କୂଳ ଖାଉଛି କପାଳୀ, ଚିନ୍ତାରେ ଚାଷୀ

ବନ୍ତରୁ ରମେଶ ଚନ୍ଦ୍ର ପତି:  ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ହିତ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଥିବା ବେଳେ ସଠିକ୍ ଭାବରେ ବିଭିନ୍ନ ଯୋଜନାର ରୂପାୟନ ହେଉ ନ ଥିବାରୁ ଅନେକ ସମୟରେ ସାଧାରଣ ଲୋକ ବଳି ପଡୁଛନ୍ତି । ବନ୍ତ ଅଞ୍ଚଳରେ ପ୍ରବାହିତ କପାଳି ନଈ ଚାଷୀଙ୍କ ପାଇଁ କାଳ ସାଜିଛି । ଦୀର୍ଘବର୍ଷ ଧରି ନଇ ସଫେଇ ସହିତ ଆଡିର ସୁରକ୍ଷା ନଥିବାରୁ ଚାଷୀଙ୍କ କ୍ଷେତର ଅମଳ ନଷ୍ଟ ହୋଇଯାଉଛି । ବିଶେଷ କରି ରାମପୁର, ରାମକୃଷ୍ଣପୁର, ଛୟାଳସିଂ, ଟିଲୋ, ରାମଚନ୍ଦ୍ରପୁର ସମେତ ବିଭିନ୍ନ ପଞ୍ଚାୟତର ନଇକୂଳିଆ ଗ୍ରାମମାନଙ୍କରେ ବନ୍ୟାପାଣିରେ ଘରଭାଙ୍ଗି ଯାଇଛି । ଏହି କପାଳୀ ନଈରେ ଅସରାଏ ବର୍ଷାରେ ଶହଶହ ଏକର ଜମିରେ ପରିବା ନଷ୍ଟ ହୋଇଯାଇଛି । ଦିନକୁ ଦିନ ନଈର କୂଳ ଖାଇବା ଫଳରେ ନଇ ପୋତି ହୋଇଯିବା ସଙ୍ଗେ ସଙ୍ଗେ ବନ୍ୟାଜଳ ଯିବାରେ ବାଧାସୃଷ୍ଟି ହେଇଛି । କୂଳ ଖାଇବା ଫଳରେ ଜୀବନହାନି ମଧ୍ୟ ଘଟୁଛି । ଅନେକ ସ୍ଥାନରେ ନଇର ଗତିପଥ ପରିବର୍ତନ ହେଇଯାଉଛି । ଏହାର ସ୍ଥାୟୀ ପ୍ରତିକାର ପାଇଁ ଅଞ୍ଚଳବାସି ଦାବି କରିଛନ୍ତି ।