁଣ୍ଡକୁ ବ୍ୟବସାୟୀ ମାନେ ବ୍ୟବହାର କରୁଥିବା ବେଳେ ଅନ୍ୟ ସ୍ଥାନ ମାନଙ୍କରେ ସଚେତନତା ଅଭାବରୁ କୁଣ୍ଡ ଗୁଡିକ ଶୂନ୍ୟ ହୋଇ ରହିଛି । ମୋଟାମୋଟି ଭାବେ ସ୍ୱଚ୍ଛ ଭାରତ ଯୋଜନାର ସଫଳ ରୂପାୟନ ପାଇଁ ମୁଖ୍ୟ ସମସ୍ୟା ରହିଛି ଜନ ସଚେତନତା ସୃଷ୍ଟି । ଏହାଛଡା ପ୍ରଶାସନିକ ସ୍ତରରେ ଉପରୁ ତଳ ଯାଏଁ ସଠିକ ଢଙ୍ଗରେ ଏହାକୁ ପରିଚାଳନା କରାଯାଉନଥିବାରୁ ଯୋଜନା ବାଟବଣା ହେଉଥିବା କୁହାଯାଉଛି । ତେଣୁ ବିଭାଗୀୟ ଅଧିକାରୀଙ୍କ ଦକ୍ଷତା ଓ ଜନସଚେତନା ବିନା ସ୍ୱଛତା ଭାରତ ଯୋଜନାର ସଫଳ ରୂପାୟନ ହେବା ଅସମ୍ଭବ ବୋଲି ବୃଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।