ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ପୁରୀ : ରଥ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏଥିରେ ଅଧ୍ୟକ୍ଷତା କରି ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ସ୍ୱାଗତ କରିବା ସହ ବିଭିନ୍ନ ବିଭାକକୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ଅଗ୍ରାଧିକାର ଭିତ୍ତିରେ ସଂପନ୍ନ କରିବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ଏସ.ପି ପିନାକ ମିଶ୍ର ପ୍ରତ୍ୟେକ ବିଭାଗ ତତ୍ପରତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ରଥଯାତ୍ରା ପାଇଁ ଶୃଙ୍ଖଳିତ ଆଇନ ବ୍ୟବସ୍ଥା ସଂପର୍କରେ ସୂଚନା ଦେବା ସହ ଯାତ୍ରୀମାନଙ୍କ ସୁବିଧା ପାଇଁ ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବା ଉପରେ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ । ରଥକାଠ ସଂଗ୍ରହ ଓ ରଥ ନିର୍ମାଣ ସଂପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଥିଲେ ଯେ ମେ, ମାସ ୧୦ ତାରିଖରେ ଅକ୍ଷୟତୃତୀୟା ଅବସରରେ ରଥ ଅନୁକୂଳ ହେବ । ଜୁନ୍ ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣମୀ, ଜୁଲାଇ ୭ ତାରିଖରେ ଶ୍ରୀଗୁଣ୍ଡିଚା, ଜୁଲାଇ ୧୨ ତାରିଖରେ ରଥ ଦଧିଣିମୋଡ଼, ଜୁଲାଇ ୧୪ ତାରିଖରେ ସନ୍ଧ୍ୟା ଦର୍ଶନ, ଜୁଲାଇ ୧୫ ତାରିଖରେ ବାହୁଡ଼ାଯାତ୍ରା, ୧୭ ତାରିଖରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଓ ୧୮ ତାରିଖରେ ଅଧରପଣା ନୀତି ଅନୁଷ୍ଠିତ ହେବ ।