ଆଇଆଇଏମ୍ସିରେ ସ୍ୱଚ୍ଛତା ପକ୍ଷ


 ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳରେ ସ୍ୱଚ୍ଛତା ପକ୍ଷ ଆରମ୍ଭ ହୋଇଛି । ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରେ ସମାପନ ହେବ । ପ୍ରତ୍ୟେକ ଦିନ ସ୍ୱଚ୍ଛତାକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥରର ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମର ଅନୁଚିନ୍ତା ରହିଛି ‘ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା’ । ଏହି ପରିପ୍ରେକ୍ଷୀରେ ଗତ ବୁଧବାର ଏକ ମିନି ମାରାଥନ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ସେହିପରି ଗୁରୁବାର ପୂର୍ବାହ୍ନରେ ଏକ ବକ୍ତୃତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ସଂସ୍ଥାନର ଅଧ୍ୟାପକ, ଅଧ୍ୟାପିକ ଭାଗ ନେଇ ସ୍ୱଚ୍ଛତା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସହକାରୀ ପ୍ରଫେସର ଡ. ବିରଞ୍ଚô ନାରାୟଣ ସେଠ୍, ଅଧ୍ୟାପକ ସନତ୍ ପାଢ଼ୀ, ହରପ୍ରିୟା ଷଡ଼ଙ୍ଗୀ, ସୌମ୍ୟରଞ୍ଜନ ବିହାରା, ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତି, ଗ୍ରନ୍ଥାଗାର ସଂଯୋଜିକା ଶୁଭଙ୍କରୀ ଦାସ ସ୍ୱଚ୍ଛତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଅପରାହ୍ନରେ ସ୍ୱଚ୍ଛତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ସଂସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ବିଭିନ୍ନ ଉପକରଣ ମାଧ୍ୟମରେ ପରିବେଶକୁ କିପରି ସ୍ୱଚ୍ଛ ରଖାଯାଏ, କିପରି ଗଛଗୁଡ଼ିକର ଯତ୍ନ ନିଆଯାଏ ସେ ସମ୍ପର୍କରେ ଦେଖାଇଥିଲେ । ପରେ ଛାତ୍ରଛାତ୍ରୀମାନେ ଏହି ଉପକରଣ ବ୍ୟବହାର କରି କ୍ୟାମ୍ପସ୍ ସଫା କରିଥିଲେ । ସେହିପରି ଆସନ୍ତା ସପ୍ତାହରେ ସ୍ୱଚ୍ଛତା ବିଷୟବସ୍ତୁ ଉପରେ ଏକ ସ୍ଲୋଗାନ୍ ଓ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜନ ହେବାର କାର୍ଯ୍ୟସୂଚୀ ରହିଛି ବୋଲି ସ୍ୱଚ୍ଛତା ହିଁ ସେବା ଅଭିଯାନର ଆବାହକ ଶୁଭଙ୍କରୀ ଦାସ ସୂଚନା ଦେଇଛନ୍ତି ।