କେବେ ମିଳିବ ଟ୍ରାଫିକ୍ ପୁଲିସକୁ ଏସି ହେଲମେଟ?


  କଟକ: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛନ୍ତିି । ଦିନ ହେଉ କିମ୍ବା ରାତି ଶରୀରରୁ ଅନବରତ ଝାଳ ବୋହି ଚାଲୁଛି । ଏଭଳି କଠିନ ପରିସ୍ଥିତିରେ ଟ୍ରାଫିକ୍ କର୍ମଚାରୀ ନିଜର କାର୍ଯ୍ୟ ନିର୍ବାହ କରୁଛନ୍ତି । ଯଦିଓ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଟ୍ରାଫିକ୍ କର୍ମଚାରୀଙ୍କୁ ଏସି ହେଲମେଟ ମିଳିବା ନେଇ  ନିଷ୍ପତ୍ତି ହୋଇଥିଲା । ଏବଂ ଏନେଇ ମାସକ ତଳେ ଏହାର ପରୀକ୍ଷାମୂଳକ ବ୍ୟବହାର ମଧ୍ୟ କରାଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ ଏସି ହେଲମେଟ ନ ମିଳିବାରୁ ଟ୍ରାଫିକ୍ କର୍ମଚାରୀଙ୍କୁ ଅସହ୍ୟ ଗରମରେ ଡୁ୍ୟଟି କରିବାକୁ ପଡୁଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗୁଳୁଗୁଳି ଯୋଗୁଁ ଦିନ ୯ଟା ପରେ ରାସ୍ତାକୁ ବାହାରିବା ସମ୍ଭବ ହେଉନାହିଁ । ଏଭଳି ପରିସ୍ଥିତିରେ ଟ୍ରାଫିକ୍ ପୁଲିସ କର୍ମଚାରୀ ସହରର ପ୍ରମୁଖ ୧୨ଟି ପୋଷ୍ଟରେ ଭିଡ ନିୟନ୍ତ୍ରଣ କରୁଛନ୍ତି । ତେବେ ଟ୍ରାଫିକ ପୁଲିସ କର୍ମଚାରୀମାନଙ୍କୁ ଗରମରୁ ତ୍ରାହି ପାଇଁ ଏୟାର କୁଲିଙ୍ଗ ହେଲମେଟ ୍ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହାର ବିଶେଷତ୍ୱ ହେଲା ବାହ୍ୟ ତାପମାତ୍ରା ଯେତେ ଅଧିକ ଥିଲେ ବି ହେଲମେଟ ଭିତର ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ରହିବ । ଏଥିରେ ସନ୍ ଗ୍ଲାସ୍ର ସୁବିଧା ଥିବାରୁ ଆଖି ମଧ୍ୟ ଥଣ୍ଡା ରଖିବ । ଯାହାଫଳରେ ପ୍ରଚଣ୍ଡ ଖରାରେ ବି ଟ୍ରାଫିକ ପୁଲିସଙ୍କୁ ଅଂଶୁଘାତର ଭୟ ରହିବ ନାହିଁ । ବ୍ୟାଟେରୀରେ ଚାଲୁଥିବା ଏହି ହେଲମେଟ ଥରେ ଚାର୍ଜ ହେଲେ ୮ଘଣ୍ଟା ପର୍ଯ୍ୟନ୍ତ ରହିବ । ଏହାର ଉପକାରିତା ସଂପର୍କରେ ଜାଣି କଟକ ଓ ଭୁବନେଶ୍ୱର ଟ୍ରାଫିକ୍ ପୁଲିସ ନିମନ୍ତେ ଏସି ହେଲମେଟ ପ୍ରଦାନ କରିବାର ନିଷ୍ପତ୍ତି ହୋଇଛି । ଏପରିକି ଗତ ମାସରେ ପୁଲିସ କମିଶନର ଏହି ହେଲମେଟକୁ ପରୀକ୍ଷାମୂଳକ ଭାବେ ଭୁବନେଶ୍ୱର ଟ୍ରାଫିକ କର୍ମଚାରୀଙ୍କୁ ପ୍ରଦାନ କରିଥିଲେ । ଗୋଟିଏ ଏସି ହେଲମେଟ୍ର ମୂଲ୍ୟ ୯ ହଜାର ଟଙ୍କାରୁ ଆରମ୍ଭ ହୋଇ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଅନୁରୂପ ଭାବେ କଟକ ୟୁପିଡିର ଟ୍ରାଫିକ ପୁଲିସଙ୍କ ପାଇଁ ଏହି ହେଲମେଟ୍ କିଣାଯିବ ବୋଲି ନିଷ୍ପତ୍ତି ହୋଇଛି । କଟକରେ ମୋଟ୍ ୨୦୦ ପୁରୁଷ ଓ ୪୦ ମହିଳା ଟ୍ରାଫିକ କର୍ମଚାରୀ ପର୍ଯ୍ୟାୟକ୍ରମେ ୫୩ଟି ପୋଷ୍ଟରେ ଡୁ୍ୟଟି କରୁଛନ୍ତି । ଏଣୁ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଏସି ହେଲମେଟ୍ ପାଇଁ ପ୍ରସ୍ତାବ ଦିଆଯାଇଛି । ହେଲେ ଦିନକୁ ଦିନ ଗରମ ଓ ଗୁଳୁଗୁଳିର ପ୍ରକୋପ ବଢୁଥିଲାବେଳେ ଏସି ହେଲମେଟ ଦେଖିବାକୁ ମିଳୁନାହିଁ । ସହରର ଜୁଡିସିଆଲ ଏକାଡେମୀ, ମଲାଚଣ୍ଡିଆ ଛକ, ବାଦାମବାଡି ଛକ ଯୋବ୍ରା ଭଳି ଭିଡ ସ୍ଥାନରେ ଟ୍ରାଫିକ୍ ପୋଷ୍ଟଗୁଡିକ ଭାଙ୍ଗିରୁଜି ଯାଇଛି । ଆଖପାଖରେ ଛାଇ ଖୋଜି ପାଇବା କଷ୍ଟକର । ଦୁଇ ଜଣିଆ ଡୁ୍ୟଟି କଲା ବେଳେ ଜଣଙ୍କ ବିଶ୍ରାମ ସମୟରେ ଅନ୍ୟ ଜଣେ ପୋଷ୍ଟ ସମ୍ଭାଳୁଛନ୍ତି । ଦିନ ତମାମ ପ୍ରଚଣ୍ଡ ଖରାରେ ଝାଳନାଳ ହୋଇ ଡୁ୍ୟଟି କରିବାକୁ ପଡୁଛି । ଆହୁରି ମାସେ କି ଦେଢ ମାସ ଧରିି ଗ୍ରୀଷ୍ମର ପ୍ରଭାବ ରହିବ । ତେଣୁ ଟ୍ରାଫିକ କର୍ମଚାରୀଙ୍କୁ ଆବଶ୍ୟକତା ଥିବା ଏସି ହେଲମେଟ୍ ନ ମିଳିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି ।